ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ: କୁଟାମାରେ ଭୋଟ ବର୍ଜନ କଲେ ଗ୍ରାମବାସୀ

ରାୟଗଡ଼ା: ବିଷମକଟକରେ ୭୦%, ମୁନିଗୁଡ଼ାରେ ୭୪%, ଚନ୍ଦ୍ରପୁରରେ ୬୯% ମତଦାନ

ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ: କୁଟାମାରେ ଭୋଟ ବର୍ଜନ କଲେ ଗ୍ରାମବାସୀ

ରାୟଗଡ଼ା/ଚନ୍ଦ୍ରପୁର: ଚନ୍ଦ୍ରପୁର ବ୍ଲକର ଗୋଟିଏ ବୁଥକୁ ଛାଡ଼ି ଶାନ୍ତି ଶୃଙ୍ଖଳାର ସହ ରାୟଗଡ଼ା ଜିଲ୍ଲାରେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଭୋଟର ତାଲିକାରେ ନାଁ ନଥିବା କାରଣରୁ କୁଟାମା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ଭୋଟର ତାଲିକାରୁ ଗ୍ରାମର ୨୬୮ ଲୋକଙ୍କ ନାଁ ବାଦ୍ ପଡ଼ିଥିବାରୁ ଗ୍ରାମବାସୀ ମତଦାନ କେନ୍ଦ୍ର ଆଗରେ ହୋ ହାଲ୍ଲା କରିବା ସହ ଧାରଣାରେ ବସିଥିଲେ। ପୁଲିସ୍-ପ୍ରଶାସନ-ପୋଲିଂ ଅଫିସର ଲୋକଙ୍କୁ ବୁଝାଶୁଝା କରିବା ପରେ ଭୋଟର ତାଲିକା ସଂଶୋଧନ କରାଯାଇ ଉକ୍ତ ବୁଥରେ ପୁଣି ସାନି ମତଦାନ ହେବାକୁ ନିଷ୍ପତ୍ତି ହୋଇଛି।

ଚନ୍ଦ୍ରପୁର ବ୍ଲକର ୪ ନଂ ୱାର୍ଡରେ ରହିଛି କୁଟାମା ଗ୍ରାମ। ଗ୍ରାମରେ ୩୭୨ ଭୋଟର ଅଛନ୍ତି। କିନ୍ତୁ ଭୋଟର ତାଲିକାରେ ମାତ୍ର ୧୦୪ ଜଣଙ୍କ ନାଁ ରହିଛି। ତାଲିକାରୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସରସ୍ବତୀ ମାଳବିଶୋଇଙ୍କ ସମେତ ୨୬୮ ଲୋକଙ୍କ ନାଁ ନଥିବାରୁ ମତଦାନ ଆରମ୍ଭ ହେବା ପୂର୍ବରୁ ହିଁ ଅସନ୍ତୋଷ ଦେଖା ଦେଇଥିଲା। ଦୀର୍ଘ ସମୟ ଧରି ଗ୍ରାମବାସୀ ଧାରଣାରେ ବସି ରହିବା ପରେ ବିଡ଼ିଓ ଜଜ୍ ଡୁଙ୍ଗଡୁଙ୍ଗ, ତହସିଲଦାର ଚିନ୍ମୟ ଦାଶ, ପୁଲିସ୍ ଅଧିକାରୀ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ।

ଗତ ୩ ମାସ ତଳେ ଭୋଟ ତାଲିକା ସଂଶୋଧନ ସମୟରେ ଏ ନେଇ ଚନ୍ଦ୍ରପୁର ବିଡ଼ିଓ ଜଜ୍ ଡୁଙ୍ଗଡୁଙ୍ଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜିଲ୍ଲା ପରିଷଦ ସଭ୍ୟା ସରସ୍ବତୀ ମାଳବିଶୋଇ। କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ୨୬୮ ଗ୍ରାମବାସୀ ମତଦାନରୁ ବଞ୍ଚିତ ହୋଇଛନ୍ତି। ଭୋଟର ତାଲିକା ସଂଶୋଧନ ନ ହେଲେ କୌଣସି ଭୋଟର ଭୋଟ ଦେବୁ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିବା ପରେ ମତଦାନ ବନ୍ଦ ରହିଥିଲା। ଚନ୍ଦ୍ରପୁର ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ଜୋନ୍ ସହ ୮ ପଞ୍ଚାୟତ, ୯୭ ୱାର୍ଡ ପାଇଁ ମତଦାନ ଶେଷ ହୋଇଛି। ରିପୋର୍ଟ ଲେଖା ହେବା ସୁଦ୍ଧା ବ୍ଲକରେ ୬୯ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି।

ଚୂଡ଼ାନ୍ତ ରିପୋର୍ଟ ପରେ ମତଦାନ ହାର ବଢ଼ିପାରେ। ସେହିପରି ମୁନିଗୁଡ଼ା ବ୍ଲକର ୨ ଜିଲ୍ଲା ପରିଷଦ ଜୋନ୍, ୧୭ ପଞ୍ଚାୟତ, ୨୧୧ ୱାର୍ଡ ଲାଗି ହୋଇଥିବା ମତଦାନରେ ୭୪ ପ୍ରତିଶତ ଭୋଟର ସେମାନଙ୍କ ମତଦାନ କରିଛନ୍ତି। ବିଷମକଟକ ବ୍ଲକର ୨ ଜିଲ୍ଲା ପରିଷଦ ଜୋନ୍ ୨୧ ପଞ୍ଚାୟତ ୨୪୬ ୱାର୍ଡ ପାଇଁ ୭୦ ପ୍ରତିଶତ ମତଦାନ ହୋଇଛି। ବିଷମକଟକ ବ୍ଲକର ନିୟମଗିରି ପାହାଡ଼ ଉପରେ ବସବାସ କରୁଥିବା ଡଙ୍ଗରିଆ ଉତ୍ସାହର ସହ ଭୋଟ ଦେଇଥିବା ଦେଖିବାକୁ ମିଳିଛି। ସଂଧ୍ୟା ସୁଦ୍ଧା ନିୟମଗିରି ଅଞ୍ଚଳର ସମସ୍ତ ବୁଥରୁ ସୁରକ୍ଷିତ ଭାବେ ଭୋଟ ବାକ୍ସ ଓ ବାଲାଟ୍ ପେପର୍ ଫେରିଥିବା ଜଣା ପଡିଛି। ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ ନିଜ ବୁଥରେ ଉପସ୍ଥିତ ରହି ମତଦାନ କରିଛନ୍ତି। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ମାଓ ଇଲାକାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ମାଓବାଦୀଙ୍କ ଗତିବିଧି ଉପରେ ପୁଲିସ୍, ଯବାନଙ୍କ ପକ୍ଷରୁ କଡା ନଜର ରଖାଯାଇଥିଲା। ଅପରେସନରେ ଡ୍ରୋନକୁ ପୁଲିସ୍ ସାମିଲ୍ କରିବା ସହ ଗୁଇନ୍ଦା ସୂଚନାକୁ ଭିତ୍ତି କରି କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe