ସମ୍ବଲପୁରରେ ଶାନ୍ତିଶୃଙ୍ଖଳାର ସହ ଉଦ୍‌-ଉଲ୍‌-ଜୁହା ପାଳିତ

ସମ୍ବଲପୁରରେ ଶାନ୍ତିଶୃଙ୍ଖଳାର ସହ ଉଦ୍‌-ଉଲ୍‌-ଜୁହା ପାଳିତ

ସମ୍ବଲପୁର: ସଂସ୍କୃତିର ସହର ସମ୍ବଲପୁରରେ ଶ୍ରଦ୍ଧା, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌-ଉଲ୍‌-ଜୁହା (ବକ୍‌ରିଦ୍) ଗୁରୁବାର ଶାନ୍ତିଶୃଂଖଳାର ସହ ପାଳିତ ହୋଇଯାଇଛି। ସକାଳ ୬ଟାରୁ ବିଭିନ୍ନ ମସ୍‌ଜିଦ ଓ ଇଦଗାହରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ। ସାକ୍ଷୀପଡ଼ାସ୍ଥିତ ଇଦ୍‌ଗାହରେ ସକାଳ ସକାଳୁ ନମାଜ ପାଠ ହୋଇଥିଲା। ଶ୍ରଦ୍ଧାଳୁମାନେ ଶ୍ରଦ୍ଧାର ସହ ନମାଜ ପାଠ କରିଥିଲେ ବୋଲି ଇଦ୍‌ଗାହ ସଭାପତି ଜୁଲ୍‌ଫିକର୍‌ ଅଲୀ ଭୁଟ୍ଟୋ ସୂଚନା ଦେଇଛନ୍ତି। ନମାଜ ପରେ ଦେଶରେ ଶାନ୍ତି ଓ ଭାଇଚାରା ପାଇଁ ପ୍ରାର୍ଥନା କରା ଯାଇଥିଲା।

ଅନ୍ୟ ମସ୍‌ଜିଦ ଓ ଇଦ୍‌ଗାହ ଗୁଡ଼ିକରେ ଭିନ୍ନଭିନ୍ନ ସମୟରେ ନମାଜ ପାଠ ହୋଇଥିଲା। ପଲ୍‌ଟନ୍ ମସ୍‌ଜିଦ ପେନସନପଡ଼ା, ନୁରି ମସ୍‌ଜିଦ ମୋତିଝରନ୍‌, ରିସାଲା ମସଜିଦ ଭୁତାପଡ଼ା, ସଦର ମସଜିଦ ଦଲେଇପଡ଼ା, ଅହମ୍ମଦ ଖାନ ମସ୍‌ଜିଦ ଦଲେଇପଡ଼ା, ଗୋସିଆ ମସଜିଦ କ୍ଷେତିପଡ଼ା, ନୁରାନି ମସଜିଦ ସୁନାପାଲି, ରଜା ମସଜିଦ ରାଜାନଗର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ ଜାମା ମସ୍‌ଜିଦ୍‌, ବଡ଼ବଜାର ଇଦ୍‌ଗାହ ଆଦିରେ ଛୋଟ ପିଲାଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ସାହୂହିକ ନମାଜ ପାଠରେ ଭାଗ ନେଇଥିଲେ। ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ। ସାନ ମାନେ ବଡ଼ଙ୍କ ଆଶୀର୍ବାଦ ନେଇଥିଲେ। ଲୋକେ କବ୍ରିସ୍ତାନ ଯାଇ ନିଜ ଦିବଙ୍ଗତ ପ୍ରିୟ ପରିଜନଙ୍କ ପାଇଁ ପ୍ରାର୍ଥନା କରିଥିଲେ। ଏହାପରେ ଘରେଘରେ କୁର୍ବାନି ଦିଆ ଯାଇଥିଲା।

publive-image

ମୁସଲ୍‌ମାନ ଶ୍ରଦ୍ଧାଳୁ ମାନେ ନିଜ ପ୍ରିୟ ପୋଷା ଜୀବର ସମର୍ପଣ କରି କୁର୍ବାନିର ପର୍ବ ପାଳନ କରିଥିଲେ। ଘରେଘରୋ ସିମେଇ ସହ ବିଭିନ୍ନ ପ୍ରକାର ମିଷ୍ଟାନ୍ନ ପ୍ରସ୍ତୁତ ହୋଇଥିଲା। ଏହାଛଡ଼ା ପ୍ରତି ଘରେ ବିଭିନ୍ନ ପ୍ରକାର ଆମିଷ ବ୍ୟଞ୍ଜନର ମଜା ନେଇଥିଲେ ଶ୍ରଦ୍ଧାଳୁ। ବହୁ ଲୋକ ଭିକ୍ଷୁକମାନଙ୍କୁ ହାତଖୋଲା ଦାନ କରିଥିଲେ। ବିଗତ ଦିନର ପରିସ୍ଥିତିକୁ ଆଖି ଆଗରେ ରଖି ଚଳିତ ବର୍ଷ ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍ ମୁତୟନ ହୋଇଥିଲା। ସାମୂହିକ ନମାଜପାଠକୁ ଇଦ୍‌ଗାହ ଓ ମସ୍‌ଜିଦ ଭିତରେ ହିଁ ସୀମିତ ରଖା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe