ଝରିଗାଁ ବ୍ଳକରେ ବାଟବଣା ଉଜ୍ଜଳା ଯୋଜନା: ଗରିବ ହିତାଧିକାରୀଙ୍କୁ ଜଙ୍ଗଲ କାଠ ଭରସା

ଝରିଗାଁ ବ୍ଳକରେ ବାଟବଣା ଉଜ୍ଜଳା ଯୋଜନା: ଗରିବ ହିତାଧିକାରୀଙ୍କୁ ଜଙ୍ଗଲ କାଠ ଭରସା

ଝରିଗାଁ:ଗରିବ ସୀମାରେଖା ତଳେ ତଥା ଏସିସି ତାଲିକାରେ ଥିବା ପରିବାର‌ ଯେଭଳି ରୋଷେଇ ସମୟରେ ଧୂଆଁ ଦାଉରୁ ରକ୍ଷା ପାଇ‌‌ବେ ଏବଂ ସହଜରେ କମ ସମୟରେ ଖାଦ୍ୟ ପ୍ରସ୍ତୁତି ପାଇଁ କେନ୍ଦ୍ର ସରକାର ମାଗଣାରେ ଭର୍ତ୍ତି ଇନ୍ଧନ ଗ୍ୟାସ୍‌ ପ୍ରଦାନ କରୁଛନ୍ତି। କିନ୍ତୁ ହିତାଧିକାରୀମାନେ ଥରେ ଭର୍ତ୍ତି ଇନ୍ଧନ ଗ୍ୟାସ୍‌ ସିଲିଣ୍ଡର ଓ ବିଭିନ୍ନ ଉପକରଣ ମାଗଣାରେ ନେବା ପରେ ଗ୍ୟାସ୍‌ ଦର ଆକାଶଛୁଆଁ ହେବା ଯୋଗୁଁ ଆଉ ଥରେ ଗ୍ୟାସ୍‌ ଭର୍ତ୍ତି କରିବା ପାଇଁ ସମର୍ଥ ହୋଇପାରୁନାହାନ୍ତି। ତେଣୁ ବାଧ୍ୟ ହୋଇ ନିକଟରେ ଥିବା ଜଙ୍ଗଲରୁ କାଠ ସଂଗ୍ରହ କରି କିମ୍ବା ମକା ନଡ଼ା ବ୍ୟବହାର କରି ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଝରିଗାଁ ବ୍ଲକରେ ଏହି ଯୋଜନା ଗ୍ରାମାଞ୍ଚଳର ମହିଳା ମାନଙ୍କ ପାଇଁ ଅପହଞ୍ଚ ହୋଇଥିବା ଅଭିଯୋଗ ହେଉଛି।

ପ୍ରାୟ ହିତାଧିକାରୀ ପ୍ରଥମ ଥର ଗ୍ୟାସ୍‌ ନେବା ପରେ ଗ୍ୟାସ୍‌ ଦର ଅଧିକ ରହିଥିବାରୁ ଗ୍ୟାସ୍‌ ଭର୍ତ୍ତି ହାଣ୍ଡି ନେବା ପାଇଁ ସକ୍ଷମ ହୋଇ ପାରୁନାହାନ୍ତି। ଯେଉଁ ହିତାଧିକାରୀମାନେ ଗ୍ୟାସ୍‌ ବ୍ୟବହାର କରୁନାହାନ୍ତି ସେମାନଙ୍କ ଗ୍ୟାସ ସିଲିଣ୍ଡର ଧୂଳି ଧୂସର ହୋଇ ପଡ଼ିଥିବା ବେଳେ ଚୁଲାରେ କଳଙ୍କ ଲାଗି ଗଲାଣି। ପାଇପ୍‌ ଏବଂ ରେଗୁଲେଟର ମଧ୍ୟ ନଷ୍ଟ ହେବାରେ ଲାଗିଛି। ଝରିଗାଁ ବ୍ଲକର କିଛି ହିତାଧିକାରୀ ଅଳ୍ପ ଦରରେ ଗ୍ୟାସ୍‌ ହାଣ୍ଡି ସହ ଉପକରଣ ମଧ୍ୟ ବିକ୍ରି କରି ଦେଇଥିବା ଶୁଣିବାକୁ ମିଳୁଛି। ଅନ୍ୟପକ୍ଷେ ଗରିବ ହିତାଧିକାରୀମାନେ ଗ୍ୟାସ୍‌ ଦର ବୃଦ୍ଧି ଯୋଗୁଁ ଗ୍ୟାସ ଭର୍ତ୍ତି କରିନପାରି ନିକଟରେ ଥିବା ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ସେଥିରେ ରୋଷେଇ କରୁଛନ୍ତି।ସକାଳୁ ସକାଳୁ ଗ୍ରାମାଞ୍ଚଳର ମହିଳା ମାନେ ନିକଟସ୍ଥ ଜଙ୍ଗଲକୁ ଯାଇ ଅପରାହ୍ନରେ ଜାଳେଣି କାଠ ସଂଗ୍ରହ କରି ଘରକୁ ଫେରୁଛନ୍ତି।ସେହିପରି କିଛି ମହିଳା ମକା ନଡ଼ା ବ୍ୟବହାର କରି ରୋଷେଇ କରୁଥିବା ଦେଖିବାକୁ ମିଳିଛି। ମକା ଗଛରୁ ମକା ଭାଙ୍ଗିବା ପରେ ଯେଉଁ ଲମ୍ବା ନଡ଼ା ରହିଯାଏ ସେହି ନଡ଼ାକୁ ଲୋକେ ସଂଗ୍ରହ କରନ୍ତି।

ପରେ ସେହି ନଡ଼ା ଉପରେ ଗୋବର ଲେପ ଦେଇ ଶୁଖାଇ ଦିଅନ୍ତି। ଏହା ଶୁଖିଯିବା ପରେ ସେଥିରେ ରୋଷେଇ କରିଥାନ୍ତି। ଝରିଗାଁ ବ୍ଳକରେ ୯୦ ପ୍ରତିଶତ ଲୋକ ଗରିବ ସୀମାରେଖା ତଳେ ରହି ଏକ ଟଙ୍କିଆ ଚାଉଳ ନେଉଥିବା ବେଳେ ଗ୍ୟାସ ଭର୍ତ୍ତି କରିବା ପାଇଁ ଆର୍ଥିକ ଅଭାବ ଦେଖା ଦେଉଛି।ସେହିପରି ନିଜ ଗ୍ରାମରେ କାମଧନ୍ଦା ନପାଇ ରୋଜଗାର ମଧ୍ୟ କରି ପାରୁନାହାନ୍ତି।କମ ରୋଜଗାରରେ ପରିବାର ପୋଷଣ କରିବା କଷ୍ଟ ହେଉଥିବା ବେଳେ ଗ୍ୟାସ ଭର୍ତ୍ତି କରିବା ଏକ ପ୍ରକାର ସମ୍ଭବ ହୋଇପାରୁ ନାହିଁ।
ତେଣୁ ଏହି ଯୋଜନାର ସଫଳ ରୂପାୟନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ରିହାତି ଦେବା ପାଇଁ ଗରିବ ହିତାଧିକାରୀମାନେ ଅନୁରୋଧ କରିଛନ୍ତି। ନଚେତ୍‌ ଏହି ଯୋଜନା ଦ୍ବାରା ଗରିବ ହିତାଧିକାରୀ ଉପକୃତ ହୋଇପାରିବେନି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe