Sambad
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଉତ୍କଟ ଜଳ ସମସ୍ୟା ମଧ୍ୟ ଲାଗି ରହିଛି। ଏପରିକି ଜିଲ୍ଲାର ଦୁର୍ଗମ ଅଞ୍ଚଳର କଥା ନକହିବା ଭଲ। ଲୋକେ ବାରମ୍ବାର ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ଅଭଯୋଗ କରୁଛନ୍ତି।ଏଭଳି ଏକ ଗ୍ରାମ ହେଉଛି ଖଇରପୁଟ ବ୍ଲକର ପୋଡାଘାଟ ପଞ୍ଚାୟତର ଅମଳାଭଟ୍ଟା ଗ୍ରାମ। ଏହି ଗ୍ରାମରେ ୮୫ ପରିବାର ବସବାସ କରୁଛନ୍ତି। ଗ୍ରାମରେ ଏବେ ଉତ୍କଟ ଜଳ ସମସ୍ୟା। ଗାଁରେ ଥିବା ୪ଟି ନଳକୂପ ମଧ୍ୟରୁ ଦୁଇଟି ଖରାପ ହୋଇ ପଡିରହିଥିବା ବେଳେ ଆଉ ଦୁଇଟି ଚାଲୁଥିଲେ ବି ସେହି ନଳକୂପର ପାଣି ପିଇବା ରୋଗକୁ ନିମନ୍ତ୍ରଣ କରିବା ଭଳି। ତେଣୁ ଏହି ନଳକୂପର ପାଣିକୁ ଗାଈ ଗାଧୋଇବା ସହ ଅନ୍ୟାନ୍ୟ କାମ କରିବାକୁ ପଡୁଛି। ଲୋକେ ବାଧ୍ୟ ହୋଇ ନିକଟସ୍ଥ ନଦୀ ନିକଟରେ ଏକ ଚୁଆ ଖୋଳି ସେଥିରୁ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।
Sambadଏହା ଆଜିର ଘଟଣା ନୁହେଁ, ବରଂ ବର୍ଷବର୍ଷ ଧରି ଲୋକେ ଏଭଳି ଦୁର୍ଦ୍ଦଶାର ଶିକାର ହୋଇ ପଡି ରହିଛନ୍ତି। ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହିଛନ୍ତି। ନିର୍ବାଚନ ସମୟରେ ମଧ୍ୟ ଗାଁକୁ ଭୋଟ ମାଗିବାକୁ ଆସିଥିବା ରାଜନେତା ଏବଂ ଲୋକ ପ୍ରତିନିଧି ମାନଙ୍କୁ ଗ୍ରାମରେ ପାଣିର ଘୋର ସମସ୍ୟା ରହିଥିବା ସୂଚନା ଦେବା ସହ ଯେଉଁମାନେ ପାଣିର ବ୍ୟବସ୍ଥା କରିବେ ସେମାନଙ୍କୁ ଭୋଟ ଦେବୁ ବୋଲି କହିଥିଲୁ। ସମସ୍ତେ ଏହାର ସମାଧାନ ନିଶ୍ଚିତ ଭାବେ ନିର୍ବାଚନ ପରେ କରାଯିବ ବୋଲି କହି ଆଜି ପର୍ଯ୍ୟନ୍ତ କାହାରି ଦେଖା ମିଳୁନଥିବା ଗ୍ରାମବାସୀ କହିଥିଲେ। ଏବେ ଜିଲ୍ଲାରେ ପ୍ରବଳ ଗରମ ହେଉଥିବା ବେଳେ ନଦୀନାଳ ଏକ ପ୍ରକାର ଶୁଖିଗଲାଣି। ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ। ବିଭାଗୀୟ ଅଧିକାରୀ ମାନେ ଏସବୁ ଜାଣି ମଧ୍ୟ ଏହାର କୌଣସି ସମାଧାନର ବାଟ ବାହାର କରୁନଥିବା ଦେଖିବାକୁ ମିଳିଛି। ତୁରନ୍ତ ଏହି ଗ୍ରାମରେ ପାଣିର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
Follow Us