ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

Advertisment
ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ

ଗଁଦିଆ: ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ନହଡା ବିଆରଏଫ୍‌ ଅଧୀନ ଧନିଆନାଳି ଜଙ୍ଗଲ ମଧ୍ୟରେ ଆଜି ପ୍ରାତଃ ସମୟରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ହୋଇଛି। ବନବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ଜଙ୍ଗଲ ମଧ୍ୟରେ ଏକ ୭ବର୍ଷର ଦନ୍ତା ହାତୀ ଛୁଆ ଅସୁସ୍ଥ ଥିଲା।

ହାତୀର ଡାହାଣ ପଟ ପଛଗୋଡ଼ର ଖଞ୍ଜା ଭାଙ୍ଗି ଥିବାବେଳେ ଉକ୍ତ ଡାହାଣପଟ ଆଗ ଗୋଡରେ ଏକ ଘା’ ହୋଇଥିଲା, ଯାହା ଫଳରେ ଉକ୍ତ ହାତୀଟି ଚଳପ୍ରଚଳରେ ସମସ୍ୟା ସୃଷ୍ଟି ହେଉଥିଲା। ପ୍ରାୟ ୧୫ଦିନ ହେବ ଉକ୍ତ ହାତୀ ଅସୁସ୍ଥ ଥିବାର ବନବିଭାଗ ଖବର ପାଇଲା ପରେ ପ୍ରଥମେ ତାହାକୁ ଟ୍ରାଙ୍କୁଲାଇଜ ମାଧ୍ୟମରେ ଚିକିତ୍ସା ପାଇଁ ଚେଷ୍ଟା କରାଯାଇଥିଲା।

ଦନ୍ତା ହାତୀଟି ବନ କର୍ମଚାରୀ ମାନଙ୍କୁ ଧରା ନଦେଇ ଜଙ୍ଗଲରେ ଲୁଚି ରହୁଥିଲା । ଏଇ ୪ଦିନ ହେବ ତାର ଦେହ ଅଧିକ ଖରାପ ସ୍ଥିତି ହେବାରୁ ସେ ଚଲାବୁଲା କରିବାକୁ ସକ୍ଷମ ହୋଇନଥିଲା। ଏହାପରେ ବନବିଭାଗ ପକ୍ଷରୁ ଏହାର ଚିକିତ୍ସା ନିମନ୍ତେ ସାତକୋଶିଆରୁ ଏକ ବିଶେଷଜ୍ଞ ଦଳ ଓ ସେମାନଙ୍କ ସହିତ କୋଲକାତାରୁ ଏକ ବିଶେଷଜ୍ଞ ଦଳ ଏଠାକୁ ଆସି ଏହି ହାତୀର ଚିକିତ୍ସା ଆରମ୍ଭ କରିଥିଲେ। ଉକ୍ତ ହାତୀଟି ବନ ବିଭାଗ ସ୍କ୍ଵାର୍ଡ କର୍ମଚାରୀ ମାନେ ଟେଣ୍ଟ ପକାଇ ତାକୁ ଦିନ ରାତି ଜଗି ରହିଥିଲେ। ଆଜି ପ୍ରାତଃ ସମୟରେ ଉକ୍ତ ଅସୁସ୍ଥ ହାତୀର ମୃତ୍ୟୁ ହୋଇଥିଲା। ଖବର ପାଇଁ ଢେଙ୍କାନାଳ ଏସିସିଏଫ୍‌ ଓ ରଶ୍ମି ରଞ୍ଜନ ସ୍ୱାଇଁ ଷଡ଼ଙ୍ଗୀ ରେଞ୍ଜ ଅଧିକାରୀ ଚନ୍ଦ୍ରମଣି ପରିଡା, ବନପାଳ ପ୍ରମୁଖ ଉପସ୍ଥିତ ଥିଲେ।

ଘଟଣାସ୍ଥଳରେ ଗନ୍ଦିଆପ୍ରାଣୀଧନ ଚିକିତ୍ସକ କୃଷ୍ଣ ଚନ୍ଦ୍ର ମଲିକ ଓ କପିଳାସ ପ୍ରାଣୀଧନ ଚିକିତ୍ସାକ ଅସିତ ଚକ୍ରବର୍ତ୍ତୀ ମିଳିତ ଭାବରେ ଉକ୍ତ ଦନ୍ତାର ଶବ ବ୍ୟବଛେଦ କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ ଘଟଣା ଜଣାପଡିବ। ଉକ୍ତ ସ୍ଥାନରେ ଏକ ଗାତ ଖୋଲାଯାଇଛି। ମୃତଦେହକୁ ସେହି ଗାତରେ ପୋତି ଦିଆଯାଇଛି। ଦୁଇଗୋଟି ଛୋଟ ଦାନ୍ତ ଉଦ୍ଧାର କରାଯାଇ ଷଡ଼ଙ୍ଗୀ କାର୍ଯ୍ୟାଳୟରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe