ନଗଡ଼ା ଜୁଆଙ୍ଗଙ୍କ ଅସ୍ବାଭାବିକ ମୃତ୍ୟୁ

ନଗଡ଼ା ଜୁଆଙ୍ଗଙ୍କ ଅସ୍ବାଭାବିକ ମୃତ୍ୟୁ

କାଳିଆପାଣି/ଦାନଗଦୀ: କାଳିଆପାଣି ଥାନା ଗୁହିଆଶାଳ ମୌଜା ତଳଡିହ ଜୁଆଙ୍ଗ ବସ୍ତିର ଗୁରୁ ପ୍ରଧାନ (୭୫)ଙ୍କର ଗତକାଲି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ମୃତ୍ୟୁ ହୋଇଛି। ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତର କରାଯାଉଥିଲା। ବାଟରେ ଅବସ୍ଥା ଗୁରୁତର ହେବା ଦେଖି ଫାର୍ମାସିଷ୍ଟ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂକ୍ରାନ୍ତରେ ଡାକ୍ତର ସାଇ ଶଙ୍କର ଜେନା କାଳିଆପାଣି ଥାନାକୁ ଲିଖିତ ସୂଚନା ଦେଇଥିଲେ। ଏକ ଅପମୃତ୍ୟୁ ମାମଲା ୫/୨୪ ରୁଜୁ ହୋଇ ତଦନ୍ତ ଜାରିରହିଥିବା କହନ୍ତି ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ।
ଦାନଗଦୀ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପୁଅ ଅମିନ ପ୍ରଧାନଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଆଜି ସନ୍ଧ୍ୟାରେ ତଳଡିହ ବସ୍ତିରେ ଗୁରୁ ପ୍ରଧାନଙ୍କ ‌ଶେଷକୃତ୍ୟ ସଂପନ୍ନ ହୋଇଛି। ଗୁରୁ ପ୍ରଧାନଙ୍କୁ ୩ ରୁ ୪ ଦିନ ତଳେ ଜର ହୋଇଥିବା କହନ୍ତି ଆଶାକର୍ମୀ ଜୟନ୍ତୀ ମହାନ୍ତ। ଗତକାଲି ୨ ପୁଅ ଓ ଗ୍ରାମବାସୀ ତାଙ୍କୁ ଗାଁରୁ ପାଖାପାଖି ୩ କିଲୋମିଟର ଭାରରେ ବୋହି ନାଲିଆଡାବରେ ପହଞ୍ଚାଇଥିଲେ। ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ଗୁରୁ କଫ ଓ କାଶ ରୋଗରେ ଆକ୍ରାନ୍ତ ଥିବା ଏବଂ ନିମୋନିଆ ଲକ୍ଷଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସଂଧ୍ୟାରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିଲା ବୋଲି ବୋଲି ସୁକିନ୍ଦା ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ କହନ୍ତି। ରଇବାରୀ ଓ ସ୍ବର୍ଗତ ଗୁରୁ ପ୍ରଧାନ ଅନ୍ତ୍ୟୋଦୟ ଯୋଜନାରେ ସାମିଲ ଥିବା ସହ ତାଙ୍କ ପରିବାର ନିୟମିତ ଚାଉଳ ଗ୍ରହଣ କରୁଥିବା କହନ୍ତି ସରପଞ୍ଚ ଅଞ୍ଜଳି ଦେହୁରୀ ଓ ଯୋଗାଣ ନିରୀକ୍ଷକ ଦେବାଶିଷ କର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe