‘ବସୁଧା’ ଫେଲ୍‌, ଜଳ ଯୋଗାଣ କାଗଜପତ୍ରରେ

‘ବସୁଧା’ ଫେଲ୍‌, ଜଳ ଯୋଗାଣ କାଗଜପତ୍ରରେ

Sambad

ଗରଦପୁର: ଗରଦପୁର ବ୍ଲକ୍ ତେଣ୍ତାକୁଡ଼ାରେ ପାଣି ସମସ୍ୟା ସୀମା ବାହାରେ। ଲୋକଙ୍କୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। କିନ୍ତୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରମାନେ ନିମ୍ନମାନର ଯନ୍ତ୍ରାଂଶ ଓ ପାଇପ୍ ବିଛାଇ ଟଙ୍କା ହଡ଼ପ କରିବାରେ ବ୍ୟସ୍ତ ରହୁଛନ୍ତି। ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା କେବଳ କାଗଜପତ୍ରରେ ସୀମିତ ରହୁଛି। ତେଣ୍ତାକୁଡ଼ାଠାରେ ‘ବସୁଧା’ ଯୋଜନାର ବିକଳ ଚିତ୍ର ଦେଖିବାକୁ ମିଳିଛି।

ତେଣ୍ତାକୁଡ଼ା ୫ ନମ୍ବର ୱାର୍ଡ଼ରେ ଥିବା ହରିଜନ ସାହି(ଡ଼ମ ସାହି) ଛକରେ ଥିବା ଷ୍ଟାଣ୍ତପୋଷ୍ଟ ୭ ବର୍ଷ ହେଲା ଭାଙ୍ଗି ପଡ଼ି ରହିଛି। ସମ୍ପୃକ୍ତ ସାହିକୁ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ବି ସେଥିପ୍ରତି ବିଭାଗୀୟ ଯନ୍ତ୍ରୀ କିମ୍ବା ପ୍ରଶାସନର ନିଦ ଭାଙ୍ଗୁନାହିଁ। ସେହିପରି ଏହି ପଂଚାୟତର ଜୟତଳଙ୍ଗ ଏକ ବଡ଼ ରାଜସ୍ବ ଗ୍ରାମ। ଏହି ଗ୍ରାମକୁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବାରମ୍ବାର ଦାବି କରାଯିବା ପରେ ପଂଚାୟତ ସମିତି ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପାଇପ୍ ବିଛାଯିବା ପାଇଁ ମାପଚୁପ କରାଗଲା। ହେଲେ ଏହାମଧ୍ୟରେ ୭ ବର୍ଷରୁ ଅଧିକ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।

ସେହିପରି ଦୀର୍ଘ ୨୦ ବର୍ଷ ହେଲା ତେଣ୍ତାକୁଡ଼ାଠାରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା ବେଳେ ଏଠାରେ ଏକ ଓଭରହେଡ଼୍ ପାଣି ଟାଙ୍କି ନିର୍ମାଣ କରାଯାଇପାରିନାହିଁ। ବସନ୍ତପୁରଠାରେ ‘ବସୁଧା’ ଯୋଜନାରେ ଆଉ ଏକ ପ୍ରକଳ୍ପ ୬ ବର୍ଷ ହେଲା ନିର୍ମାଣ ସରିଛି। ତାହା କାର୍ଯ୍ୟକାରୀ ହେଉନାହିଁ। କେବଳ ଠିକାଦାରଙ୍କୁ ପୋଷିବା ଓ ସରକାରୀ ତହବିଲ ହଡ଼ପ କରିବା ବ୍ୟତୀତ ଅନ୍ୟ କୌଣସି ଲାଭ ଲୋକଙ୍କୁ ମିଳିନାହିଁ ବୋଲି ବସନ୍ତପୁର ଓ ନରଡ଼ା ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe