ଅଣପଞ୍ଜିକୃତ ଉଠାଦୋକାନୀ କରୋନା ସହାୟତାରୁ ବଞ୍ଚିତ, ପ୍ରଶାସନ କହିଲା ଲକ୍ ଡାଉନ ଉଠିବା ପରେ ବିଚାର କରାଯିବ

Advertisment
ଅଣପଞ୍ଜିକୃତ ଉଠାଦୋକାନୀ କରୋନା ସହାୟତାରୁ ବଞ୍ଚିତ, ପ୍ରଶାସନ କହିଲା ଲକ୍ ଡାଉନ ଉଠିବା ପରେ ବିଚାର କରାଯିବ

ଫୁଲବାଣୀ: କରୋନା ପାଇଁ କନ୍ଧମାଳ ଜିଲ୍ଲାର ଫୁଲବାଣୀ,ବାଲିଗୁଡା ଓ ଜି.ଉଦୟଗିରି ସହରାଞ୍ଚଳରେ ପଞ୍ଜିକୃତ ୪୪୧ ଜଣ ଉଠାଦୋକାନୀଙ୍କୁ ୩ହଜାର ଟଙ୍କା ଲେଖାଏଁ ସହାୟତା ଦିଆଗଲା। ହେଲେ ଶତାଧିକ ଅଣପଞ୍ଜିକୃତ ଉଠାଦୋକାନୀ ଏଥିରୁ ବଞ୍ଚିତ ହେଲେ। ୩ ସପ୍ତାହ ହେଲା କରୋନା ଲକ୍ ଡାଉନ ପାଇଁ ଦୋକାନ ବଜାର ଓ ହାଟ ବନ୍ଦ ରହିଛି। ବେପାରବଟା ହେଉ ନଥିବାରୁ ଅଣପଞ୍ଜିକୃତ ଉଠା‌ଦୋକାନୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାହାର ରାସନ କାର୍ଡ ନାହିଁ। ଏମାନେ କିଏ ପ୍ଲାଷ୍ଟିକ ତ ଆଉ କିଲ ରେଡିମେଡ ‌କରିଥାନ୍ତି। ଅଧିକାଂଶ ଦିନ ବଜାରରେ ବେପାର କରି ଆସୁଥିବା ବେଳେ ମଝିରେ ମଝିରେ ଜିଲ୍ଲାର ବିଭିନ୍ନ ସାପ୍ତାହିକ ହାଟକୁ ଯାଇ ବିକ୍ରିବଟା କରିଥାନ୍ତି। ସେମାନେ ନିୟମିତ ମାହାସୁଲ ଦେଇ ଆସୁଛନ୍ତି। ସେମାନଙ୍କ ନାମ ପଞ୍ଜିକରଣ ପାଇଁ ବହୁବାର କହି ଆସୁଛନ୍ତି। ହେଲେ କେହି ଶୁଣୁ ନଥିଲେ।

ନାମ ପଞ୍ଜିକୃତ ହୋଇ ନଥିବାରୁ କରୋନା ସହାୟତାରୁ ବଞ୍ଚିତ ଉଠାଦୋକାନୀ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି। ଅର୍ଥ ଅଭାବରୁ ବଡ ଦୁଃଖରେ ପରିବାର ଚଳାଉଥିବା କଥା କହି ଆସୁଛନ୍ତି। ହେଲେ ଜିଲ୍ଲା ପ୍ରଶାସନ ପୌର ପରିଷଦକୁ ପଠାଉଛି। ପୁଣି ପୌର ପରିଷଦ ଜିଲ୍ଲା ପ୍ରଶାସନ ନିକଟକୁ ପଠାଇ ଦେଉଛି। ଏ ନେଇ ଆଜି ଫୁଲବାଣୀର ଅଣପଞ୍ଜିକୃତ ୪୦ରୁ ଉର୍ଦ୍ଧ୍ବ ଉଠାଦୋକାନୀ ସାରଙ୍ଗଧର ସାହୁ,ତ୍ରିଲୋଚନ ଡାକୁଆ,ଅଭିମନ୍ୟୁ ସାହୁ,ସନ୍ତୋଷ ନାୟକ,ଦୀପକ ସାହୁ ପ୍ରମୁଖଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନକୁ ଗୁହାରି ଜଣାଇବାକୁ ଯାଇଥିଲେ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶମତେ ଏମାନେ ସମସ୍ତେ ପୌର ପରିଷଦକୁ ଆସିଥିଲେ। ଅଣପଞ୍ଜିକୃତ ଉଠାଦୋକାନୀଙ୍କୁ ସହାୟତା ଦେବା ନିମନ୍ତେ ନିୟମ ନାହିଁ। ଯାହା ହେବ ଲକ୍ ଡାଉନ ଉଠିବା ପରେ ବୋଲି ଆଶ୍ବସନା ଦେଇଥିବା ସେମାନେ କହିଛନ୍ତି। ବେପାର ବନ୍ଦ ହୋଇ ଯାଇଥିବାରୁ ବଡ ଦୁଃଖରେ ଦିନ କାଟୁ୍‌ଥିବା ଅଣପଞ୍ଜିକୃତ ଉଠାଦୋକାନୀଙ୍କୁ କରୋନା ସହାୟତା ଦେବାକୁ ସବୁ ବିଭିନ୍ନ ମହଲରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe