ସ୍କୁଲ ମିଶ୍ରଣକୁ ବି‌ରୋଧ, ତାତିଲେ ଗ୍ରାମବାସୀ, ରାସ୍ତାରେ ବସିଲେ

Advertisment
ସ୍କୁଲ ମିଶ୍ରଣକୁ ବି‌ରୋଧ, ତାତିଲେ ଗ୍ରାମବାସୀ, ରାସ୍ତାରେ ବସିଲେ

Sambad

ମହାକାଳପଡା: ରାଜଗଡ଼ ପଞ୍ଚାୟତ ଗୟାସପୁର ପ୍ରାଥମିକ ବିଦ୍ୟାଳୟକୁ ସରକାର ଉଚ୍ଛେଦ କରି ଏହାକୁ ନିକଟସ୍ଥ ଗୋବିନ୍ଦପୁର ପ୍ରାଥମିକ ବଦ୍ୟାଳୟରେ ମିଶ୍ରଣ କରିଛନ୍ତି। ଏହାକୁ ନେଇ ଗୟାସପୁର ଗ୍ରାମବାସୀ ଓ ଅଭିଭାବକଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ପ୍ରକାଶ ପାଇଛି। ଏହି ନିଷ୍ପତ୍ତିକୁ ସେମାନେ ବେଆଇନ ଦର୍ଶାଇ ବିରୋଧ କରି ଆସୁଛନ୍ତି। ଏହାର ପୁର୍ନବିଚାର ପାଇଁ ଦାବି କରି ଆସୁଛନ୍ତି। ଏପରିକି ହାଇକୋର୍ଟଙ୍କ ଦ୍ବାରସ୍ଥ ବି ହୋଇଛନ୍ତି। ତେବେ କିଛି ସୁଫଳ ନ ମିଳିବାରୁ ସେମାନେ ପ୍ରତିକ୍ରିୟାଶୀଳ ରାସ୍ତାକୁ ଓହ୍ଲାଇଛନ୍ତି। ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଶତାଧିକ ଗ୍ରାମବାସୀ ଓରତ-ଅଙ୍ଗୁଳାଇ ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତା ଅବରୋଧ କରି ଗଣଧାରଣା ଦେଇଛନ୍ତି। ଗ୍ରାମବାସୀଙ୍କ କହିବାନୁଯାୟୀ, ୨୦୧୯–୨୦ ଶିକ୍ଷାବର୍ଷରେ କରୋନା ପାଇଁ ସ୍କୁଲ ବନ୍ଦ ରହିଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ସଂଖ୍ୟା ଥିଲା ୩୮। ପରବର୍ତ୍ତୀ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଥିଲା। ତେବେ ଶିକ୍ଷା ବିଭାଗର ଅଧିକାରୀମାନେ ଚକ୍ରାନ୍ତ କରି ଏହି ବିଦ୍ୟାଳୟକୁ ଉଚ୍ଛେଦ କରିଥିଲେ। ସ୍ଥାନୀୟ ଅଂଚଳର ଏହି ପୁରାତନ ବିଦ୍ୟାଳୟ ୧୮୮୫ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏଣୁ ଏଭଳି ଏକ ପୁରାତନ ଶିକ୍ଷାନୁଷ୍ଠାନକୁ ଉଚ୍ଛେଦ କରି ଅନ୍ୟ ଏକ ନୂଆ ସ୍କୁଲ ସହିତ ମିଶାଯିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ ବୋଲି ଗ୍ରାମବାସୀ ଦର୍ଶାଇଥିଲେ।

ଆଜି ସକାଳ ପ୍ରାୟ ସାଢେ ୫ଟା ସମୟରେ ଗୟାସପୁର ଗ୍ରାମର ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଅଙ୍ଗୁଳାଇ-ଓରତ ରାସ୍ତାର ଗୟାସପୁର ଲକ୍ଷ୍ମୀଛକଠାରେ ଧାରଣା ଦେଇଥିଲେ। ଉକ୍ତ ରାସ୍ତା ଦେଇ ଯାନବାହନ ଚଳାଚଳ ବନ୍ଦ ହୋଇ ଯାଇଥିଲା। ଦିନ ପ୍ରାୟ ସାଢେ ୧୦ଟା ସମୟରେ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରିଣୀ ସୁରମା ମହାପାତ୍ର, ମହାକାଳପଡା ଅତିରିକ୍ତ ତହସିଲଦାର ଗଗନ ବିହାରୀ ଦାଶ, ମହାକାଳପଡା ଥାନା ଦାୟିତ୍ବରେ ଥିବା ଜମ୍ବୁ ସାମୁଦ୍ରିକ ଥାନାଧିକାରୀ ପରେଶ କୁମାର ମହାନ୍ତି, ବ୍ଳକ୍‌ ଶିକ୍ଷାଧିକାରୀ ତନ୍ମୟ କୁମାର ବେହେରା, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ବିଚିତ୍ରାନନ୍ଦ ସାମଲ ପ୍ରମୁଖ ଗଣଧାରଣାସ୍ଥଳରେ ପହଞ୍ଚି ଧାରଣାରତ ଲୋକମାନଙ୍କୁ ବୁଝାସୁଝା କରିଥିଲେ। ମାମଲା ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ରାୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଶିକ୍ଷା ବିଭାଗ ବିଦ୍ୟାଳୟର ବାସ୍ତବ ସ୍ଥିତି ଅନୁଧ୍ୟାନ କରି ଏ ସର୍ମ୍ପକରେ ଅନୁକୂଳ ରିପୋର୍ଟ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଅଭିଭାବକମାନେ କୈାଣସି ପରିସ୍ଥିତିରେ ସେମାନଙ୍କ ପିଲାମାନଙ୍କୁ ଗୋବିନ୍ଦପୁର ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବା ପାଇଁ ପଠାଇବେ ନାହିଁ ବୋଲି ରୋକଠୋକ କହିବା ସହିତ ପୂର୍ବ ଭଳି ଉଚ୍ଛେଦ ହୋଇଥିବା ନିଜ ଗ୍ରାମ ସ୍କୁଲରେ ଓ ନିଜ ଖର୍ଚ୍ଚରେ ଘରୋଇ ଶିକ୍ଷକଙ୍କୁ ନିଯୁକ୍ତି ଦେଇ ପାଠ ପଢାଇବେ ବୋଲି କହିଥିଲେ। ଅପରାହ୍ନ ପ୍ରାୟ ୨ଟା ସମୟରେ ସେମାନେ ଧାରଣାରୁ ଓହରି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe