ଜମି କିସମ ପରିବର୍ତ୍ତନ ପଟ୍ଟା ପାଇଁ ଲାଞ୍ଚ ମାମଲା: ହରଭଙ୍ଗା ତହସିଲ କିରାଣୀଙ୍କୁ ୨ବର୍ଷ ଜେଲ,୧୦ ହଜାର ଜରିମାନା

Advertisment
ପୁରୀ: ଶ୍ରଦ୍ଧାଳୁଙ୍କ ଠାରୁ ପକେଟ୍‌ ମାର କଲେ ସେବାୟତ, ଉପସ୍ଥିତ ଲୋକେ କାବୁ କରି ପୁଲିସକୁ କଲେ ହସ୍ତାନ୍ତର

DNA India

ଫୁଲବାଣୀ: ଜମି କିସମ ପରିବର୍ତ୍ତନ ପଟ୍ଟା ପାଇଁ ଲାଞ୍ଚ ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନସ ଜଜ୍‌ ଭଗବାନ ପ୍ରଧାନ ଦୋଷୀ ସାବ୍ୟସ୍ତ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲର କିରାଣୀ ବିରୁପାକ୍ଷ ମିଶ୍ରଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ୧୦ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅର୍ଥ ଅନାଦେୟ ହେଲେ ଆହୁରି ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ତହସିଲ ଅଧିନସ୍ଥ ନୂଆପଡା ଗାଁର ଉମେଶ ପାତ୍ର ୬୦ ଡେସିମିଲ କୃଷି ଜମିକୁ ଘରବାଡି କିସମ ପରିବର୍ତ୍ତନ ପାଇଁ ବୀରନରସିଂପୁର ଆରଆଇ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏଥି ନିମନ୍ତେ ଆବଶ୍ୟତ କାଗଜପତ୍ର ସହ ସରକାରୀ ଫି ମଧ୍ୟ ସେ ଜମା କରିଥିଲେ। ଆରଆଇ କାଗଜପତ୍ର ଯାଞ୍ଚ କରି ତହସିଲ ଅଫିସକୁ ପଠାଇ ଦେଇ ସେଠାରେ ଯୋଗଯୋଗ କରିବାକୁ ଆବେଦନକାରୀ ଶ୍ରୀ ପାତ୍ରଙ୍କୁ କହିଥିଲେ। ତାପରେ ଶ୍ରୀ ପାତ୍ର ହରଭଙ୍ଗା ତହସିଲ ଅଫିସକୁ ଯାଇ ଦାୟିବରେ ଥିବା କିରାଣୀ ଶ୍ରୀ ମିଶ୍ରଙ୍କ ସହ ଯୋଗାଯୋଗ କରିଥିଲେ।

କିସମ ପରିବର୍ତ୍ତନ ପଟ୍ଟା ପାଇଁ ଶ୍ରୀ ମିଶ୍ର ୩ହଜାର ଟଙ୍କା ମାଗିଥିଲେ। ଏହା ସରକାରୀ ଫି ଭାବି ଶ୍ରୀ ପାତ୍ର ତାଙ୍କୁ ୩ହଜାର ଟଙ୍କା ଦେଇଥିଲେ। ତାପରେ ବହୁବାର ଦୌଡିଥିଲେ ବି ଶ୍ରୀ ପାତ୍ର ଜମି କିସମ ପରିବର୍ତ୍ତନ ପଟ୍ଟା ପାଇବାକୁ ସକ୍ଷମ ହୋଇ ପାରି ନଥିଲେ। କିରାଣୀ ଶ୍ରୀ ମିଶ୍ର ଧରାଛୁଆଁ ଦେଇ ନଥିଲେ। ଶେଷରେ ପୁଣି ଆଉ ୧ହଜାର ସେ ଦାବି କରିଥିଲେ। ଏନେଇ ଶ୍ରୀ ପାତ୍ର ବ୍ରହ୍ମପୁର ଭିଜିଲାନସ ବିଭାଗକୁ ଗତ ୨୦୧୬ ଜୁନ ୨୭ ତାରିଖରେ ଜଣାଇଥିଲେ। ଯୋଜନା ମୁତାବକ ତାପରଦିନ ଶ୍ରୀ ପାତ୍ର ତହସିଲ କାର୍ଯ୍ୟାଳୟକୁ ଯାଇ କିରାଣୀ ଶ୍ରୀ ମିଶ୍ରଙ୍କୁ ୧ ହଜାର ଟଙ୍କା ଦେଇଥିଲେ। ପୂର୍ବରୁ ବାହାରେ ସଜାଗ ଥିବା ଭିଜିଲାନସ ଟିମ ଚଢାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହ କିରାଣୀ ଶ୍ରୀ ମିଶ୍ରଙ୍କୁ ଗିରଫ କରିଥିଲା। ଏହି ମାମଲାରେ ସମୁଦାୟ ୭ ଜଣ ସାକ୍ଷ୍ୟ ପ୍ରଦାନ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁରେଶ କୁମାର ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe