Sambad
ଜଗତସିଂହପୁର: ପାରାଦୀପ ନିର୍ବାଚନମଣ୍ତଳୀ କୁଜଙ୍ଗ ବ୍ଲକ୍ ଅଧୀନ ବାଗୋଇ ଗାଁଟିକୁ ବିକଶିତ କରିବାକୁ ସାଂସଦ ପୋଷ୍ୟ ଗାଁ ଭାବେ ନେଇଥିଲେ ହେଁ ବିକାଶ ପରାହତ ହୋଇଛି। ଗାଁର ଦୟନୀୟ ସ୍ଥିତି ବିକାଶ ଯୋଜନାରେ ଧର୍ମକୁ ଆଖି ଠାର ସଦୃଶ ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଗାଁ ଅବସ୍ଥା ଏବେ ସଙ୍ଗିନ। ସେସମୟରେ ସାଂସଦ ଯାହା ବି ନିଜ ପାଣ୍ଠିରୁ ଅନୁଦାନ ଦେଇଥିଲେ, ସମୁଦ୍ରକୁ ଶଙ୍ଖେ ଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଗାଁର ସମସ୍ତ ପାରିପାର୍ଶ୍ବିକ ବ୍ୟବସ୍ଥାର ଉନ୍ନତୀକରଣ କରାଯାଇ ୨୦୧୯ ସୁଦ୍ଧା ଏହାକୁ ଏକ ଆଦର୍ଶ ଗାଁର ପରିଚୟ ଦେବା ପାଇଁ ଯୋଜନା କରାଯାଇଥିଲା। ମାତ୍ର ବାଗୋଇରେ ସେମିତି କୌଣସି ଆଖିଦୃଶିଆ ପରିବର୍ତନ ଦେଖିବାକୁ ମିଳି ନାହିଁ। ଏହି ଗାଁରେ ଦୁଇ ହଜାରରୁ ଅଧିକ ଲୋକ ବସବାସ କରନ୍ତି। ଯୋଜନାରେ ଯେତେବେଳେ ଗାଁକୁ ସାମିଲ କରାଗଲା, ଗ୍ରାମବାସୀ ଖୁସି ଆକାଶଛୁଆଁ ହୋଇଥିଲା। ଦୀର୍ଘ ଦିନର ପାନୀୟ ଜଳ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ ବୋଲି ଆଶା କରାଯାଉଥିଲା। ସାଂସଦ ମଧ୍ୟ ପାଇପ୍ ଯୋଗେ ଶୁଦ୍ଧ ପାନୀୟ ଜଳ ଯୋଗାଣଠାରୁ ଆରମ୍ଭ କରି ଗାଁରେ ଏକ ମିନି ଷ୍ଟାଡିୟମ୍, ରାସ୍ତା ପ୍ରଶସ୍ତୀକରଣ, ଡ୍ରେନେଜ ବ୍ୟବସ୍ଥା ଓ ଡାକ ଘର ସମେତ ଏକାଧିକ ପ୍ରକଳ୍ପ ହାତକୁ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ମାତ୍ର ମିନି ଷ୍ଟାଡିୟମ୍ ପ୍ରକଳ୍ପକୁ ଅନ୍ୟତ୍ର ସ୍ଥାନାନ୍ତର କରି ନିଆଗଲା। ଗାଁ ପିଲା ଖେଳିବାକୁ ପଡ଼ିଆଟିଏ ନାହିଁ। ପିଇବା ପାଣି ଟୋପେ ପାଇଁ ଗ୍ରାମବାସୀ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ଏଥିପାଇଁ ଗ୍ରାମବାସୀଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଚାଲିବାକୁ ପଡ଼ୁଛି। ବାରମ୍ବାର ଦାବି ପରେ ରାଜ୍ୟ ସରକାର ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଏକ ଯୋଜନା ଆରମ୍ଭ କରିଛନ୍ତି। ତାହା କେବେ ସମ୍ପୂର୍ଣ୍ଣ ହେବ ଜଣା ନାହିଁ। ବାଗୋଇରୁ କୁଜଙ୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ବର୍ଷା ଦିନେ ଗାନ୍ଧୀ ଛକ ନିକଟରେ ଡଙ୍ଗା ଚାଲିବା ପରିସ୍ଥିତି ସୃଷ୍ଟି ହେଉଛି। ଫଳରେ ଏକ ପଡ଼ା ସାନ ବାଗୋଇର ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଲୋକ ପାଣି ଘେରରେ ରୁହନ୍ତି। ବାଗୋଇ ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଂଚ ଅଧୀର ପ୍ରଧାନଙ୍କ ଦେହାନ୍ତ ପରେ ନାଏବ୍ ସରପଂଚ ଏହା ଦାୟିତ୍ବରେ ରହିଛନ୍ତି। ପୂର୍ବରୁ ସରପଂଚ ସ୍ବର୍ଗତ ପ୍ରଧାନ ବାରମ୍ବାର ଅଭିଯୋଗ କରୁଥିଲେ ପଂଚାୟତରେ କଂଗ୍ରେସ ସମର୍ଥିତ ଲୋକ ଅଧିକ ଥିବାରୁ ଗାଁକୁ ଅଣଦେଖା କରାଯାଉଛି। ସେଥିପାଇଁ ଶାସକଦଳ ଏଠାରେ କୌଣସି ଉନ୍ନତି କାର୍ଯ୍ୟ କରୁ ନାହାନ୍ତି। ବର୍ତମାନ ଅଜୟଙ୍କର ଏହି କଥାକୁ ମଧ୍ୟ ଅଧିକାଂଶ ଲୋକ ସମର୍ଥନ କରୁଛନ୍ତି। କେବଳ ମିଛରେ ଏହାକୁ ଏକ ଆଦର୍ଶ ଗାଁ ବୋଲି ସେତେବେଳେ ଏହାକୁ ପୂର୍ବତନ ସାଂସଦ ଗ୍ରହଣ କରିଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।
Follow Us