Sambad
ଜଗତସିଂହପୁର: ଗାଁର ରାସ୍ତା କାମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ଏହାର ପରିଣାମ ଭୋଗିବାକୁ ପଡ଼ିଛି ନିରୀହ କୋମଳମତି ଛାତ୍ରଛାତ୍ରୀଙ୍କୁ। ଦୂରବାଟ ସ୍କୁଲ୍ରେ ପିଲାମାନଙ୍କୁ ପାଠ ପଢ଼ାଇବା ଅପେକ୍ଷା ଘର ପାଖ ବିଲରେ ବସାଇ ପାଠ ପଢ଼ାଇବା ଜିଦ୍ରେ ଗ୍ରାମବାସୀ ପାଲ ଟାଣି ପିଲାମାନଙ୍କୁ ବିଲରେ ବସାଇ ପାଠ ପଢ଼ାଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ୍ ଛପଡ଼ା ପଞ୍ଚାୟତର ରାହାଡ଼ିଙ୍ଗା ଗାଁରେ। ଏହି ସମସ୍ୟାର ସମ୍ମୁଖୀନ ହେଉଥିବା ୱାର୍ଡବାସୀ ତିର୍ତୋଲ ଥାନାଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ କୌଣସି ସୁଫଳ ପାଇ ନଥିଲେ। ତେଣୁ ବିତସ୍ପୃହ ହୋଇ ସେମାନେ ଏପରି ଢଙ୍ଗରେ ପ୍ରତିବାଦ କରି ପ୍ରଶାସନର ଦୃଷ୍ଟିଆକର୍ଷଣ କରିଛନ୍ତି। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ପିଲାମାନେ ସେମିତି ବିଲରେ ବସି ପାଠ ପଢ଼ିବେ ବୋଲି ସେମାନେ କ୍ଷୋଭର ସହ କହିଛନ୍ତି। ଅଭିଯୋଗ ମୁତାବକ, ଜଇପୁର-ଜଗତସିଂହପୁର ମୁଖ୍ୟ ରାସ୍ତାରେ ରାହାଡିଙ୍ଗା ଗାଁର ୱାର୍ଡ–୧୧ରୁ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାଟି ଅଣଓସାରିଆ ମାଟି ରାସ୍ତା। ଏହି ରାସ୍ତାରେ ପ୍ରତ୍ୟେକ ଦିନ ୱାର୍ଡ–୧୧ ବସବାସ କରୁଥିବା ୨୫ରୁ ଊର୍ଦ୍ଧ୍ବ ଅନୁସୂଚିତ ଜାତି ପରିବାରର ପ୍ରାୟ ୨୫୦ ସଦସ୍ୟ ଯାତାୟାତ କରିଥାନ୍ତି। ବର୍ଷାଦିନେ ଏହି ରାସ୍ତା ଅପନ୍ତରା ହୋଇପଡ଼େ। ପିଲାମାନେ ସ୍କୁଲକୁ ଯିବା କାଠିକର ପାଠ ହୋଇପଡ଼େ।
ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏହି ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ୱାର୍ଡସଭ୍ୟ ଅରୁଣ କୁମାର ମଲ୍ଲ ୨୨ ଜଣ ଜବ୍କାର୍ଡଧାରୀନଙ୍କୁ ଏକଜୁଟ୍ କରାଇ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଏହି କାର୍ଯ୍ୟ ଆରମ୍ଭ ହେବାର ଏକ ଘଂଟା ପରେ ଅପରପକ୍ଷ ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି। ଏହି ଜାଗା ଠାକୁରଙ୍କ ନାମରେ ଥିବାରୁ ସେଠାରେ ରାସ୍ତା ନିର୍ମାଣକୁ ବନ୍ଦ କରାଯାଇଛି ବୋଲି ସେମାନେ ଯୁକ୍ତି ଦର୍ଶାଇ କାମ ବନ୍ଦ କରିବାରୁ ବିବାଦ ଉପୁଜିଛି। ତେବେ ୱାର୍ଡସଭ୍ୟ ମଲ୍ଲଙ୍କ ସମର୍ଥକମାନେ କହିଛନ୍ତି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ଜାଣିଶୁଣି ହଇରାଣ କରିବାକୁ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଙ୍ଗିତରେ ଏପରି ବିରୋଧ କରାଯାଉଛି। ଅଭିଯୋଗର ତଦନ୍ତ କରି ତୁରନ୍ତ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ତିର୍ତୋଲ ଥାନାରେ ଏତଲା ଦେଇଛନ୍ତି। ଏହି ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ହେଲେ ପିଲାମାନଙ୍କୁ ସ୍କୁଲକୁ ଯିବା ପାଇଁ ଦୁର୍ଘଟଣାପ୍ରବଣ ଦେଢ଼ କିମି ରାସ୍ତା ବୁଲିବାକୁ ପଡ଼ିବ। ଏଭଳି ସ୍ଥିତିରେ ଘଟଣା ସ୍ଥଳ ଅନୁଧ୍ୟାନ କରି ସମସ୍ୟାର ବାଟ ବାହାର କରାଯାଉ। ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ପିଲାମାନେ ବିଲରେ ବସି ପାଠ ପଢ଼ିବେ ବୋଲି ଏହି ଅଭିଭାବକମାନେ କହିଛନ୍ତି।
Follow Us