ଧକ୍କା ଦେଇ ବୋଲେରୋ ଫେରାର୍‌; ୨ ବାଇକ୍ ଆରୋହୀ ଗୁରୁତର, ଡ୍ରେନ୍‌କୁ ଖସିଲା ଚୋରା କାଠ ବୋଝେଇ ଟ୍ରାକ୍ଟର

Advertisment
ଧକ୍କା ଦେଇ ବୋଲେରୋ ଫେରାର୍‌; ୨ ବାଇକ୍ ଆରୋହୀ ଗୁରୁତର, ଡ୍ରେନ୍‌କୁ ଖସିଲା ଚୋରା କାଠ ବୋଝେଇ ଟ୍ରାକ୍ଟର

ବୈପାରିଗୁଡା:  ଅଜଣା ବୋଲେରୋ ଧକ୍କାରେ ୨ ବାଇକ୍ ଆରୋହୀ ଗୁରୁତର ହେବା ବେଳେ କାଠ ବୋଝେଇ ଟ୍ରାକ୍ଟର ଡ୍ରେନ ତଳକୁ ଖସି ପଡ଼ିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବୈପାରିଗୁଡା ଥାନା ଅନ୍ତର୍ଗତ ଦଶମନ୍ତପୁର ପଞ୍ଚାୟତର ଟୋଟାଗୁଡା ଗ୍ରାମର ନକୁଳ ଗାଦବା ଏବଂ ରାମଚନ୍ଦ୍ର ଗାଦବା ବୈପାରିଗୁଡା ଆସି ବାହାଘର ପାଇଁ ଆବଶ୍ୟକୀୟ ସାମଗ୍ରୀ କିଣି ନିଜ ଗ୍ରାମକୁ ପଠେଇ ଦେବା ପରେ (ଓଡି ୧୦ ଏସ୍ ୪୦୧୬) ନମ୍ବର ବାଇକ୍ ଯୋଗେ ରାତି ସାଢ଼େ ଆଠଟା ସମୟରେ ନିଜ ଗ୍ରାମକୁ ଫେରୁଥିଲେ।

publive-image

ତେବେ ବାତ୍ରିପୁଟ ଛକ ନିକଟରେ ନିଜ ସାମ୍ନାରେ ଯାଉଥିବା ଏକ ଟ୍ରାକ୍ଟର (ଓଡି ୧୦ ବି ୮୭୫୩)କୁ ଓଭରଟେକ କରିବାକୁ ଯାଇ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ନକୁଳ ଏବଂ ରାମଚନ୍ଦ୍ର ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଥିଲେ। ତେବେ ସାମ୍ନାରେ ଯାଉଥିବା ଟ୍ରାକ୍ଟର ଡ୍ରାଇଭର ଦୁର୍ଘଟଣା ଦେଖି କୌଣସି ଉପାୟ ନପାଇ ବୈପାରିଗୁଡାକୁ ଫେରିବା ପାଇଁ ଚେଷ୍ଟା କରି ରାସ୍ତା କଡ଼ରେ ଡ୍ରେନ ଭିତରକୁ ଖସି ପଡ଼ିଗଲା।

publive-image

ଅନ୍ୟ ଦିଗରେ ଦୁର୍ଘଟଣା ପରେ ବୋଲେରୋ ମଧ୍ୟ ପଛକୁ ଫେରି ମାଲକାନଗିରି ଆଡ଼କୁ ଦ୍ରୁତ ଗତିରେ ଚାଲିଯାଇଥିଲା। ଖବର ପାଇ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଭାବେ ଆହତ ନକୁଳ ଏବଂ ରାମଚନ୍ଦ୍ରଙ୍କୁ ନିଜ ଗାଡିରେ ଆଣି ଡାକ୍ତରଖାନାରେ ପହଞ୍ଚିଥିଲେ। ଉଭୟଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଏସ୍ଏଲ୍ଏନ୍ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଗାଡ଼ିକୁ ପୁଲିସ ଜବତ କରିବାକୁ ଯାଇ ସେଥିରେ ସାଇଜ଼ କାଠ ରହିଥିବା ଦେଖିବାକୁ ପାଇଥିଲେ। ସୂଚନା ପାଇ ବୈପାରିଗୁଡା ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe