ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରିବା ପ୍ରସ୍ତାବ ନାହିଁ; ଭାଇରାଲ ଚିଠିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରିବା ପ୍ରସ୍ତାବ ନାହିଁ; ଭାଇରାଲ ଚିଠିକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା

Sambad

ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ସରକାରୀ ମହାବିଦ୍ୟାଳୟ ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରାଯିବାର କିଛି ଯୋଜନା ନାହିଁ। ଏଭଳି ସ୍ପଷ୍ଟ ଭାବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧାନସଭାର ସଚିବଙ୍କୁ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ଏଥି ପୂର୍ବରୁ ବି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗ ଏବଂ ରୁସା ଜାତୀୟ ମିଶନର ନିର୍ଦେଶିକା କାମିନୀ ଚୌହାନ ରତନଙ୍କୁ ରାଜ୍ୟର ୮ଟି ମହାବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ରୁସା୧.୦ର ଅନୁଦାନର ରିପୋର୍ଟ ଦେଇଥିବା ଚିଠିରେ ବି ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ହେବାକୁ ନେଇ କିଛି ପ୍ରସ୍ତାବ ରହିନଥିଲା। ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରାଯିବା ଯୋଜନା ନଥିବା ଉଚ୍ଚଶିକ୍ଷା ବିଭାଗର ଚିଠି ଭାଇରାଲ ପରେ ଜୟପୁର ସହରରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି ହୋଇଛି। ଗତ କିଛି ମାସ ହେବ ପୂର୍ବତନ ଛାତ୍ରସଂସଦର ସଭା‌ପତି ଏବଂ ରାଜନୈତିକ ନେତୃମଣ୍ଡଳୀ ଏକକ ବିଶ୍ବବିଦ୍ୟାଳୟ ପାଇଁ ପ୍ରୟାସ କରି ଆସୁଛନ୍ତି।

ତେବେ ଏଭଳି ଚିଠିକୁ ନେଇ ପୂର୍ବତନ ଛାତ୍ରସଂସଦର ସଭାପତି ବିଜି ରାୟ ଜେନାଦେଓ, କେ.ଶ୍ରୀନିବାସ ରାଓ, ଧର୍ମେନ୍ଦ୍ର ଅଧିକାରୀ, ବୁଲୁ ଦେବ ଶର୍ମା, ସତୀଶ ସାହୁ, ସଂଗ୍ରାମ ସିଂହ, ସିଦ୍ଧାର୍ଥ ପାଣିଗ୍ରାହୀ, ରଘୁ ନାୟକ, ମାନବିକ ଅଧିକାର କର୍ମୀ ଅନୁପ ପାତ୍ର, ଛାତ୍ରୀ ଅଙ୍କିତା ସାମନ୍ତ, ଚିନ୍ମୟୀ ଦାଶ, ଯଶ୍ମିନ ସିଂହ, ଜୟନ୍ତି ସୋଢ଼ି, ନନ୍ଦିନୀ ପରିଚ୍ଛା, ଅନ୍ବେଷ ପଟ୍ଟନାୟକ ପ୍ରମୁଖ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଛନ୍ତି। ୧୦୦କିଲୋ ମିଟର ମଧ୍ୟରେ ପଶ୍ଚିମ ଓଡିଶାର ୨ଟି କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଗଲା। ଆମକୁ ପାତର ଅନ୍ତର କରିବା କେତେ ଦୁର ଯୁକ୍ତିଯୁକ୍ତ। ୧୯୪୭ ରୁ ୨୦୨୦ ଦୀର୍ଘ ଏତେ ବର୍ଷ ପରେ ବି ଏହି ମହାବିଦ୍ୟାଳୟକୁ ମାନ୍ୟତା ନ ଦେବେ କେତେ ଦୁର ଯୁକ୍ତିଯୁକ୍ତ। ୫ମ ଅଧିସୂଚିତ ଅଂଚଳରେ ଥିବାରୁ ଏହାକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେଲେ ଏଠାକାର ଗରିବ, ଆଦିବାସୀ, ହରିଜନ, ପଛୁଆବର୍ଗ ଆଦିର ପିଲାମାନେ ସେମାନଙ୍କର ଲକ୍ଷ୍ୟ ଓମନପସନ୍ଦର ପାଠ ପଡି ଭଲ ମଣିଷ ହୋଇ ପାରିବେ।

ଦୀର୍ଘ ୭୩ବର୍ଷ ତଳର ପୁରୁଣା ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ହୋଇ ନ ପାରିବା ଦୁର୍ଭାଗ୍ୟଜନକ ଘଟଣା। ରାଜ୍ୟ ସରକାର ଏ ନେଇ କେନ୍ଦ୍ର ସରକାରଙ୍କୁ ତୁରନ୍ତ ପ୍ରସ୍ତାବ ଦେବା ଆବଶ୍ୟକ। ଉଭୟ ସରକାର ଶିକ୍ଷାର ବିକାଶ କଥା କହୁଛନ୍ତି। ତାହାକୁ କାର୍ୟ୍ୟକାରୀ କରିବା ପାଇଁ ନିଶ୍ଚିତ ରୁପେ ବିକ୍ରମ ଦେବ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ଆବଶ୍ୟକ। ଅବିଭକ୍ତ କୋରାପୁଟ ଜିଲ୍ଲାର କୋଣ ଅନୁକୋଣ, ଗ୍ରାମାଂଚଳର ପିଲା ମାନେ ଏଠାରେ ପଡୁଛନ୍ତି। ତେବେ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ନେବା ସହଜ ହୋଇ ପାରୁନି। ଭୁବନେଶ୍ବର, ବ୍ରହ୍ମପୁର ଯାଇ ପାଠ ପଢ଼ିବା ଆମ ଅଂଚଳର ପିଲାଙ୍କ ପାଇଁ ସମ୍ଭବ କି ବୋଲି ଏମାନେ ସବୁ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe