ଜନ୍ମରୁ ଚର୍ମ ଯନ୍ତ୍ରଣାରେ ଛଟପଟ, ଦିନରାତି କାନ୍ଦୁଛି ୨ବର୍ଷର ଝିଅ ତାରା

Advertisment
ଜନ୍ମରୁ ଚର୍ମ ଯନ୍ତ୍ରଣାରେ ଛଟପଟ, ଦିନରାତି କାନ୍ଦୁଛି ୨ବର୍ଷର ଝିଅ ତାରା

Sambad

ଭଞ୍ଜନଗର: କଅଁଳ ବୟସରେ ପ୍ରତିଦିନ ବଞ୍ଚିବା ପାଇଁ ସଂର୍ଘଷ କରୁଛି ତାରା। ବୟସ ମାତ୍ର ୨ ବର୍ଷ ତିନି ମାସ। ଅସହ୍ୟ ଯନ୍ତ୍ରଣାରେ ଦିନରାତି ଆଖିରୁ ଲୁହ ଶୁଖୁନି। ଝିଅର ଏଭଳି ଅବସ୍ଥା ଦେଖି ବାପା ମାଆ ମଧ୍ୟ ଧର୍ଯ୍ୟହରା ହୋଇ ସାରିଲେଣି। ଜନ୍ମ ହେବାର କିଛିଦିନ ପରଠାରୁ ଶରୀରରୁ ପ୍ରତିଦିନ ବାହାରିବାରେ ଲାଗିଛି ଚମଡା‌। ଚମଡ଼ା ଛାଡିବା ସହ ଚର୍ମର ରଙ୍ଗ ବଦଳି ହୋଇ ଘା’ ହେବାରେ ଲାଗିଛି। ପ୍ରକୃତ କାରଣ ଜଣା ପଡିନଥିବାବେଳେ ଏଭଳି ଅଜଣା‌ ରୋଗରେ ଆକ୍ରାନ୍ତ ହୋଇ ଶରୀର ସାରା ସଂପୂର୍ଣ୍ଣ ଗ୍ରାସ କରିବାକୁ ଲାଗିଛି। ଏଭଳି ଅଜଣା ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ଅଭାବରୁ କୋମଳମତି ବୟସରୁ ବଞ୍ଚିବା ପାଇଁ ଆରମ୍ଭ ହୋଇଛି ସଂର୍ଘଷ। ଏଭଳି ପରିସ୍ଥିତିରେ ଉପଯୁକ୍ତ ଚିକିତ୍ସା ନମିଳିବା ସହ ଭାଗ୍ୟକୁ ଆଦରି ମାଆ ବାପ ଘରେ ପଡି ରହିଛନ୍ତି। ହେଲେ ଆବଶ୍ୟକ ଚିକିତ୍ସା ନିମନ୍ତେ ପାଖରେ ଟଙ୍କାଟିଏ ନଥିବାରୁ ଏଭଳି ଘଡିସନ୍ଧି ସମୟରେ ସରକାରୀ ସହାୟତା ହିଁ ଏକମାତ୍ର ସାହାଭରସା ପାଲଟିଛି।

ଭଞ୍ଜନଗର ବ୍ଳକ୍‌ ଅଧୀନ ଡୁମାକୁମ୍ପା ପଞ୍ଚାୟତ ଡିହ କୁମ୍ପାପଲ୍ଲୀ ଗ୍ରାମରେ ବାପା କରୁନା ନାଇକଙ୍କ ଘରେ ରୋଗୀଣା ଝିଅ ସହ ରହୁଛନ୍ତି ତାରାର ମାଆ ପୁଷ୍ପା ବେହେରା। ପୁଷ୍ପା କନ୍ଧମାଳ ଜିଲ୍ଲା ନୂଆଗାଁ ବ୍ଳକ୍‌ ସାରଙ୍ଗଗଡ ନିକଟ ଟାଣ୍ଡିପାଙ୍ଗା ଗ୍ରାମରେ ପ୍ରଫୁଲ ‌‌ବେହେରାଙ୍କୁ ବିବାହ କରିଥିବା ବ‌େଳେ ଗର୍ଭବତୀ ସମୟରୁ ଆସି ବାପାଙ୍କ ନିକଟରେ ରହୁଛନ୍ତି। ଝିଅ ଜନ୍ମ ହେବା ପରଠାରୁ ତାର ଶରୀରରେ ଘା’ ହୋଇଥିଲା ନାଲି ପଡିବା ସହ ଦିନକୁ ଦିନ ବଢିବାରେ ଲାଗିଲା। ବର୍ତ୍ତମାନ ତାହା ଶରୀର ସାରା ହୋଇଥିବା ବେଳେ ଦିନରାତି ଖାଲି କାନ୍ଦୁଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ମୁହଁ ଖୋଲି କିଛି କହି ପାରୁନଥିଲେ ମଧ୍ୟ ତାକୁ ‌ଦେଖିଲେ ତାର କଷ୍ଟ ସ୍ପଷ୍ଟ ବାରି ହୋଇପଡୁଛି। ବାପା ମାଆ କନ୍ଧମାଳ ଜିଲ୍ଲାର କିଛି ଡାକ୍ତରଖାନାରେ ‌ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ଉପଚାର ମିଳି ପାରିନାହିଁ।

ବିଭିନ୍ନ ଡାକ୍ତରଖାନାରେ ଦେଖାଇବା ସହ ବହୁ ମଲମ ‌ଔ‌ଷଧ ଦେବା ପରେ କିଛି ଲାଭ ନମିଳିବାରୁ ଝିଅକୁ ନେଇ ମାଆ ପୁଷ୍ପା ବର୍ତ୍ତମାନ ବାପଘର ଡିହ କୁମ୍ପାପଲ୍ଲୀରେ ଗତ ୨ ବର୍ଷ ହେଲା ରହି ଆସୁଥିବା କହିଛନ୍ତି। ବାପା ଘର ଦୁର୍ଗମ ଅଞ୍ଚଳରେ ହୋଇଥିବାରୁ ବାରମ୍ବାର ଚିକିତ୍ସା ପାଇଁ ନେବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଛି। ଅନ୍ୟ ପକ୍ଷରେ ଅର୍ଥ ଅଭାବ ରହିଥିବାରୁ ଉପଯୁକ୍ତ ଚିକିତ୍ସା ମଧ୍ୟ କରି ନପାରିବାରୁ ତାହା ଦିନକୁ ଦିନ ବଢିବାରେ ଲାଗିଛି। ଦେହ ସାରା ଛଉ ଭଳି ଧଳା ‌ହେବାରେ ଲାଗିଛି। ଚମଡା ପତଳା ହେବା ସହ ଚମଡା ଭିତରର ରକ୍ତଦେଖା ‌ଯାଉଛି। ତାରାର ପେଟ, ଜଙ୍ଘ, ଦୁଇ ହାତ ଓ ମୁହଁ ସାରା ଚମଡା ଛାଡି ଘା’ ହୋଇ ଯାଇଥିବା ବେଳେ ଆବୁ ଭଳି ଫୁଲିବାକୁ ବସିଛି। ତେବେ କେଉଁ କାରଣରୁ ଏଭଳି ହେଉଛି ତାହା ପରିବାର ଲୋକ ଜାଣିନଥିବା ବେଳେ ଯେଉଁ ଡାକ୍ତର ଯାହା ପରାମର୍ଶ ଦେଉଛନ୍ତି ତାକୁ ବ୍ୟବହାର କରୁଛନ୍ତି। ଫୁଲବାଣୀ ମେଡିକାଲ୍‌ରେ କିଛିଦିନ ତଳେ ‌ଚିକିତ୍ସା କରାଇଥିବା ବେଳେ କିଛି ‌ଔଷଧ ଏବଂ ମଲମ ଦେବାସହ ‌ପୁଣି ଆସିବା ପାଇଁ ପରାମର୍ଶ କରିଥିବା ‌ବ‌େଳେ ଅର୍ଥ ଅଭାବାରୁ ଆଉ ଯାଇ ପାରିନଥିବା ପୁଷ୍ପା କହିଛନ୍ତି। ତେବେ ତାରାର ଯନ୍ତ୍ରଣା ଦିନକୁ ଦିନ ବଢୁଥିବା ବେଳେ ସରକାରୀ ସ୍ତରରେ ଉପଯୁକ୍ତ ଚିକିତ୍ସା କରିବା ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe