ରଜରେ ଦେବଗଡ଼ରେ ଅନନ୍ୟ ପରମ୍ପରା

Advertisment
ରଜରେ ଦେବଗଡ଼ରେ ଅନନ୍ୟ ପରମ୍ପରା

ଦେବଗଡ଼: ରଜରେ ଦେବଗଡ଼ ଜିଲ୍ଲାରେ ଅନନ୍ୟ ପରମ୍ପରା ଦେଖିବାକୁ ମିଳୁଥିବା ବେଳେ କେଉଁଠି ରଜରେ ଦୋଳି ଖେଳ ତ କେଉଁଠି କଣ୍ଢେଇ ବାହାଘର। ଗାଁ ଗଣ୍ଡାରେ ରଜ ମଉଜର ମାହୋଲ। ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ମାଝିପାଲି ଆମ୍ୱତୋଟାର ୪ଟି ପଞ୍ଚାୟତବାସୀ ଏକାଠି ହୋଇ ପାଳନ କରନ୍ତି ରଜପର୍ବ। ସାମୂହିକ ଦୋଳି ଖେଳ ସହ ହୁଏ ସତସତିକା ବାହାଘର ପରି କଣ୍ଢେଇ ବାହାଘର। ସେହିପରି ବାରକୋଟ ବ୍ଲକ୍‌ ଅନ୍ତର୍ଗତ ଟୁସୁଳା ଓ ଠିଆନାଳ ଗ୍ରାମରେ ମଧ୍ୟ କଣ୍ଢେଇ ବାହାଘର କରାଯାଇଥିଲା। ଚଳିତ ବର୍ଷ ବେଶ ଆନନ୍ଦ ଓ ଉତ୍ସାହ ସହିତ ରଜପର୍ବକୁ ପାଳନ କରିଥିଲେ ଅଞ୍ଚଳବାସୀ।

ଜିଲ୍ଲାର ତିଳେଇବଣି ବ୍ଲକ ଅନ୍ତର୍ଗତ ମାଝିପାଲି ଗ୍ରାମର ଆମ୍ୱତୋଟାରେ ଦୀର୍ଘ ବର୍ଷ ହେଲା ଜୟ ମା’ ଦୁର୍ଗା ମହିଳା ସମିତି ଓ ଚଂଘାଲିଙ୍ଘା ଯୁବକ ସଂଘ ପକ୍ଷରୁ ଆୟୋଜିତ ହୋଇଆସୁଛି। ରଜରେ ଅନ୍ୟନ୍ୟ ପରମ୍ପରା କଣ୍ଢେଇ ବାହାଘର ଓ ସାମୂହିକ ଦୋଳି ଖେଳ। ମାଝିପାଲି ଆମ୍ୱତୋଟାରେ ୧୩ଟି ଦୋଳି ନିର୍ମାଣ କରାଯାଇଥିଲା। ଢୋଲପଡା ସମିତି ସଭ୍ୟା କୁମୁଦିନୀ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟ ଅତିଥି, କଂସର ଏକଲବ୍ୟ ପଂଚାୟତ ସମିତି କଲେଜର ଅଧ୍ୟକ୍ଷା ଡ. ବିନିତା ମହାପାତ୍ର ମୁଖ୍ୟବକ୍ତା, ତିଲେଇବଣି ବ୍ଲକ୍‌ ଉପାଧ୍ୟକ୍ଷା ଆରତୀ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଯୋଗେଶ ପ୍ରଧାନ, ସମାଜସେବୀ ପୁରୁଷୋତ୍ତମ ସାହୁ ଓ ଶିକ୍ଷକ ସୌଭାଗ୍ୟ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଏହି ଦୋଳିଖେଳରେ ତିଲେଇବଣି ବ୍ଲକ୍‌ର ଢୋଲପଡ଼ା, କେନ୍ଦେଇଜୁରୀ, କଂସର, ଦୁଧିଆନାଳୀ ପଂଚାୟତର ଗ୍ରାମବାସୀମାନେ ଭାଗ ‌ନେଇଥିଲେ। ଏହାପରେ କଣ୍ଢେଇ ବାହାଘର ହୋଇଥିଲା। ଏହି ବାହାଘର ନିମନ୍ତେ ଚଳିତ ବର୍ଷ ବରପିତା ଭାବେ ସନ୍ତୋଷ ପ୍ରଧାନ ଓ କନ୍ୟାପିତା ଭାବେ ସନ୍ତୋଷ ଦାଶ କାର୍ଯ୍ୟ ସଂପାଦନ କରିଥିଲେ। ତେବେ ପୂର୍ବରୁ ବରପକ୍ଷ ମାଝିପାଲି ଆମ୍ୱତୋଟାରେ ଥିବା ବେଳେ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ବାଣଫୁଟାଇ କନ୍ୟାପିତାଙ୍କ ଘର ଗଣେଶପାଲି ଗ୍ରାମକୁ ଯାଇ ସେଠାରୁ କନ୍ୟାକୁ ଧରି ଶୋଭାଯାତ୍ରାରେ ପୁଣି ମାଝିପାଲି ଆମ୍ୱତୋଟାକୁ ଫେରିଥିଲେ। ସେଠାରେ ବୈଦିକ ରୀତିରେ ସତସତିକା ବାହାଘର ପରି ବେଦ ମନ୍ତ୍ର ଧ୍ୱନୀରେ କଣ୍ଢେଇବାହାଘର କରିଥିଲେ। ତେବେ ବାହାଘର ପରେ ସେହି ଆମ୍ୱତୋଟାରେ ରାତି ତମାମ ଭୋଜିଭାତର ଆସର ଜମିବା ସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସେହିପରି ଜିଲ୍ଲାର ଠିଆନାଳ ଗ୍ରାମରେ କଣ୍ଢେଇ ବାହାଘର ସହ ସାମୂହିକ ଦୋଳି ଖେଳ ଅନୁଷ୍ଠିତ ହୋଇଥିଲା।

publive-image

ତେବେ ଚଳିତ ବର୍ଷ ବରପିତା ଭାବେ ପ୍ରସନ୍ନ ସାହୁ ଓ କନ୍ୟାପିତା ଭାବେ ଲୋକନାଥ ସାହୁ କାର୍ଯ୍ୟ ସଂପାଦନ କରିଥିଲେ। ଏହାପରେ ପୁଅ ଘରୁ ବରଯାତ୍ରୀ ବାହାରି ନଗର ପରିକ୍ରମା କରିବା ପରେ ଗ୍ରାମର ଥିବା ଉପରସାହି ମଣ୍ଡପରେ ବିବାହ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସୋନାଲୀ ସାହୁ, ଚେମଣୀ ସାହୁ, ସୁବାସିନୀ ଧିବର, ରୂପାଲି ବେହେରା, ପାୟଲ ନାୟକ, ପ୍ରୀତି ବାଘ, ଡଲି ସାହୁ, ଶ୍ରୀୟା ରାଉତ, ଲିସା ସାହୁଙ୍କ ସମେତ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ବାରକୋଟ ବ୍ଲକ୍‌ର ଟୁସୁଳା ଗ୍ରାମରେ ମଧ୍ୟ ରଜ ଅବସରରେ କଣ୍ଢେଇ ବ‌ାହାଘର କମିଟି ପକ୍ଷରୁ କଣ୍ଢେଇ ବ‌ାହାଘର ଅନୁଷ୍ଠିତ ହୋଇଥିଲା। ବରପିତା ଭାବେ ଟୁସୁଳା ଗ୍ରାମର ତଳସାହି ନିବାସୀ ଉମାକାନ୍ତ ନାୟକ ଓ କନ୍ୟାପିତା ଭାବେ ଉପର ସାହିର ଇନ୍ଦ୍ରମଣି ନାୟକ କାର୍ଯ୍ୟ ସଂପାଦନ କରିଥିଲେ। ଏହାପରେ ପୁଅ ଘରୁ ବରଯାତ୍ରୀ ବାହାରି ନଗର ପରିକ୍ରମା କରିବା ପରେ ଗ୍ରାମର ଥିବା ମଣ୍ଡପରେ ବିବାହ ହୋଇଥିଲା। ଏହା ସହିତ ବିଭିନ୍ନ ସ୍ଥାନରେ ଆଜି ରଜ ପାନର ମଧ୍ୟ ଆସର ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe