Sambad
ଡେରାବିଶ: ଡେରାବିଶ ବ୍ଲକ୍ ନହଙ୍ଗ ପଂଚାୟତ ଅନ୍ତର୍ଗତ ନୀଳକଣ୍ଠପୁର କେଳାସାହି ୫୦ ବର୍ଷ ହେଲା ସ୍ଥାପିତ ହେଲାଣି। ହେଲେ, ଏଠାରେ ପାନୀୟଜଳର କିଛି ବ୍ୟବସ୍ଥା​ ନଥିଲା। ପ୍ରତିଦିନ ସକାଳୁ ଉଠି ସାହିବାସିନ୍ଦାମାନେ ଏକତ୍ର ହୋଇ ପ୍ରାୟ ୨କିମି ବାଟ ଚାଲି ପାଣି ବୋହିକି ଆଣୁଥିଲେ। ସାହିବାସିନ୍ଦାଙ୍କ ଏହି ଜଳଯନ୍ତ୍ରଣା ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ପ୍ରଶାସନ ଚେତିଛି। ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର ଅଧିକାରୀମାନେ ଉକ୍ତ ସାହିରେ ପହଂଚି ପରିସ୍ଥିତି ଦେଖିବା ସହିତ ସେମାନଙ୍କ ସମସ୍ୟାର ନିରାକରଣ ପାଇଁ ପଦକ୍ଷେପ ନେଇଛନ୍ତି। ଆଜିଠାରୁ ବିଭାଗ ଦ୍ବାରା ପଂଚାୟତ ତତ୍ତ୍ବାବଧାନରେ ଏହି ସାହିକୁ ପ୍ରଥମ କରି ଟ୍ୟାଙ୍କର୍ ଯୋଗେ ଘର ନିକଟରେ ପାନୀୟଜଳ ଯୋଗାଇ ଦିଆଯାଇଛି। ଦୀର୍ଘବର୍ଷର ଯନ୍ତ୍ରଣା ପରେ ପ୍ରଥମ କରି ଘର ନିକଟରେ ପାଣି ପାଇଥିବା ଉକ୍ତ କେଳାସାହି ଆଜି ସତେ ଯେପରି ଉତ୍ସବମୁଖର ହୋଇ ଉଠିଛି। ସକାଳୁ ସରପଂଚ ବିଳାସିନୀ ସେଠୀଙ୍କ ପ୍ରତିନିଧି କୃତିବାସ ସେଠୀଙ୍କ ତତ୍ତ୍ବାବଧାନରେ ଟ୍ୟାଙ୍କର ଉକ୍ତ ସାହିରେ ପହଂଚିଥିଲା। ସାହି ବାସିନ୍ଦାମାନେ ଧାଡ଼ି ଲଗାଇ ଆବଶ୍ୟକୀୟ ପାଣି ନେଇଥିଲେ। ପ୍ରଥମକରି ଘର ପାଖରେ ପାଣି ପାଇବା ଖୁସିରେ ସାହିରେ ମିଠା ବଣ୍ଟାଯାଇଥିଲା।
\ସାହିବାସିନ୍ଦାମାନେ ବିଭାଗୀୟ ଅଧିକାରୀ ଓ ପଞ୍ଚାୟତ ପ୍ରଶାସନ ସମେତ ଉପରସ୍ତରରେ ତାଙ୍କ ଦାବୀ ଉପସ୍ଥାପନ କରି ଆସିଥିବା ପ୍ରାକ୍ତନ ସରପଂଚ ଉମାକାନ୍ତ ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି। ତେବେ ଏହି ଅସ୍ଥାୟୀ ବ୍ୟବସ୍ଥାର ଯଥାଶୀଘ୍ର ସ୍ଥାୟୀ ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ବାସିନ୍ଦାମାନେ ଦାବି ଜଣାଇଛନ୍ତି। ସୂଚନା ଅନୁଯାୟୀ, ପ୍ରାୟ ୫୦ ବର୍ଷ ପୂର୍ବେ ଏକ କେଳା ପରିବାର ଗ୍ରାମର ଉକ୍ତ ସରକାରୀ ଜାଗାରେ ଘର କରି ରହିବା ଆରମ୍ଭ କରିଥିଲେ। କାଳକ୍ରମେ ଓାର୍ଡ ନଂ ୭ର ଉକ୍ତ ସରକାରୀ ସ୍ଥାନରେ ଏହି ସଂପ୍ରଦାୟ ପରିବାର ସଂଖ୍ୟା ବଢିବା ସହିତ ବର୍ତମାନ ୧୦/୧୨ ପରିବାର ବିଶିଷ୍ଟ ଏକ ସାହିରେ ପରିଣତ ହୋଇଛି। ଏହି ସାହିର ବାସିନ୍ଦାମାନେ ଜଳଯନ୍ତ୍ରଣା ସମସ୍ୟାରେ ଥିଲେ ହେଁ ବିଭାଗ ପକ୍ଷରୁ ନଳକୂଅଟିଏ ମଧ୍ୟ ବସାଯାଇ ନାହିଁ। କୂଅଟିଏ ମଧ୍ୟ ନାହିଁ। ତେଣୁ ସାହିବାସିନ୍ଦା ମାନେ ଦୈନିକ ୨ କିମି ଚାଲି ଛନ୍ଦା ଗ୍ରାମସ୍ଥିତ ପତ୍ରସଉରାଣୀ ଠାକୁରାଣୀଙ୍କ ପୀଠରେ ଥିବା ନଳକୂଅରୁ ପାଣି ବୋହି ଆଣି ବ୍ୟବହାର କରୁଥିଲେ। ସମସ୍ୟା ସମ୍ପର୍କ​ରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହିତ ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ଉକ୍ତ ସାହିବାସିନ୍ଦାଙ୍କୁ ପଂଚାୟତ ତତ୍ତ୍ବାବଧାନରେ ଟ୍ୟାଙ୍କର୍ ଯୋଗେ ପାଣି ଯୋଗାଇବା ଆରମ୍ଭ କରାଯାଇଛି।
Follow Us