ଜୟପୁର: ଭିଜିଲାନ୍ସ ଜାଲରେ ସୁନାବେଡ଼ା ପୌରପାଳିକାର ସହକାରୀ ଯନ୍ତ୍ରୀ ମନୋଜ ପାତ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରିଛି ଜୟପୁର ଭିଜିଲାନ୍ସ ଟିମ୍। ଜଣେ ଅତିରିକ୍ତ ଏସପି, ଜଣ ଡିଏସପି, ୯ଜଣ ଇନିସପେକ୍ଟର ୬ଟି ସ୍ଥାନରେ ଚଢ଼ଉ କରିଥିବା କହିଛନ୍ତି ଜୟପୁର ଏସପି ବନମାଳୀ ଧଳ। ପ୍ରାୟ ୨କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିବା ବେଳେ ଭୁବନେଶ୍ବର ପୋଖରୀପୁଟରେ ଥିବା ଇଣ୍ଡିଆନ୍ ବ୍ୟାଙ୍କ ଲକର ଖୋଲିଲେ ଆହୁରି କିଛି ମିଳିବା ସମ୍ଭାବନା ରହିଛି ବୋଲି ଏସପି ସୂଚନା ଦେଇଛନ୍ତି। ତେବେ ତଦନ୍ତ ଜାରି ରହିଥିବାରୁ ଏହି ସମ୍ପତ୍ତି ଅଧିକା ହେବ ବୋଲି କହିଛନ୍ତି ଏସପି। ଆଜି ସକାଳୁ ସହକାରୀ ଯନ୍ତ୍ରୀଙ୍କ ସୁନାବେଡ଼ାସ୍ଥ ଘର, କାର୍ଯ୍ୟାଳୟ ଓ କ୍ବାଟରରେ ତିନୋଟି ଟିମ୍ , ଭୁବନେଶ୍ବର ପୋଖରୀପୁଟରେ ଥିବା କନିକା ଆପାର୍ଟମେଣ୍ଟସ୍ଥ ଘର, ବ୍ରହ୍ମପୁରସ୍ଥିତ ଶ୍ବଶୁରଙ୍କ ଘର ସହ ପାରଲାଖେମୁଣ୍ଡିରେ ଥିବା ନିଜ ଘର ଉପରେ ଚଢ଼ଉ କରିଥିଲା ପୃଥକ ପୃଥକ ୬ଟି ଟିମ୍।
Sambad୮୦ଲକ୍ଷର ଭୁବନେଶ୍ବରସ୍ଥିତ ପୋଖରୀପୁଟ କନିକା ଆପାର୍ଟମେଣ୍ଟର ଘର ବୋଲି ଭିଜିଲାନ୍ସ ସହ ଯାଇଥିବା ବୈଷୟିକ ଟିମ୍ ଆକଳନ କରିଛି। ସେଭଳି ବ୍ରହ୍ମପୁରରେ ଥିବା ଘର ୫୦ ଲକ୍ଷ ୫୭ ହଜାର ବୋଲି ପ୍ରାଥମିକ ଆକଳନ କରାଯାଇଛଇ। ସେଭଳି ଭୁବନେଶ୍ବରରେ ଗୋଟିଏ, ବ୍ରହ୍ମପୁର ଓ କୋରାପୁଟରେ ୩ଟି ଲେଖାଏଁ ପ୍ଲଟ୍ , ବ୍ୟାଙ୍କରେ ୨୮.୭୫ ଲକ୍ଷର ଫିକ୍ସଡ୍ ଡିପୋଜିଟ୍, ଗୋଟିଏ ଜୁପିଟର ସ୍କୁଟର, ଗୋଟିଏ ଭେନ୍ୟୁ କାର ରହିଛି ବୋଲି ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।
ସେହିଭଳି ଭୁବନେଶ୍ବର ଘରେ ୧୪ ଲକ୍ଷ ଏବଂ ସୁନାବେଡ଼ା ଘରେ ୫୦ ହଜାର ଏଭଳି ୧୪ ଲକ୍ଷ ୫୦ ହଜାର ଟଙ୍କା ଭିଜିଲାନ୍ସ ତଦନ୍ତକାରୀ ଦଳକୁ ମିଳିଥିବା କହିଛନ୍ତି ଏସପି। ସ୍ଥାବର ଓଅସ୍ଥାବର ସମ୍ପତ୍ତି ପ୍ରାଥମିକ ଆକଳନରେ ୨ କୋଟି ପାଖାପାଖି ହେବ ଏବଂ ତଦନ୍ତ ଜାରୀ ରହିଥିବାରୁ ଶନିବାର ସମ୍ପୂର୍ଣ୍ଣ ସବିଶେଷ ବିବରଣୀ ଦେବେ ବୋଲି କହିଛନ୍ତି ଏସପି ଶ୍ରୀ ଧଳ। ଅଭିଯୁକ୍ତ ସହକାରୀଯନ୍ତ୍ରୀଙ୍କୁ ଭିଜିଲାନ୍ସ ସାଙ୍ଗରେ ନେଇ ଭୁବନେଶ୍ବର ପୋଖରୀପୁଟ ଇଣ୍ଡିଆନ୍ ବ୍ୟାଙ୍କକୁ ନେଇ ସେଠାରେ ଲକର ବି ଖୋଲି ତଦନ୍ତ କରିବେ ବୋଲି କହିଛନ୍ତି ଏସପି।
Follow Us