ଦକ୍ଷିଣ-ପୂର୍ବ ସମବାୟ ବ୍ୟାଙ୍କର ଦୁର୍ନୀତି ଅଭିଯୋଗ ନେଇ ଦୁଇ ଶ୍ରମିକ ଗୋଷ୍ଠୀ ମୁହାଁମୁହିଁ

ଦକ୍ଷିଣ-ପୂର୍ବ ସମବାୟ ବ୍ୟାଙ୍କର ଦୁର୍ନୀତି ଅଭିଯୋଗ ନେଇ ଦୁଇ ଶ୍ରମିକ ଗୋଷ୍ଠୀ ମୁହାଁମୁହିଁ

Sambad

ଜଟଣୀ: ଦକ୍ଷିଣ-ପୂର୍ବ ରେଳପଥ ସହ ସମ୍ପର୍କିତ ଅର୍ବାନ୍ ବ୍ୟାଙ୍କରେ ଆର୍ଥିକ ଦୁର୍ନୀତି ହୋଇଥିବା ନେଇ ରେଳ ଶ୍ରମିକ କଂଗ୍ରେସ ପକ୍ଷରୁ କେନ୍ଦ୍ରୀୟ ଭିଜିଲାନ୍ସ ନିକଟରେ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗ ଅମୂଳକ ଓ ଭିତ୍ତିହୀନ ବୋଲି ଆଜି ରେଳ ଶ୍ରମିକ ସଂଗଠନର ସମ୍ପାଦକ ତଥା ଅର୍ବାନ୍ ବ୍ୟାଙ୍କର ନିର୍ଦେଶକ ପ୍ରଦୀପ୍ତ କୁମାର ପାଟ୍ଟଷାଣୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇଛନ୍ତି। ଖୋର୍ଦ୍ଧା ରୋଡ୍ (ଜଟଣୀ) ରେଳବାଇ ଶ୍ରମିକ ୟୁନିଅନର କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାଟ୍ଟଷାଣୀଙ୍କ ସମେତ ପୂର୍ବତନ ଉପାଧ୍ୟକ୍ଷ ୟୁ ଭାସ୍କର ରାଓ, ବିବି ସାମନ୍ତରାୟ ଓ ଓ ଶିବ ପ୍ରସାଦ ବେହେରା ଉପସ୍ଥିତ ଥିଲେ। ସମ୍ମିଳନୀରେ ଶ୍ରୀ ପାଟ୍ଟଷାଣୀ କହିଛନ୍ତି ଯେ ବ୍ୟାଙ୍କର ପରିଚାଳନା କମିଟିର ସଭ୍ୟମାନଙ୍କ ନିର୍ବାଚନ ପାଇଁ କେନ୍ଦ୍ରୀୟ ରେଜିଷ୍ଟାର ୧୯ ଜାନୁଆରୀ ୨୦୧୫ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହାପରେ ୩ଟି ଜୋନ୍ର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସେହିମାସ ୨୧ ତାରିଖରେ ଶେଷ ବିଜ୍ଞପ୍ତି ପ୍ରକାଶ କରିଥିଲେ। ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିବା ବେଳେ ଶ୍ରମିକ ୟୁନିଅନର ଦୁଇଟି ଗୋଷ୍ଠୀର ବିବାଦ ଘଟି ଏହାକୁ କୋର୍ଟ ମାଧ୍ୟରେ ସ୍ଥଗିତ କରାଇଥିଲେ। ୨୦୨୦ରୁ ୨୦୨୨ ମଧ୍ୟରେ ପୁଣି ନିର୍ବାଚନ ପାଇଁ ପ୍ରସ୍ତୁତ ହେବା ସମୟରେ ଅନୁରୂପ ଭାବେ ଏହାକୁ ସ୍ଥଗିତ ରଖାଯାଇଛି । ଶ୍ରମିକ କଂଗ୍ରେସର ଗୋଟିଏ ଗୋଷ୍ଠୀ ଯେଉଁ ଚକ୍ରାନ୍ତ କରି ଅର୍ବାନ୍ ବ୍ୟାଙ୍କକୁ ଘରୋଇ ବ୍ୟାଙ୍କ ହାତକୁ ଟେକି ଦେବାକୁ ଯେଉଁ ଯୋଜନା କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୧ ଅପ୍ରିଲ୍ ୨୦୦୩ରେ ଦକ୍ଷିଣ-ପୂର୍ବ ରେଳପଥକୁ ୩ଟି ଭାଗରେ ବିଭକ୍ତ କରାଯାଇଥିଲା। ପୂର୍ବତଟ ରେଳବାଇରେ ୫୦ହଜାର କର୍ମଚାରୀଙ୍କୁ ରଖାଯାଇ ଅନ୍ୟମାନଙ୍କୁ ଦୁଇଟି ଡିଭିଜନକୁ ବଦଳି କରାଯାଇଥିଲା। କିନ୍ତୁ ମୂଳ ଦକ୍ଷୀଣ-ପୂର୍ବ ରେଳପଥର କ୍ରେଡିଟ୍ କୋଅପ୍ରେଟିଭ୍ ସୋସାଇଟିକୁ ବିଭାଜନ କରାଗଲାନାହିଁ। ରେଳ ବିଭାଗର ବିତ୍ତୀୟ ବିଭାଗର ସର୍ବୋଚ୍ଚ ଅଧିକାରୀ ଏହାର ଅଧ୍ୟକ୍ଷ ଅଛନ୍ତି। ନିୟମାନୁସାରେ, ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ହେବା କଥା, କିନ୍ତୁ ୨୦୧୫ରେ କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟରେ ପୁରୁଣା କାର୍ଯ୍ୟକର୍ତା ଏହାର ଦାୟିତ୍ୱରେ ଅଛନ୍ତି। ଏହାସହ ସମବାୟ ସଂସ୍ଥାର ନିୟମାନୁସାରେ ଏହାର ସେୟାର ହୋଲ୍ଡରଙ୍କ ଋଣରୁ କଟା ଯାଉଥିବା ୧୦ ପ୍ରତିଶତ ଅର୍ଥ ଉପରେ ୬୦୦ରୁ ୧୦୦୦ଟଙ୍କା ସୁଧ ମିଳିବା କଥା, କିନ୍ତୁ ୨୦୧୫ରୁ ୭୦ହଜାର କର୍ମଚାରୀଙ୍କୁ ଏହା ପ୍ରଦାନ କରାଯାଇନାହିଁ। ଏହା ବ୍ୟତୀତ, ବ୍ୟାଙ୍କରେ ନିଯୁକ୍ତି, ଶିଶୁଙ୍କ ଶିକ୍ଷା ଆଦି ନାମରେ ବ୍ୟାପକ ଦୁର୍ନୀତି କରାଯାଇଥିବା ନେଇ ରେଳ ଶ୍ରମିକ କଂଗ୍ରେସ ଅଭିଯୋଗ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe