ବାରିପଦା : କେନ୍ଦ୍ର ପଶୁପାଳନ, ଦୁଗ୍ଧ ଓ ମତ୍ସ୍ୟ ଏବଂ ମାଇକ୍ରୋ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଦିନିକିଆ ଜିଲ୍ଲା ଗସ୍ତରେ ଆସି କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି । ସ୍ଥାନୀୟ ପ୍ରୟାସ ସମ୍ମିଳନୀ କକ୍ଷରେ ଏନେଇ ଅନୁଷ୍ଠିତ ଏକ ଜିଲ୍ଲାସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସ୍ଥିତିର ସମୀକ୍ଷା କରିଥିଲେ। ଉକ୍ତ ବୈଠକରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଅତିରିକ୍ତ ଜିଲ୍ଲାପାଳ ରୁଦ୍ରନାରାୟଣ ମହାନ୍ତି ଓ ପ୍ରକାଶ ଚନ୍ଦ୍ର ବେହେରା, ପିଡି ଡିଆର୍ଡିଏ ଭବେଶ କୁମାର ନାୟକ, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗ ଓ ଅନ୍ୟାନ୍ୟ ବିଭାଗ ଅଧିକାରୀ ମାନେ ଯୋଗଦେଇଥିଲେ। ବୈଠକରେ କ୍ଲଷ୍ଟର ସ୍ତରୀୟ ଟିଏମ୍ସି ସ୍ଥାପନ, କୋଭିଡ କେୟାର କେନ୍ଦ୍ର / କୋଭିଡ ହସପିଟାଲ, ଆମ୍ବୁଲାନ୍ସ ସେବା, ଟୀକା କରଣ ବ୍ୟବସ୍ଥା ଆଦି ବିଭିନ୍ନ ଦିଗ ଉପରେ ବିଶଦ ଭାବେ ଆଲୋଚନା ସହିତ ଜନସାଧାରଣଙ୍କୁ ସର୍ତକ ସଚେତନତା ଦିଗରେ ବିହୀତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଜିଲ୍ଲାପାଳ ଜିଲ୍ଲାରେ କୋଭିଡ ଦ୍ୱିତୀୟ ଲହର ସଂକ୍ରମଣର ମୁକାବିଲା ପାଇଁ କ୍ଲଷ୍ଟର ସ୍ତରୀୟ ୪୮ ଟିଏମସି / ୫ଟି କୋଭିଡ କେୟାର କେନ୍ଦ୍ର / କୋଭିଡ ହସପିଟାଲ କାର୍ଯ୍ୟକ୍ଷମ କରାଯାଇ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମସ୍ତ ବ୍ଲକ ଅଂଚଳ ସିଏଚ୍ସି ସ୍ତରରେ ସତନ୍ତ୍ର ଟିମ୍ ଦ୍ୱାରରା କୋଭିଡ୍ ଲକ୍ଷଣ ବ୍ୟକ୍ତିଙ୍କର ସାମ୍ପୁଲ୍ ସଂଗ୍ରହ କରାଯାଇ ପିଆର୍ଏମରେ ଆରଟିପିସିଆର ପଦ୍ଧତିରେ ଦୈନିକ ୬ ଶହ ନମୁନା ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଥିବା ସୂଚନା ଦେଇଥିଲେ ଜିଲ୍ଲାପାଳ। କୋଭିଡ୍ ହସ୍ପିଟାଲ ଶଯ୍ୟା ବୃଦ୍ଧି କରାଯିବା ସହିତ ୪୦ ଆଇସିୟୁ ବେଡ୍, ୩୦ଟି ଭେଣ୍ଟିଲେଟର୍ ସୁବିଧା କରାଯାଇଛି। ଖୁବ୍ ଶୀଘ୍ର ପିଆର୍ଏମ୍ ମେଡିକାଲ୍ ହସପିଟାଲ୍ରେ ଅଧିକ ୩୦ ଆଇସିୟୁ ଶଯ୍ୟା ସଂଖ୍ୟା ପ୍ରସ୍ତୁତି ସହିତ ୮୧୫ ଅକ୍ସିଜେନ୍ ସିଲିଣ୍ଡର ଉପଯୋଗ ବ୍ୟବସ୍ଥା ହୋଇଥିବା ଜିଲ୍ଲାପାଳ ସୂଚାଇଥିଲେ । ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିତ୍ ପି. ପରମାର୍ ଯୋଗ ଦେଇ ଜିଲ୍ଲାର ବିଶେଷ କରି ସୀମାନ୍ତ ଅଂଚଳରେ ୫ଟି ମୁଖ୍ୟ ପ୍ରବେଶ ପଥ ଏବଂ ଅନ୍ୟାନ୍ୟ ୩୪ ଟି ବିଭିନ୍ନ ସ୍ଥାନରେ ବିଶେଷ କରି ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଉଥିବା ପ୍ରକାଶ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରୂପଭାନୁ ମିଶ୍ର କୋଭିଡ୍ ସ୍ୱାସ୍ଥ୍ୟ ଚିକିତ୍ସା ପରିଚାଳନା ଓ ଟୀକାକରଣ କାର୍ଯ୍ୟକ୍ରମ ସଂପର୍କରେ ସୂଚାଇଥିଲେ ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତ, ଜିଲ୍ଲାର କୋଭିଡ ପରିଚାଳନା ନେଇ ସମୀକ୍ଷା
Advertisment
Follow Us