ନୀଳଗିରି: ପୂର୍ବଶତ୍ରୁତାର ଆକ୍ରମଣ। ନିର୍ବନ୍ଧ ପାଇଁ ଆସିଥିବା ବରପକ୍ଷ ଓ କନିଆଁ ପକ୍ଷ ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହେଇଛି। ଏହି ଘଟଣାରେ ୨ ଜଣ ଆକ୍ରମଣକାରୀଙ୍କୁ ଧରି ନିର୍ଘାତ ମାଡ଼ ମରାଯାଇଥିବା ବେଳେ ଉଭୟଙ୍କୁ ପୁଲିସ ବାନ୍ଧିଛି। ଅନ୍ୟପଟେ କନିଆଁ ଘର ପକ୍ଷର ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତେବେ ଏପରି ପରିସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ହୋଇ ପାରି ନଥିବା ଜଣାପଡ଼ିଛି।
ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ପ୍ରତାପଡ଼ା ପଞ୍ଚାୟତ ବଡ଼ପାଟପୁର ଗ୍ରାମର ପ୍ରଦୀପ କୁମାର ମଲ୍ଲିକଙ୍କ ଝିଅଙ୍କ ନିର୍ବନ୍ଧ ଥିଲା। ବରପକ୍ଷ ଲୋକ କନିଆଁ ଘରେ ପହଞ୍ଚିବା ପରେ ସେମାନଙ୍କୁ କନିଆଁ ଘର ସହ ଶତ୍ରୁତା ଥିବା ଗ୍ରାମର କିଛି ଯୁବକ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏମିତିକିି କନିଆଁ ଘର ଲୋକଙ୍କୁ ମାଡ଼ମାରିବା ସହ ମାରଣାସ୍ତ୍ରରେ ହାଣିଥିଲେ। କନିଆଁଙ୍କୁ ଉଠାଇ ନେବା ପାଇଁ ଉଦ୍ୟମ କରିଥିଲେ। ଏତିକିବେଳେ ପ୍ରଦୀପଙ୍କ ପତ୍ନୀ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କୁ ପିଟାମରା କରିବା ସହ ସେ ପିନ୍ଧିଥିବା ଦୁଇଟି ସୁନାହାର ଛିଡ଼ାଇ ନେଇଥିଲେ।
ଏଇଭିତରେ ଖବର ପାଇ ପୁଲିସ ପହଞ୍ଚିଥିଲା। ପୁଲିସକୁ ଦେଖି ଦୁର୍ବୃତ୍ତମାନେ ଦୌଡ଼ି ପଳାଇଥିବା ବେଳେ ଜଗନ୍ନାଥ ମଲ୍ଲିକ ଓ ବିଶ୍ବଜିତ ପରିଡ଼ା କନିଆଁ ଘର ଲୋକ ଓ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ। ସେମାନେ ଉଭୟଙ୍କୁ ନିର୍ଘାତ ମାଡ଼ମାରିବା ସହ ପୁଲିସ ଜିମା ଦେଇଥିଲେ। ଆକ୍ରମଣରେ କନିଆଁ ଘର ପକ୍ଷରୁ ସଂପର୍କୀୟ ଗଦାଧର ସଲ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ଚାଲିଛି। ସେହିପରି ଏହି ଘଟଣା ପରେ ବରପକ୍ଷ ଭୟରେ ପଳାଇଯିବାରୁ ନିର୍ବନ୍ଧ ବନ୍ଦ ହୋଇଯାଇଥିବା ଜଣାପଡ଼ିଛି।
Follow Us