ଉଡୁପା ପଞ୍ଚାୟତରେ ମନରେଗା ଏବଂ ଉନ୍ନତିମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ, ଜିଲ୍ଲାପାଳ ଓ ବିଡିଓଙ୍କୁ ଭେଟିଲେ ଗ୍ରାମବାସୀ

Advertisment
ଉଡୁପା ପଞ୍ଚାୟତରେ ମନରେଗା ଏବଂ ଉନ୍ନତିମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ, ଜିଲ୍ଲାପାଳ ଓ ବିଡିଓଙ୍କୁ ଭେଟିଲେ ଗ୍ରାମବାସୀ

Sambad

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ଉଡୁପା ଗ୍ରାମ ପଞ୍ଚାୟତର ଗ୍ରାମବାସୀ ଆଜି ଜିଲ୍ଲାପାଳ ଏବଂ ବିଡିଓଙ୍କୁ ଭେଟି ପଞ୍ଚାୟତରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏବଂ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏଥିସହ ଏହି ଦୁର୍ନୀତି ଏବଂ ଅନିୟମିତତାର ଏକ ଚିଠା ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଲୋକଙ୍କୁ ଶହେ ଦିନର କାମ ଯୋଗାଇ ଦେବା ପାଇଁ ସରକାର ମନରେଗା ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଏହି ଯୋଜନା ଉଡୁପା ପଞ୍ଚାୟତରେ ସଂପୂର୍ଣ୍ଣ ବାଟ ବଣା ହୋଇଛି। ଡୁଲେନଗୁଡା ଗ୍ରାମର ଗ୍ରାମବାସୀ ସ୍ବର୍ଗତ ରମେଶ ମାଡକାମୀ ଗତବର୍ଷ ଅଗଷ୍ଟ ୧୯ ତାରିଖରେ ମୃତ୍ୟୁବରଣ କରିଥିବା ବେଳେ ତାଂକ ନାମରେ ମନରେଗା ଯୋଜନାରେ ଦୈନିକ ମଜୁରୀର ପ୍ରାପ୍ୟ ତାଂକ ଖାତାକୁ ଜମା କରାଯାଉଛି।

ଏହି ଗ୍ରାମରେ ହିଁ ୨୦୧୯-୨୦ ଏବଂ ୨୦୨୦-୨୧ ବର୍ଷରେ ବିଭିନ୍ନ ଉନ୍ନତି ମୂଳକ ଯଥା କଂକ୍ରିୟ ୟାର୍ଡ, ବିଏମଡବ୍ଲୁ ରାସ୍ତା ଅତି ନିମ୍ନମାନର ହୋଇଅଛି।ପ୍ରଧାନମନ୍ତ୍ରୀ ଆବାସର ଛାତରୁ ପାଣି ଗଳୁଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଆକୁର ଗ୍ରାମରେ ୨୦୧୮-୧୯ ବର୍ଷରେ ୨ ଲକ୍ଷ ୪୦ ହଜାର, ୨୦୧୯-୨୦ ଆର୍ଥିକ ବର୍ଷରେ ୫ ଲକ୍ଷ ଟଂକା ବ୍ୟୟରେ ଦୁଇଟି ପଖୋରୀକୁ ପୁନରୁଦ୍ଧାର କରାଯାଇଛି। ଏହି ଦୁଇଟି ପଖୋରୀ ଗଭୀର ଖନନ ନହୋଇ କେବଳ ହିଡକୁ ସଜ୍ଜାସଜି କରି ଟଂକା ବାଟମାରଣା କରାଯାଇଛି। ଆକୁର ଏବଂ କାଳିଆ ପଦର ଗ୍ରାମରେ କାଉଣ୍ଟର ବାଇଡିଂ କାମ ଗୁଡିକ ମେସିନ ଦ୍ବାରା କାମ କରାଯାଉଛି। ମାଡକାଗୁଡା ଗ୍ରାମର ବୁଟୁକି ମୁଷାକିଙ୍କ ଆବାସ ଘରର ଛାତ ବଙ୍କା ହୋଇ ପାଣି ଗଳୁଛି। କେଉଁ ସମୟରେ ମଧ୍ୟ କୋଠା ଘର ଭୁଷୁଡିବା ସମ୍ଭାବନା ରହିଛି। ତେଣୁ ବୁଟୁକି ମୁଷାକି ଏକ ଛୋଟି କୁଡିଆ ଘରେ ଆଶ୍ରୟ ନେଇଛି। ପଟିତଙ୍ଗ ଗ୍ରାମର ଧନୁର୍ଯ୍ୟୟ ମାଡକାମୀଙ୍କ ପଖୋରୀରେ ହୋଇଥିବା କାମ ଅନୁସାରେ ଅଧିକା ଟଂକା ଉଠାଇ ବାଟମାରଣା କରାଯାଇଛି। ସେହିପରି ଏହି ଗ୍ରାମର ଦଶରଥ ମାଡକାମୀଙ୍କ ନିଜସ୍ବ ପଖୋରୀ ହୁଡାରେ ତାଂକୁ ଠିଆ କରାଯାଇ ଭିତିରିଆ କାର୍ଯ୍ୟ କରାଯାଇଛି। ଲକ୍ଷ୍ମଣପୁର ଠାରୁ କାଳିଆପଦର ଗ୍ରାମ ରାସ୍ତାର ଉନ୍ନତିକରଣ କରାଯାଇ ୫ ଲକ୍ଷ ଟଂକାର ବ୍ୟୟବରାଦ କରାଯାଇ ଠିକାଦାରକୁ ମାତ୍ର ୪୦ ହଜାର ଟଂକା ଦେଇ ବଳକା ଟଂକାକୁ ବାଟମାରଣା କରାଯାଇଛି।

କଚେଲି ଗ୍ରାମର ସର୍ଗିଗୁଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣର କୌଣସି ତଥ୍ୟ ପ୍ରଦାନ କରାଯାଇ ନାହିଁ। ଯାହା ବାଟମାରଣା ନେଇ ସ୍ପଷ୍ଟ ପ୍ରମାଣ ରହିଛି। ଉଡୁପା ଗ୍ରାମର ରବୀନ୍ଦ୍ର ମାଢୀ ୨୦୧୯-୨୦ ଆର୍ଥିକ ବର୍ଷରେ ଜମି ମରାମତି କରି ଏଜାବତ ଟଂକା ପାଇ ପାରିନାହାଁନ୍ତି। ସେହିପରି ଭୀମ ମାଡକାମୀଙ୍କ ନିଜସ୍ବ ଜମି ଉପରେ ଫଳକ ଲଗାଇ ମରାମତି କରାଯାଇଥିବା ନେଇ ଟଂକା ହଡପ କରାଯାଇଛି। ଏହା ବୁରୁଦା ୧୪୬ଟି ଖାଲ କରିଥିବା ବେଳେ ତାଂକୁ ଖାଲ ପିଛା ୨୦୭ ଟଂକା ହିସାବରେ ୩୦ ହଜାର ୨୨୨ ଟଂକା ଦେବାକୁ ଥିବା ବେଳେ ମାତ୍ର ୪୯୬୮ ଟଂକା ପ୍ରଦାନ କରି ଟଂକା ହଡପ କରାଯାଇଛି।

ସେହିପରି ଜଗନ୍ନାଥ ବୁରୁଦାଙ୍କ ପରିବାର ମିଶି ୨୨୪ଟି ଖାଲ କରିଥିଲେ। ତାଂକୁ ଖାଲ ବାବଦକୁ ୪୬ ହଜାର ୭୮୨ ଟଂକା ପ୍ରଦାନ କରାଯିବାକୁ ଥିବା ବେଳେ ତାଂକୁ ମାତ୍ର ୨୨ ହଜାର ୩୫୬ ଟଂକା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତରେ ନଳକୂପ ମରାମତି ପାଇଁ ଲକ୍ଷ୍ମୀ ମାଡକାମୀ ଏବଂ ରବୀନ୍ଦ୍ର ନାୟକଙ୍କୁ ନିଯୁକ୍ତି ଦିଆଗଲା କିନ୍ତୁ ଏମାନଙ୍କର ବେତନ ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଉ ନାହଁ। ବେତନ କଥା କହିଲେ ଅଧିକାରୀ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଏଭଳି ବହୁ ଦୁର୍ନୀତି ଉଡୁପା ପଞ୍ଚାୟତରେ ରହିଥିବା ଲୋକେ ଅଭିଯୋଗ କରିଥିଲେ। ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଯଦି ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe