ଏନଜିଟିଙ୍କ ନିର୍ଦ୍ଦେଶ ପରେ ମଧ୍ୟ କଟାଯାଉଛି ଶିଖରଚଣ୍ଡୀ ପାହାଡ଼, ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ତିନି ପଂଚାୟତବାସିନ୍ଦାଙ୍କ ଦାବିପତ୍ର

Advertisment
ଏନଜିଟିଙ୍କ ନିର୍ଦ୍ଦେଶ ପରେ ମଧ୍ୟ କଟାଯାଉଛି ଶିଖରଚଣ୍ଡୀ ପାହାଡ଼, ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ତିନି ପଂଚାୟତବାସିନ୍ଦାଙ୍କ ଦାବିପତ୍ର

ଖୋର୍ଦ୍ଧା: ପଟିଆ ନିକଟରେ ଥିବା ଐତିହାସିକ ଶିଖରଚଣ୍ଡୀ ପାହାଡ଼ର ହନୁମାନ ଶିଖରର ଶତାଧିକ ପୁରାତନ ଗଛ କଟାଯିବା ସହ ପାହାଡ଼କୁ ବିସ୍ଫୋରଣ ଦ୍ୱାରା ଭଙ୍ଗାଯାଇଛି । ଏନେଇ ଶିଖରଚଣ୍ଡୀ ଆଂଚଳିକ ସୁରକ୍ଷା ସମିତି ପକ୍ଷରୁ ଏନଜିଟିର ଦ୍ୱାରସ୍ଥ ହୋଇଥିଲେ । ଏନଜିଟି ଆସନ୍ତା ୨୪ ତାରିଖରେ ପ୍ରତ୍ୟକ୍ଷ ଯାଂଚ କରିବାକୁ ନିର୍ଦ୍ଦେଶ ଦେବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନିର୍ମାଣକୁ ସ୍ଥଗିତ ରଖିବେ । କିନ୍ତୁ ରାତି ଅଧିଆ ଲୁଚିଛପି କାମ କରାଯାଉଛି ଓ ଏହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଆଜି ପଟିଆ ଅଂଚଳର ବାସିନ୍ଦାଙ୍କ ସମେତ ଦାରୁଠେଙ୍ଗ ଓ ଚନ୍ଦକା ପଂଚାୟତର ସରପଂଚ ପ୍ରମୁଖ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଦାବିପତ୍ରରେ ଦର୍ଶାଯାଇଛି ଯେ ପଟିଆ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ଶିଖରଚଣ୍ଡୀ ଅଟନ୍ତି । ଏହା ପାଇକମାନଙ୍କ ଅନ୍ୟତମ ପୂଜାସ୍ଥଳୀ । ଏହାସହ ହନୁମାନପାହାଡ଼ ଓ ଶିଖରଚଣ୍ଡୀ ପାହାଡ଼ଚନ୍ଦକା-ଡମପଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟ ସଂଲଗ୍ନ ଥିବାରୁ ଅନେକ ବିଲୁପ୍ତପ୍ରାୟ ବନ୍ୟଜନ୍ତୁ, ବୃକ୍ଷଲତା ରହିଛି ।

କିନ୍ତୁ ଗତ କିଛି ଦିନ ଧରି ରାଜ୍ୟ ସରକାରଙ୍କ ଜଳ ନିଗମ (ୱାଟ୍କୋ) ଏଠାରେ ୩୦ ନିୟୁତ ଲିଟର ପାଣିଟ୍ୟାଙ୍କ ନିର୍ମାଣ କରିବାକୁ ପାହାଡ଼କୁ ଅବିଚାରିତ ଭାବେ କାଟିବା ଆରମ୍ଭ କରିଛି । ଫଳରେ ଚନ୍ଦକାର ହାତୀମାନେ ପଟିଆ, ଦାରୁଠେଙ୍ଗର ଜନବସତି ଆଡ଼କୁ ଚାଲିଆସୁଛନ୍ତି । ଅନେକ ବୃକ୍ଷଲତା ନଷ୍ଟ ହୋଇଯିବା ଦ୍ୱାରା ଅଭୟାରଣ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି । ଏନେଇ ଚନ୍ଦକା ଓ ଦାରୁଠେଙ୍ଗ ପଂଚାୟତରେ କୌଣସି ଜନଶୁଣାଣୀ ହୋଇନାହିଁ କି ଏନେଇ ପରିବେଶ ମଞ୍ଜୁରୀ ମିଳିନାହିଁ । ଏନେଇ ସେମାନେ ଅନେକ ଥର ଜିଲ୍ଲା ପ୍ରଶାସନ ଓ ଅନ୍ୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରି ନିର୍ମାଣ ବନ୍ଦ କରିବାକୁ ଅନୁରୋଧ କରିଥିଲେ ।

କେହି ନଶୁଣିବାରୁ ସେମାନେ ଜାତୀୟ ଗ୍ରୀନ୍ ଟ୍ରାଇବୁନାଲର ଦ୍ୱାରସ୍ଥ ହୋଇଥିଲେ । ଚଳିତ ମାସ ୧୨ ତାରିଖରେ ଏନଜିଟି ଏହି ଆବେଦନର ଶୁଣାଣି କରି ନିର୍ମାଣ ଦ୍ୱାରା ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ଉପରେ ବିପଦ ସମ୍ଭାବନା ରହିଛି ବୋଲି ଅନୁଭବ କରିଥିଲେ । ଏଣୁ ମୁଖ୍ୟ ବନ ସଂରକ୍ଷକ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ଓ ଜିଲ୍ଲାପାଳଙ୍କୁ ନେଇ ଏକ ଚାରି ଜଣିଆ କମିଟି ଘଟଣାସ୍ଥଳ ଯାଂଚ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତୀ ଆଦେଶ ଯାଏଁ ସେଠାରେ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ କହିଛନ୍ତି, କିନ୍ତୁ ନିର୍ମାଣକାରୀ ସଂସ୍ଥା ରାତି ଅଧିଆ ବିସ୍ଫୋରଣ ଘଟାଇ ପାହାଡ଼ ଭାଙ୍ଗୁଛି ଓ ଗଛ କାଟୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe