World Wildlife Fund
ଲେଫ୍ରିପଡା :ଲେଫ୍ରିପଡା ବନାଞ୍ଚଳ ଅନ୍ତର୍ଗତ ଉଷାକୋଠି ଜଙ୍ଗଲରେ ବାଘ ବୁଲୁଥିବା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ପ୍ରାପ୍ତ ସୂଚନା ମୁତାବକ, ଉଷାକୋଠି ନିକଟସ୍ଥ ଆମଟପାନି ଗ୍ରାମ ଖାଲପଡାର ହାରୁନ୍ କେର୍କେଟାଙ୍କ ଦୁଇଟି ଗୋରୁ (ବଳଦ)କୁ ଗତ କାଲି ବିଳମ୍ବିତ ରାତ୍ରିରେ କୁଆଡେ ବାଘ ଆକ୍ରମଣ କରିଥିବା ବେଳେ ଗୋଟାଏ ଗୋରୁର ମୁଣ୍ଡ ଛିଣ୍ଡାଇ ନେଇଥିବା ଜଣାପଡିଛି। ଅନ୍ୟ ଗୋରୁକୁ କାମୁଡି ଓ ରମ୍ପାରମ୍ପି କରି ଗୁରୁତର ଆହତ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଘଟଣା ସଂପର୍କରେ ଗୋରୁ ମାଲିକ ଆଜି ଲେଫ୍ରିପଡା ବନାଞ୍ଚଳ କାର୍ଯ୍ୟାଳୟରେ ସୂଚନା ଦେବା ପରେ ବନ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ଅନୁସନ୍ଧାନ କରୁଥିବା ପ୍ରକାଶ। ରେଞ୍ଜର ସୁଶାନ୍ତ ପ୍ରଧାନଙ୍କୁ ଯୋଗାଯୋଗ କରାଯିବାରୁ ଅଭିଯୋଗ ଆସିଛି ଏବଂ ଅନୁସନ୍ଧାନ ଜାରି ରହିଥିବା ବେଳେ ବାଘ ନା ଅନ୍ୟ କୌଣସି ଜନ୍ତୁ ଗୋରୁଙ୍କୁ ଆକ୍ରମଣ କରିଛି , ତାହା ସ୍ପଷ୍ଟ ଜଣା ପଡିନାହିଁ ବୋଲି ପ୍ରକାଶ କରିଛନ୍ତି। ତେବେ ଏହା ଛତିଶଗଡ ଏବଂ ହେମଗିରି ସୀମାନ୍ତ ହୋଇଥିବା ବେଳେ ଏହି ଜଙ୍ଗଲରେ ବାଘର ଉପସ୍ଥିତିକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ। ଗ୍ରାମବାସୀମାନେ ବାଘ ଆକ୍ରମଣର ସ୍ପଷ୍ଟ ଚିହ୍ନ ଜଣାପଡୁଥିବା ବିଷୟ କହୁଥିବାରୁ ବନ ବିଭାଗ ଏ ଦିଗରେ ଗୁରୁତ୍ବ ଦେଇ ବିହୀତ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି।
Follow Us