Sambad
ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କୁମାରଟଙ୍କା ଗାଁର ଜଗନ୍ନାଥ ମନ୍ଦିରରେ ଭାଉଜ ମଥାରେ ସିନ୍ଦୂର ଦେଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦିଅର। ଭାଉଜ ସହିତ ଦିଅରର ବାହାଘର କଥା ଟିକେ ଅଡୁଆ ଲାଗୁଥିଲେ ବି ନିରାଟ ସତ। ଏ ଘଟଣା କୌଣସି ବିଶୃଙ୍ଖଳିତ କି ଅସଙ୍ଗତ ଘଟଣା ନୁହେଁ ବରଂ ଏହି ଘଟଣା ପଛରେ ରହିଛି ଏକ ମହତ ଉଦ୍ଦେଶ୍ୟ ଓ ମହାମାନବିକତା। ଗତ ୬ ବର୍ଷ ତଳେ କୁମ୍ଭାରଟଙ୍କା ଗାଁର ପୁରୁଷୋତ୍ତମ ସେଠୀଙ୍କ ବଡ଼ପୁଅ ସୁନୀଲଙ୍କ ସହିତ ସେହି ଗାଁର କାଜଲ ସେଠୀଙ୍କର ପ୍ରେମବିବାହ ହୋଇଥିଲା। ଗତ ଦେଢ଼ବର୍ଷ ତଳେ ସୁନୀଲ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ମାତ୍ର ୨୬ ବର୍ଷ ବୟସ୍କା ସ୍ତ୍ରୀ କାଜଲ ବିଧବା ହେବା ସହ ତାଙ୍କର ୩ଟି ଛୋଟଛୋଟ ପିଲା ବାପ ଛେଉଣ୍ଡ ହୋଇଗଲେ। କାଜଲ କେବଳ ବେସାହାରା ହୋଇପଡିଲେ ନାହିଁ ଅଳ୍ପ ବୟସରେ ତାଙ୍କର ବିଧବା ହେବାର ଦୁଃଖ ଶାଶୁ ଶାନ୍ତିଲତା ଓଶ୍ବଶୁର ପୁରୁଷୋତ୍ତମଙ୍କୁ ଗଭୀର ଭାବରେ ମର୍ମାହତ କଲା। ଶେଷରେ ଦରିଆପାରିରେ ରହୁଥିବା ସାନପୁଅ ଅନୀଲ ଘରକୁ ଆସିବା ପରେ ବାପା ମା ଭାଉଜ ସହ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ବାପମାଙ୍କ କଥାରେ ଅନୀଲ ରାଜି ହୋଇଯାଇଥିଲେ।
ଏହାପରେ ଶାଶୁ-ଶ୍ବଶୁରଙ୍କ ପ୍ରସ୍ତାବରେ କାଜଲ ମଧ୍ୟ ସହମତ ହୋଇଥିଲେ। ତା'ପରେ ଏସମ୍ପର୍କରେ ପରିବାର ଲୋକେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ପୁରୁଷୋତ୍ତମ। ଗ୍ରାମବାସୀ ମାନେ ଏଭଳି ପ୍ରସ୍ତାବକୁ ମିଳିତ ଭାବରେ ସ୍ବିକୃତି ଦେଇ ସ୍ବାଗତ କରିଥିଲେ। ଶେଷରେ ପରିବାର ଲୋକ, ଗ୍ରାମବାସୀ, ବନ୍ଧୁ-କୁଟୁମ୍ବ ସଭିଏ ମିଳିମିଶି ଆଜି ଗାଁର ଜଗନ୍ନାଥ ମନ୍ଦିରରେ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ବନ୍ଧୁ ପରିଜନ ଗ୍ରାମବାସୀଙ୍କ ଉପସ୍ଥିତରେ ଭାଉଜ ମଥାରେ ସିନ୍ଦୂର ଦେଇ ନିଜର ପତ୍ନୀ ଭାବେ ଗ୍ରହଣ କରିଛନ୍ତି ଦିଅର। ଗାଁ ଜଗନ୍ନାଥ ମନ୍ଦିରରେ ଆଡମ୍ବର ସହକାରେ ଆଜି ଭାଉଜ କାଜଲ ସହିତ ଦିଅର ଅନୀଲର ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଭୋଜିଭାତ ମହୋତ୍ସବରେ ଆଜି ସମସ୍ତେ ଏହି ବିବାହ ଉତ୍ସବରେ ସାମିଲ ହୋଇଥିଲେ। ଦିଅର ଅନୀଲଙ୍କର ଏଭଳି ମହାନତା ପାଇଁ ସାରା ଗାଁ ଏବେ ପ୍ରଶଂସାରେ ଶତମୁଖ ହୋଇ ପଡିଛି। ଅନୀଲ ଓ କାଜଲ ବିବାହ ବନ୍ଧନରେ ଆବଦ୍ଧ ହୋଇ ସମାଜକୁ ଏକ ନୂଆବାର୍ତ୍ତା ଦେଇଥିବା ବେଳେ ସମୁଦାୟ ଆଳି ଅଞ୍ଚଳରେ ଏହି ନିଆରା ବିବାହ ପର୍ବକୁ ନେଇ ଚର୍ଚ୍ଚା ଲାଗି ରହିଛି।
Follow Us