ଅଦିନିଆ ବର୍ଷା ଓ ପବନ ଯୋଗୁଁ ପରିବା ଚାଷ ନଷ୍ଟ: ପରିବା ଦର ଆକାଶ ଛୁଆଁ

Advertisment
ଅଦିନିଆ ବର୍ଷା ଓ ପବନ ଯୋଗୁଁ ପରିବା ଚାଷ ନଷ୍ଟ: ପରିବା ଦର ଆକାଶ ଛୁଆଁ

ରାଇରଙ୍ଗପୁର: ଗୋଟିଏ ପଟେ ଡିଜେଲ,ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଦର ହୁ ହୁ ହୋଇ ବୃଦ୍ଧି ପାଉଥିବା ଯୋଗୁଁ ଲୋକେ ଚିନ୍ତାରେ ଥିବାବେଳେ ବର୍ତ୍ତମାନ ପନିପରିବାର ଆକାଶ ଛୁଆଁ ଦର ବୃଦ୍ଧି ଖାଉଟିଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି। ତେବେ ଅଦିନିଆ ବର୍ଷା ଓ ପବନ ଯୋଗୁଁ ପରିବା ଚାଷ ଅଧିକ ନଷ୍ଟ ହୋଇଥିବାରୁ ଚାଷୀ ମଧ୍ୟ ଚିନ୍ତାରେ ପଡିଯାଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ପରିବାର ମହଙ୍ଗା ମାଡ଼ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ସୁସ୍ୱାଦୁ ଦେଶୀ ତଟକା ଖାଦ୍ୟ ନିମନ୍ତେ ଜିଲ୍ଲାରେ ରାଇରଙ୍ଗପୁର ଅଞ୍ଚଳର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ବର୍ତ୍ତମାନ ବଜାରରେ ବିକ୍ରୟ ହୋଉଥିବା ପନିପରିବାର ଆକାଶ ଛୁଆଁ ଦରକୁ ଲୋକେମାନେ ସହଜରେ ହଜମ କରି ପାରୁନାହାନ୍ତି।ପନିପରିବାର ଏହି ଆକାଶ ଛୁଆଁ ଦରବୃଦ୍ଧି ଯୋଗୁ ଗରିବ ଖଟିଖିଆ ଓ ମଧ୍ୟବିତ୍ତ ପରିବାର ବେଶ ପ୍ରଭାବିତ ହେଉଛନ୍ତି। ବର୍ତ୍ତମାନର ସମୟରେ ଆମିଷ ଖାଦ୍ୟର ଚାହିଦା କମିଥିବା ବେଳେ ପନିପରିବା ଦର ଖାଉଟିମାନଙ୍କ ପକେଟକୁ ବେଶ ବାଧୁଛି।

ସାପ୍ତାହିକ ହାଟ ଉପରେ ଯଦି ନଜର ପକାଯାଏ ସମସ୍ତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯଥା ବାଇଗଣ କେଜିକୁ ୪୦ ,ବିଲାତି ୩୦ ,କ୍ୟାପ୍ସିକମ ୧୪୦ ,ଫୁଲକୋବି ୨୦,ବନ୍ଧା କୋବି ୨୦, ଝୁଡ଼ଙ୍ଗ ୮୦ ,ଭେଣ୍ଡି ୮୦ ,ପୋଟଳ ୮୦ ,କୁନ୍ଦୁରି ୪୦ ,ଗାଜର ୮୦, ମଟର ଛୁଇଁ ୮୦, କୁନ୍ଦୁରୀ ୬୦, କାକୁଡି ୪୦, କନ୍ଦମୂଳ ୮୦, ଆଳୁ ୨୦, ପିଆଜ ୨୦, ରସୁଣ ୮୦, ଅଦା ୮୦, କଖାରୁ ୪୦, ଲାଉ ୩୦, ଖମ୍ବଆଳୁ ୫୦, ବିଟ ୮୦, ସଜନା ଛୁଇଁ ୬୦, କାଙ୍କଡ ୮୦, ଜହ୍ନି ୧୨୦ ଟଙ୍କା ମୂଲ୍ୟରେ ବିକ୍ରି ହେବାର ଜଣାପଡିଛି। ଏହି ମହଙ୍ଗା ମାଡ଼ ଯୋଗୁ ଗ୍ରାହକମାନେ ପରିବା ହାଟ ଯିବାକୁ ଭୟ କରୁଛନ୍ତି। କେବଳ ସେତିକି ନୁହେଁ ଆଗରୁ ୨ ଶହ ଟଙ୍କାରେ ପରିବା କିଣି ବ୍ୟାଗ ଭରି ଯାଉଥିବାବେଳେ ଏବେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ ଭରୁନାହିଁ ବୋଲି ଗ୍ରାହକମାନେ କହିଛନ୍ତି। ଫଳରେ ଦୈନିକ ପରିବା ଓ ସାପ୍ତାହିକ ହାଟରେ ଗ୍ରାହକଙ୍କ ଭିଡ କ୍ରମଶଃ କମିବାକୁ ଲାଗିଲାଣି।

ମହଙ୍ଗା ମାଡ଼ ଯୋଗୁଁ ଖୁଚୁରା ପରିବା ବେପାରୀ ମଧ୍ୟ ବହୁ କ୍ଷତି ସହୁଛନ୍ତି। ଏହି ଚଢା ଦର ସମ୍ପର୍କରେ ଆମେ କିଛି ପରିବା ବେପାରୀଙ୍କୁ ପଚାରିବୁଝିବାରୁ ସେମାନେ କହିବା ମୁତାବକ ଏହି ଅଞ୍ଚଳରେ ପରିବା ଚାଷ କମ ପରିମାଣରେ ହେଉଛି । ଯାହାର ପରିଣାମ ସ୍ୱରୂପ ପରିବା ଉତ୍ପାଦନରେ ସଙ୍କଟ ଉପୁଜିଛି। ତେବେ ଆଗାମୀ ଦିନରେ ଉତ୍ପାଦନ ଅଧିକ ହେବାକୁ ଥିବାବେଳେ ପରିବା ଦର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ ବୋଲି ବେପାରୀମାନେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe