କଳାବାଡ଼ିଆ: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ତହସିଲଦାର ଅଭିମନ୍ୟୁ ପଣ୍ଡା ଗତକାଲି ଭିଜିଲାନ୍ସ ପଞ୍ଝାରେ ପଡ଼ିଥିଲେ। ସେ ବାଙ୍ଗିରିପୋଷିରୁ ଏକ ବୋଲେରୋରେ ନିଜଘର ବାଲେଶ୍ଵର ଯାଉଥିବା ବେଳେ ନହରପାଟଣା ନିକଟରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଚଢ଼ଉ ସମୟରେ ତାଙ୍କ ଗାଡ଼ିରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲା। ଏହି ଟଙ୍କା ସମ୍ପର୍କରେ କୌଣସି ଉତ୍ତର ଦେଇପାରିନଥିଲେ ଶ୍ରୀ ପଣ୍ଡା।
ଏହା ପରେ ବୈଶିଙ୍ଗା ନିକଟ ଚୁଆପଦା ଗ୍ରାମରେ ଥିବା ତାଙ୍କ ପୈତୃକ ଘର ଓ ବାଲେଶ୍ବର ମଲ୍ଲିକାଶପୁର ବାସଭବନରେ ଚଢ଼ଉ ହୋଇଥିଲା। ଆଉ ଆଜି ବାଙ୍ଗିରିପୋଷିସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଡିଏସ୍ପି ଶରତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ୧୪ ଜଣିଆ ଟିମ୍ ଚଢ଼ଉ କରି ଛାନ୍ଭିନ୍ କରୁଛି। ଶ୍ରୀ ପଣ୍ଡାଙ୍କ ଉପସ୍ଥିତିରେ ରାତି ପର୍ଯ୍ୟନ୍ତ ଏହି ଯାଞ୍ଚ୍ ଚାଲିଥିବା ସୂଚନା ରହିଛି। ଭିଜିଲାନ୍ସ ଡିଏସ୍ପିଙ୍କ ସୂଚନା ଅନୁସାରେ ଶ୍ରୀ ପଣ୍ଡାଙ୍କ ବାଲେଶ୍ୱରସ୍ଥିତ ବାସଭବନରୁ ୨୨ଲକ୍ଷ ଟଙ୍କା ଏବଂ ବାରିପଦାସ୍ଥିତ ଘରୁ ୪ ହଜାର ଟଙ୍କା ଜବତ ହୋଇଛି। ତଦନ୍ତ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଡିଏସ୍ପି କହିଛନ୍ତି। ଆଜି ଶ୍ରୀ ପଣ୍ଡାଙ୍କୁ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ପାଇଁ ଦିଆଯାଇନି। ଦିନ ୧୨ଟାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ଯାଞ୍ଚ୍ ଜାରି ରହିଛି।
ତହସିଲ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ର ଛାନ୍ଭିନ୍
Advertisment
Follow Us