ଶିଶୁ ସୁରକ୍ଷାକୁ ନେଇ ଉଦାସୀନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଭୋକିଲା ନାବାଳକକୁ ଗାଁ ଲୋକେ ଉଦ୍ଧାର କଲେ

ଟ୍ରେନ୍‌ରୁ ନାବାଳକ ଉଦ୍ଧାର

Image Courtesy of Inshorts

ସୁନ୍ଦରଗଡ଼ : ଛଅ ଦିନ ତଳେ ଭୋକରେ କାତର ହୋଇ ବୁଲୁଥିବା ୧୨ ବର୍ଷର ଅଜଣା ନାବାଳକଙ୍କୁ ଉଦ୍ଧାର କଲେ ବାଲିଶଙ୍କରା ବ୍ଲକ୍ ଖପୁରିଲତା ଗାଁ ଲୋକେ। ସେ ନିଜ ନାଁ ଛଡ଼ା ଆଉ କିଛି କହିପାରୁ ନଥିବାବେଳେ ସୁନ୍ଦରଗଡ଼ର ଜଣେ ସମାଜସେବୀଙ୍କ ଜରିଆରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟକୁ ସୂଚନା ଦିଆଗଲା। କିନ୍ତୁ ୟୁନିଟ ପକ୍ଷରୁ କେହି ନାବାଳକ ପାଖରେ ପହଞ୍ଚିଲେ ନାହିଁ। ଘଟଣାକୁ ୬ ଦିନ ବିତିଯିବା ପରେ ପୁଣି ଥରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଶ୍ରୀବନ୍ତ ଜେନାଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ ତୁରନ୍ତ ପୁଲିସକୁ ହସ୍ତାନ୍ତର କରିବାକୁ ପରାମର୍ଶ ଦେଲେ। କାଉନସେଲିଂ କି ଥଇଥାନ ନେଇ ପଦକ୍ଷେପ ନେବାକୁ ଉଚିତ ମଣିଲେ ନାହିଁ। ଅଜଣା ନାବାଳକ କେଉଁଠୁ ଆସିଲେ, କେଉଁସ୍ଥିତିରେ ଏମିତି ଭୋକିଲା ବୁଲୁଥିଲେ, ଘରେ କି କୌଣସି ଆଶ୍ରୟସ୍ଥଳରେ ନିର୍ଯାତିତ ହୋଇ ଚାଲି ଆସିଛନ୍ତି କି, ଏସମ୍ପର୍କରେ ତଦନ୍ତ କରିବା ଓ ନାବାଳକଙ୍କୁ ଉଦ୍ଧାର କରି ଉପଯୁକ୍ତ ଥଇଥାନ ବା ଆଶ୍ରୟ ବ୍ୟବସ୍ଥା କରିବା, ସର୍ବୋପରି ଶିଶୁଙ୍କ ସମସ୍ତ ପ୍ରକାର ସୁରକ୍ଷା ଦାୟିତ୍ବ ଶିଶୁ ସୁରକ୍ଷା ୟୁନିଟର । କିନ୍ତୁ ସୁନ୍ଦରଗଡ଼ ୟୁନିଟ ଅଧିକାରୀ ଏହାକୁ ଏଡ଼ାଇ ଯାଇଥିବା ଅଭିଯୋଗ ହୋଇଛି। ୬ ଦିନ ହେଲା ନାବାଳକଙ୍କୁ ଗାଁକ ଲୋକେ ଆଶ୍ରୟ ଦେଇଛନ୍ତି ସିନା, କିନ୍ତୁ ସେ ଅଜଣା ଥିବାରୁ ତାଙ୍କୁ ନେଇ କୌଣସି ଅଡ଼ୁଆ ପରିସ୍ଥିତିରେ ପଡ଼ିବାର ଶଙ୍କାରେ ରହିଛନ୍ତି । ଏସ୍ଥିତିରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ନାବାଳକଙ୍କ ସୁରକ୍ଷା ପ୍ରତି ଉଦାସୀନ ମନୋଭାବପୋଷଣ କରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ପୂର୍ବରୁ ଗତ ଅଗଷ୍ଟ ୧୦ ତାରିଖରେ ସୁନ୍ଦରଗଡ଼ରୁ ନିଖୋଜ ନାବାଳିକା ଉଦ୍ଧାର ଘଟଣାରେ ମଧ୍ୟ ଶିଶୁ ସୁରକ୍ଷା ଅଧିକାରୀ ଏମିତି ହାତବାନ୍ଧି ବସି ଯାଇଥିଲେ। ସୁନ୍ଦରଗଡ଼ ଏସପିଙ୍କ ହସ୍ତକ୍ଷେପ ପରେ ନାବାଳିକାଙ୍କୁ ମୁମ୍ବାଇରୁ ଅଣାଯାଇପାରିଥିଲା। ଜଣେ ମହିଳାଙ୍କ ଦ୍ବାରା ବାହାର ରାଜ୍ୟକୁ ଯାଉଥିବା ଟାଉନଥାନା ଅଞ୍ଚଳର ୧୭ ବର୍ଷର ନାବାଳିକା ମୁମ୍ବାଇ ଆରପିଏଫ ଦ୍ବାରା ଉଦ୍ଧାର ହୋଇ ରେଳ ଷ୍ଟେସନ ପାର୍ଶ୍ବ ପୁରୁଣା ଜେଲ ରୋଡ୍ ହବିବ ହସ୍ପିଟାଲ ପାଖ ଡୁଙ୍ଗରି ଶିଶୁ ଗୃହରେ ଥିଲେ। ନାବାଳିକା ମୁମ୍ବାଇରେ ଥିବା ସୂଚନା ମିଳିବା ପରେ ଝିଅକୁ ଉଦ୍ଧାର କରି ଆଣିବାକୁ ମଜୁରିଆ ବାପା ଥାନା ଠାରୁ ସୁନ୍ଦରଗଡ଼ ଶିଶୁ ସୁରକ୍ଷା ୟୁନିଟ ଯାଏ ଗୁହାରି କରିଥିଲେ। କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏହା ଏକ ଲମ୍ବା ପ୍ରକ୍ରିୟା କହି ହାତ ବାନ୍ଧି ବସି ଯାଇଥିଲା। ଏସ୍ଥିତିରେ ଏସପି ସାଗରିକା ନାଥ ନାବାଳିକାକୁ ମୁମ୍ବାଇରୁ ଉଦ୍ଧାର କରିବାକୁ ତତ୍ପରତା ଦେଖାଇଥିଲେ। ତାଙ୍କ ନିର୍ଦ୍ଦେଶରେ ନାବାଳିକାଙ୍କ ବାପାଙ୍କ ସହ ଟାଉନଥାନା ପୁଲିସ ମୁମ୍ବାଇ ଯାଇ ତାଙ୍କୁ ଶିଶୁ ଗୃହରୁ ସେପ୍ଟେମ୍ବର ୧୪ ତାରିଖରେ ନେଇ ଆସିଥିଲେ। ଏପରି ଅନେକ ଘଟଣାରେ ଶିଶୁ ସୁରକ୍ଷା ୟୁନିଟ ଆଖି ବୁଜି ଦେଇଥିବାରୁ ଜିଲ୍ଲାରେ ଶିଶୁ ସୁରକ୍ଷା ଭୂଲୁଣ୍ଠିତ ହୋଇପଡ଼ିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe