ବନ ବିଭାଗ ଗଛ ଲଗାଇବା ପୂର୍ବରୁ ହିଁ ଗଛ କାଟି କାଠ ନେଇଗଲେ ଗାଁ ଲୋକ

Advertisment
ବନ ବିଭାଗ ଗଛ ଲଗାଇବା ପୂର୍ବରୁ ହିଁ ଗଛ କାଟି କାଠ ନେଇଗଲେ ଗାଁ ଲୋକ

Sambad

ଖୋର୍ଦ୍ଧା: ରାଜ୍ୟରେ ଜଙ୍ଗଲ ଓ ବନ୍ୟଜନ୍ତୁ କ୍ଷୟ ପାଇଁ ବନ ବିଭାଗ ଯେତିକି ପରିମାଣରେ ଦାୟୀ ସାଧାରଣ ଲୋକ ମଧ୍ୟ ସେତିକି ପରିମାଣରେ ଦାୟୀ। ଆଜି ଖୋର୍ଦ୍ଧା ଉପକଣ୍ଠରେ ଘଟିଥିବା ଏକ ଘଟଣାରୁ ପୁଣିଥରେ ଏହା ପ୍ରମାଣିତ ହୋଇଛି। ଖୋର୍ଦ୍ଧା ଉପକଣ୍ଠ ଖୋର୍ଦ୍ଧା-କେରଙ୍ଗ ରାସ୍ତା କଡ଼ରେ ଥିବା ଜଙ୍ଗଲରେ ଆଗାମୀ ବନ ମହୋତ୍ସବରେ ଗଛ ଲଗାଇବାକୁ ବନ ବିଭାଗ ଜଙ୍ଗଲ ମଧ୍ୟରେ ଥିବା ଏକ ବଡ଼ ମୁକ୍ତ ଜଙ୍ଗଲ କିସମ ଜମି ସଫା କରିବା ଆରମ୍ଭ କରିଥିଲେ। ବନ ବିଭାଗର ଜଙ୍ଗଲ ସଫା କରିବା ଦେଖି ଆଖପାଖ ଗାଁ ଲୋକ ବଳକା ଜଙ୍ଗଲରୁ ରାତି ଅଧିଆ ଗଛ କାଟି ନେଇଗଲେ। ଦୁଇଦିନ ପୂର୍ବେ ଖୋର୍ଦ୍ଧା-କେରଙ୍ଗ ରାସ୍ତାର ନାରାୟଣ ମନ୍ଦିର ନିକଟରେ ଥିବା ବନ ବିଭାଗର ଡିମାର୍କେଟେଡ୍ ଜଙ୍ଗଲର ପୂର୍ବେ ଲାଗିଥିବା ସୁନାସିଆ ଗଛ ବା ଜାଳେଣୀକାଠ ଗଛ ଗୁଡ଼ିକୁ ସଫା କରି ସେଠାରେ ଆଗାମୀ ବନ ମହୋତ୍ସବ ପାଇଁ ନୂତନ ବୃକ୍ଷ ଲଗାଇବାକୁ ଡୋଜର ସହାୟତାରେ ଜମି ସମତଳ କରୁଥିଲେ। ଏଥିପାଇଁ ମଜୁରିଆଙ୍କ ଦ୍ୱାରା ବୁଦା ଆଦି ମଧ୍ୟ କଟାଯାଇଥିଲା। ବନ ବିଭାଗର ଏଭଳି ଜଙ୍ଗଲ କାଟିବା ଦେଖି ଆଖପାଖ ଗାଁର ଲୋକମାନେ ରାତି ଅଧିଆ ଜଙ୍ଗଲର ବଳକା ସୁନାସିଆ ଗଛଗୁଡ଼ିକୁ କାଟି ଚୋରାଇ ନେଇ ଯାଇଛନ୍ତି। ଏହାର ସୂଚନା ପାଇଁ କେତେକ ପ୍ରକୃତିପ୍ରେମୀ ସେଠାରେ ପହଞ୍ଚିଥିଲେ। ଗଛକାଟି ନେଉଥିବା ଲୋକଙ୍କୁ ବୁଝାଶୁଝା କରିବା ସହ ଏଭଳି ଗଛ କାଟିବାକୁ ବାରଣ କରିଥିଲେ।

ଲୋକମାନେ ସେମାନଙ୍କ କଥା ନଶୁଣିବାରୁ ସ୍ଥାନୀୟ ଫରେଷ୍ଟ ରେଞ୍ଜର ଜୟକୃଷ୍ଣ ପଣ୍ଡାଙ୍କୁ ସୂଚିତ କରିଥିଲେ। ବନ ବିଭାଗ ସେଠାରେ ପହଞ୍ଚିବା ବେଳକୁ ଲୋକମାନେ ଦୁଇଟି ମିନି ଟ୍ରକ୍ କାଠ ନେଇ ଚାଲି ଯାଇଥିଲେ। ଗୋଟିଏ ଗାଡ଼ିର ନମ୍ବର (ଓଡି ୦୨ ଏୱାଇ ୨୧୨୦) ହୋଇଥିବା ବେଳେ ଅନ୍ୟଟି ନମ୍ବର ବିହୀନ ଥିଲା। ଘଟଣା ସମ୍ପର୍କରେ ଖୋର୍ଦ୍ଧା ରେଞ୍ଜର ଶ୍ରୀ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବନ ବିଭାଗ ସୁନାସିଆ, ଆକାଶିଆ ଆଦି ଗଛ ଲଗାଇବାକୁ ବାରଣ କରିଛି। ଏହାଦ୍ୱାରା ଭୂମଧ୍ୟସ୍ଥ ଜଳସ୍ତର ଓ ଭୁପୃଷ୍ଠ ମୃତ୍ତିକା ହ୍ରାସ ପାଉଥିବାରୁ ଏହା ବଦଳରେ ଆମ୍ବ, ନିମ, ପଳାସ, ଅଶୋକ ଆଦି ଗଛ ଲଗାଇବାକୁ ନିର୍ଦେଶ ଦେଇଛି। ଏଣୁ ଜଙ୍ଗଲରେ ପୂର୍ବେ ଲାଗିଥିବା ସୁନିସିଆ ଗଛକୁ କାଟି ସଫା କରାଯାଉଥିଲା। କଟାଯାଇଥିବା କାଠକୁ ବନ ବିଭାଗ ବନ ନିଗମକୁ ହସ୍ତାନ୍ତର କରିଥାନ୍ତା, କିନ୍ତୁ ଏହା ପୂର୍ବରୁ କେତେକ ବ୍ୟକ୍ତି ସେହି କାଠ ସହ ଆଖପାଖର ଗଛ ଗୁଡ଼ିକୁ କାଟି ନେଇ ଯାଇଛନ୍ତି। ଯେଉଁ ଗାଡ଼ିରେ କାଠ ଚାଲାଣ ହୋଇଛି ସେ ମଧ୍ୟରୁ ଗୋଟିଏକୁ ଚିହ୍ନଟ କରାଯାଇଛି ଓ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦେଶ ଦିଆଯିବା ସହ ଅନ୍ୟ ଗାଡ଼ି ଗୁଡ଼ିକୁ ଚିହ୍ନଟ ପାଇଁ ପ୍ରଚେଷ୍ଟା ଚାଲିଛି। ଏହି ଗାଡ଼ି ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe