ଲଗାଣ ବର୍ଷାରେ ଘରକାନ୍ଥ ଭୁଶୁଡ଼ି ଶିଶୁ ଗୁରୁତର

ଲଗାଣ ବର୍ଷାରେ ଘରକାନ୍ଥ ଭୁଶୁଡ଼ି ଶିଶୁ ଗୁରୁତର

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଲଗାଣ ବର୍ଷାରେ ଦଳବେଡ଼ା ପଞ୍ଚାୟତ ଅଧିନସ୍ଥ ଭାଟିପଡ଼ା ଗ୍ରାମର ଦୁର୍ଯ୍ୟୋଧନ ବାଗଙ୍କ ଘରକାନ୍ଥ ଭୁଶୁଡ଼ିଛି। ଏହି ଘଟଣାରେ ତାଙ୍କ ୫ ବର୍ଷର ଶିଶୁପୁତ୍ର ଫାଲଗୁନୀ ବାଗ ଗୁରୁତର ହୋଇଥିବା ବେଳେ ଅନକାବେଡା ପଞ୍ଚାୟତ ଅଧିନସ୍ଥ ନୂଆପଡା ଗ୍ରାମର ଦିର୍ଯ୍ୟ ସାହାଣଙ୍କ ଗୁହାଳ ଭାଙ୍ଗି ଯିବାରୁ ଅଳ୍ପକେ ତାଙ୍କ ଦୁଇଟି ବଳଦ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଏହି ଦୁଇ ବ୍ୟକ୍ତି ଆବାସ ଏବଂ ଗୁହାଳ ପାଇଁ ପ୍ରଶାସନକୁ ଗୁହାରି କରି ଶେଷରେ ଏହି ପରିଣାମ ଭୋଗିବାକୁ ପଡ଼ିଛି। ଘଟଣା ସ୍ଥଳକୁ ଚନ୍ଦାହାଣ୍ଡି ତହସିଲ ଦାର ସହଦେବ କୁଟ୍ରୁକା ଏବଂ ବି ଡି ଓ ରାମକୃଷ୍ଣ ନାୟକ ପରିଦର୍ଶନ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଗତ ୩ ଦିନ ହେବ ଏଠାରେ ଲଗାଣ ବର୍ଷା ଲାଗି ରହିଛି। ଭାଟିପଡ଼ା ଗ୍ରାମର ଦୁର୍ଯ୍ୟନ ବାଗ ଅତି ଗରୀବ ଶ୍ରେଣୀର ହୋଇ ଥିବାରୁ ଗୃହ ଅଭାବରେ ପୁରୁଣା କାଳିଆ ଝାଟି ମାଟି ଘରେ ତାଙ୍କ ସ୍ତ୍ରୀ ଏବଂ ୫ ବର୍ଷ ର ଶିଶୁପୁତ୍ର ଦୟନୀୟ ଅବସ୍ଥାରେ ଜୀବନଯାପନ କରନ୍ତି। ଆଜି ସକାଳୁ ତାଙ୍କ ପୁଅ ଫାଳଗୁନି ବାଗ ଘରେ ଥିବା ସମୟରେ ହଠାତ କାନ୍ଥ ଭୁଶୁଡ଼ି ଶିଶୁପୁତ୍ର ଉପରେ ପଡ଼ିବାରୁ ସେ ଚାପି ହୋଇଥିଲେ।

ସ୍ଥାନୀୟ ଲୋକେ ଉଦ୍ଧାର କରି ତୁରନ୍ତ ସେଠାରୁ ଚିକିତ୍ସା ପାଇଁ ୧୦୮ ଯୋଗେ ଚନ୍ଦାହାଣ୍ଡି ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରି ଥିଲେ। ସେଠାରେ ଡାକ୍ତର ପ୍ରିୟଦର୍ଶୀ ତହସିନଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାର ସୁଧାର ନ ଆସିବା ରୁ ଅଧିକା ଚିକିତ୍ସା ପାଇଁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିବା ନେଇ ଡାକ୍ତର ତହସିନ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ବାଳକର ମୁଣ୍ଡରେ ରକ୍ତ ଜମିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି।

ଖବର ପାଇ ତହସିଲଦାର ସହଦେଵ କୁଟ୍ରୁକା, ଏଆରଆଇ ଅନନ୍ତ ସିନ୍ନା ପହଁଚି ସବିଶେ ତଥ୍ୟ ସଂଗ୍ରହ କରିଛନ୍ତି। ବିଡିଓ ରାମକୃଷ୍ଣ ନାୟକ ଘଟଣାସ୍ଥଳ ପରିଦର୍ଶନ କରି ପରିବାର ସଦସ୍ୟଙ୍କୁ ଭେଟି ଘଟଣା ସମ୍ପର୍କରେ ବୁଝିଥିଲେ। ପରିବାରଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହ ଆବାସ ଗୃହ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ପରି ଲଗାଣ ବର୍ଷାରେ ଝାଟି ମାଟି ଗୁହାଳରେ ବନ୍ଧା ଯାଇଥିବା ନୂଆପଡା ଗ୍ରାମର ଦିର୍ଯ୍ୟ ସାହାଣଙ୍କ ଗୁହାଳ ଭୁଶୁଡି ଯାଇଥିବାରୁ ବିଡିଓ ଶ୍ରୀ ନାୟକ ଚାଷୀଙ୍କୁ ଖୁବ ଶୀଘ୍ର ଗୁହାଳ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe