ରାୟଗଡ଼ା ବାଳିକା ଏନସିସି ବାଟାଲିୟନର ସଫଳତା, ୪ କ୍ୟାଡେଟ୍ ଜାତୀୟସ୍ତର ପ୍ୟାରେଡ଼ ପାଇଁ ମନୋନୀତ

Advertisment

୨୦୦ ପାଇଲେ ‘ସି’ ସାର୍ଟିଫିକେଟ୍

୨୦୦ ପାଇଲେ ‘ସି’ ସାର୍ଟିଫିକେଟ୍

ରାୟଗଡ଼ା ବାଳିକା ଏନସିସି ବାଟାଲିୟନର ସଫଳତା, ୪ କ୍ୟାଡେଟ୍ ଜାତୀୟସ୍ତର ପ୍ୟାରେଡ଼ ପାଇଁ ମନୋନୀତ

Sambad

ରାୟଗଡ଼ା: ରାୟଗଡ଼ାରେ ଅବସ୍ଥାପିତ ଏନସିସି ୨-ଓଡ଼ିଶା ବାଳିକା ବାଟାଲିୟନ୍ ସଫଳତା ହାସଲ କରିଛି। ବାଟାଲିୟନର ୪ କ୍ୟାଡେଟ୍ ପଲ୍ଲବୀ ବହୁଗୁଣା, ଟି. ପୂଜା ରାଓ, ଶ୍ରାବଣୀ, ପଲ୍ଲବୀ ଧାରୁଆ ୨୦୨୨ ଜାନୁଆରି ୨୬ରେ ‌ଦିଲ୍ଲୀରେ ହେବାକୁ ଥିବା ଜାତୀୟସ୍ତର ପ୍ୟାରେଡ୍ ପାଇଁ ମନୋନିତ ହୋଇଛନ୍ତି। ଏଥିସହିତ ତାଲିମ୍ ଶେଷ କରିଥିବା ୬ଟି ଜିଲ୍ଲାର ୨୦୦ କ୍ୟାଡେଟଙ୍କୁ ‘ସି’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ପାଇଥିବା କ୍ୟାଡେଟମାନେ ମାଓ ମୁକାବିଲା କୌଶଳ, ଗୁଳି ଚାଳନା, ମ୍ୟାପ୍ ରିଡିଙ୍ଗ୍, ଜଜଙ୍ଗି ଡିଷ୍ଟାନସ୍, ଟେଣ୍ଟ୍ ଫିକ୍ସ୍ କ୍ଷେତ୍ରରେ ପାରଙ୍ଗମ ଥିବା କମାଣ୍ଡାଣ୍ଟ୍ ଆଲୋକ ଘୋଷ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରାୟଗଡ଼ା ଜିଲ୍ଲା ମାଓ ପ୍ରବଣ ହୋଇଥିବାରୁ ୨୦୧୧ ମସିହାରେ ଏନସିସି ବାଟାଲିୟନ୍ ସ୍ଥାପିତ କରାଯାଇଥିଲା। ବର୍ତ୍ତମାନ ବାଟାଲିୟନ୍ ଅଧୀନରେ ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାର ୨୦୪୦ କ୍ୟାଡେଟ୍ ରହିଛନ୍ତି। ପ୍ରତିବର୍ଷ କ୍ୟାଡେଟଙ୍କ ସଂଖ୍ୟା ବଢ଼ୁଥିବା ବେଳେ କରୋନା ମହାମାରୀ ପାଇଁ ୨୦୧୯-୨୦ ବର୍ଷରୁ ତାଲିମ୍ ବନ୍ଦ ରହିଛି। ବହୁ କ୍ୟାଡେଟ୍ ଅନ୍ ଲାଇନ୍ ଜରିଆରେ ତାଲିମ୍ ନେଇ ସାର୍ଟିଫିକେଟ୍ ହାସଲ କରିଛନ୍ତି। କରୋନା ସମୟରେ ଅନଲାଇନ୍ ତାଲିମ୍ ସହ ବହୁ ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ବାଟାଲିୟନ୍ ହାତକୁ ନେଇଛି। ରାୟଗଡ଼ା ମହିଳା ମହାବିଦ୍ୟାଳୟ ୟୁନିଟ୍ ପକ୍ଷରୁ ହେଲପ୍ ଡେସ୍କ୍ ଖୋଲାଯାଇ ଚିକିତ୍ସା ସଂପର୍କିତ ବିଭିନ୍ନ ତଥ୍ୟ ଆକ୍ରାନ୍ତଙ୍କ ପରିବାରକୁ ଯୋଗାଇ ଦିଆଯାଇଥିଲା। ଯାହା ପ୍ରଶଂସନୀୟ ବୋଲି କମାଣ୍ଡାଣ୍ଟ୍ ଶ୍ରୀ ଘୋଷ କହିଛନ୍ତି।

ଏନସିସି ‘ସି’ ସାର୍ଟିଫିକେଟର ଅଧିକ ଗୁରୁତ୍ବ ରହିଥିବାରୁ ଅଧିକ ପରିମାଣରେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ ଏନସିସିରେ ସାମିଲ୍ ହେବାକୁ ଆଗ୍ରହ ଦେଖାଇଛନ୍ତି। ବାଟାଲିୟନ୍ ପକ୍ଷରୁ ସମସ୍ତ କ୍ୟାଡେଟଙ୍କୁ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ ପରେ ସାର୍ଟିଫିକେଟ୍ ଦିଆଯାଉଛି। କଲେଜରେ ନାମ ଲେଖା ସହ ସେନା ବାହିନୀରେ ଭର୍ତ୍ତି ହେବା ସମୟରେ କ୍ୟାଡେଟଙ୍କ ପକ୍ଷରେ ଏହି ସାର୍ଟିଫିକେଟ୍ ବହୁତ ଲାଭଦାୟକ ହେଉଛି। ସେନା ବାହିନୀରେ ଯୋଗଦେବାକୁ ଇଚ୍ଛୁକ ଥିବା ଏନସିସି ‘ସି’ ସାର୍ଟିଫିକେଟ୍ ପ୍ରାପ୍ତ କ୍ୟାଡେଟ୍ ଲିଖିତ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିନଥାଏ। କେବଳ ସାକ୍ଷାତକାର ଓ ଫିଜିକାଲ୍ ଟେଷ୍ଟ୍ ଦେବାକୁ ପଡିଥାଏ। ତେବେ କିଛି କ୍ଷେତ୍ରରେ ‘ସି’ ସାର୍ଟିଫିକେଟର ଦୂରପଯୋଗ ହେଉଥିବାରୁ କାହାକୁ ସାର୍ଟିଫିକେଟ୍ ହସ୍ତାନ୍ତର ନ କରିବାକୁ କମାଣ୍ଡାଣ୍ଟ୍ ଶ୍ରୀ ଘୋଷ ପରାମର୍ଶ ଦେଇଥିଲେ। ପ୍ରଶିକ୍ଷଣ ଓ ବାଟାଲିୟନ୍ ପରିଚାଳନାରେ ଉଲ୍ଲେଖନୀୟ କୃତିତ୍ବ ପାଇଁ ଚଳିତ ବର୍ଷ ଏନସିସି ମହାନିର୍ଦେଶକ ବାଟାଲିୟନର ସର୍କଲ୍ ଇନସପେକ୍ଟର୍ ପ୍ରତିମା ମିଞ୍ଜ ଓ ରାୟଗଡ଼ା ମହିଳା ମହାବିଦ୍ୟାଳୟର ଆସିଷ୍ଟାଣ୍ଟ୍ ଏନସିସି ଅଫିସର୍ ଡଃ. ରୀତାରାଣୀ ମିଶ୍ରଙ୍କୁ ପୁରସ୍କୃତ କରିବେ। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସୁବେଦାର ଅବୁ ସିଦ୍ଦିକ୍ ସେକ୍ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe