ପ୍ରଜାକୋର୍ଟକୁ ନଆସିବାରୁ ଅଣ୍ଡ୍ରାପଲ୍ଲୀ ଗ୍ରାମବାସୀଙ୍କୁ ହତ୍ୟା ଧମକ ଦେଲେ ନକ୍ସଲ

ପ୍ରଜାକୋର୍ଟକୁ ନଆସିବାରୁ ଅଣ୍ଡ୍ରାପଲ୍ଲୀ ଗ୍ରାମବାସୀଙ୍କୁ ହତ୍ୟା ଧମକ ଦେଲେ ନକ୍ସଲ

Representational Image

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଂଚଳରେ ପୁଣି ନକ୍ସଲ ଆତଙ୍କ ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ନକ୍ସଲ ଜାରି କରିଥିବା ଏକ ହାତ ଲେଖା ଚିଠି ଏବେ ଭାଇରାଲ ହେବାକୁ ଲାଗିଛି। ଏହି ଚିଠିରେ ମାଓବାଦୀ ଅଣ୍ଡ୍ରାପଲ୍ଲୀ ଗ୍ରାମର ଲୋକଙ୍କୁ ହତ୍ୟା ଧମକ ଦେଇଛନ୍ତି। ବାରମ୍ବାର ପ୍ରଜାକୋର୍ଟକୁ ଡାକିଲେ ମଧ୍ୟ ଏହି ଗ୍ରାମର କିଛି ଲୋକ ଆସୁନଥିବାରୁ ମାଓବାଦୀ କିଛି ଲୋକଙ୍କ ନାମ ନେଇ ସେମାନଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆଯିବା ନେଇ ଚେତାବନୀ ଦେଇଛନ୍ତି। ଯାହାକୁ ନେଇ ଏବେ ଅଣ୍ଡ୍ରାପଲ୍ଲୀ ଗ୍ରାମରେ ଭୟର ବାତାବରଣ ଖେଳିଯାଇଛି।

ଲୋକମାନେ ଆଗକୁ ମାଓବାଦୀଙ୍କ ହାତ ଧରିବେ ନାହିଁ କିମ୍ବା ସେମାନଙ୍କର କୌଣସି ବୈଠକରେ ଯୋଗ ଦେବେ ନାହିଁ ବୋଲି ସଫାସଫା ମନା କରିଦେବା ପରେ ଏବେ ମାଓବାଦୀ ମାନେ ଲୋକଙ୍କ ସମର୍ଥନ ହରାଉଥିବା କୁହାଯାଇଛି। ତେଣୁ ଭୋକ ବିକଳରେ ତାଟିଆ କାମୁଡୁଥିବା କୁହାଯାଇଛି। ତେବେ ଯେଉଁ ଚିଠି ଏବେ ଭାଇରାଲ ହୋଇଛି ତାହା ମାଓବାଦୀଙ୍କର ନା ଆଉ କିଏ ହାତ ଲେଖା ଚିଠି ପଠାଇ ଲୋକଙ୍କୁ ଆତଙ୍କିତ କରୁଛନ୍ତି ବୋଲି ଅନୁମାନ ମଧ୍ୟ କରାଯାଉଛି। ସାଧାରଣତଃ ମାଓବାଦୀ ନିଜର ପ୍ୟାଡରେ ନିଜର ଫରମାନ ଜାରି କରିଥାନ୍ତି। କିନ୍ତୁ ଏହା ସାଧା କାଗଜରେ ଲେଖାଯାଇଥିବାରୁ ଏହାର ସତ୍ୟତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଂଚଳରେ ପୁଲିସର ଏସ୍ଓ‌ଜି, ଡିଭିଏଫ୍‌ ଏବଂ ବିଏସ୍ଏ‌ଫ ତରଫରୁ ଘନଘନ ଚଢାଉ କରାଯାଉଥିବା ବେଳେ ମାଓବାଦୀ ମାନେ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି।

publive-image Representational Image

ଲୋକେ ପୁଲିସ ଏବଂ ପ୍ରଶାସନକୁ ସମର୍ଥନ କରୁଥିବା ବେଳେ ବିକାଶ ଧାରା ଜୋରଦାର ଚାଲିଛି, ଯାହାକୁ ନେଇ ମଧ୍ୟ ମାଓବାଦୀ ଏବେ ହରଡଘଣାରେ ପଡିଯାଇଛନ୍ତି। ସ୍ବାଭିମାନ ଅଂଚଳରେ ରାସ୍ତା କାମ ସମେତ ସମସ୍ତ ମୌଳିକ ସୁବିଧା ଯେପରି ପହଞ୍ଚିବ ସେନେଇ ପ୍ରଶାସନ ଏବଂ ସରକାର ପ୍ରତିଦିନ ଏହାର ତଦାରଖ କରୁଛନ୍ତି। ବର୍ଷବର୍ଷ ଧରି ଲୋକେ ସ୍ବାଧୀନ ହୋଇ ମଧ୍ୟ ପରାଧୀନ ଜୀବନଯାପନ କରୁଥିଲେ।

ଏବେ ବିଏସ୍ଏ‌ଫ ସେମାନଙ୍କୁ ସୁରକ୍ଷା ଦେଉଛି। ତେଣୁ ନକ୍ସଲ ଗ୍ରାମବାସୀଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ମାଓନେତା ଅନିଲ ନାମରେ ଏହି ଚିଠି ଆସିଛି। ଚିଠି ପାଇବା ପରେ ଲୋକେ ଆତଙ୍କିତ ହୋଇଥିଲେ ମଧ୍ୟ ଏକଜୁଟ ହୋଇ ନକ୍ସଲ ସହ ଲଢେଇ କରିବେ ବୋଲି ଜଣାପଡିଛି। ଅଣ୍ଡ୍ରାପଲ୍ଲୀ ଗ୍ରାମ ନିକଟରେ ବିଏସ୍ଏ‌ଫର କିମ୍ବା ପୁଲିସର ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଠାରେ ଲୋକେ ବାଧ୍ୟ ହୋଇ ମାଓବାଦୀଙ୍କ ଦାଦାଗିରି ସମ୍ଭାଳୁଛନ୍ତି। ତେବେ ଅଣ୍ଡ୍ରାପଲ୍ଲୀ ଗ୍ରାମ ନିକଟରେ ଏହି ଚିଠିକୁ କେହି ଫୋପାଡି ଚାଲିଯାଇଥିଲା। ଗ୍ରାମର କିଛି ଯୁବକ ଏହି ଚିଠି ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଛନକା ପସିଛି। ଏହି ଚିଠିରେ କିଛି ଲୋକଙ୍କ ନାମ ଲେଖାଯାଇଛି। ଯେଉଁମନେ ବାରମ୍ବାର ବୈଠକକୁ ଡାକିଲେ ମଧ୍ୟ ଯାଉନାହାନ୍ତି। ଯାହାଫଳରେ ମାଓବାଦୀ ଏମାନେ ପୁଲିସ ଇନଫର୍ମର ବୋଲି ଦର୍ଶାଉଛନ୍ତି। ତେବେ ଏନେଇ ଏସପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe