ବାଘଖଦରା ଗ୍ରାମରେ ଉତ୍କଟ ପାନୀୟ ଜଳ ସଂକଟ

ବାଘଖଦରା ଗ୍ରାମରେ ଉତ୍କଟ ପାନୀୟ ଜଳ ସଂକଟ

Sambad

ଗୋବିନ୍ଦପାଲ୍ଲୀ: ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ମର ରାଜୁତି ଚାଲିଛି। ଚାରିଆଡେ ପ୍ରବଳ ଗରମ ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇ ପଡିଲେଣି। ଏହାଠୁ ବଳିଯାଇଛି ପାନୀୟ ଜଳ। ଜିଲ୍ଲାରେ ଥିବା ନଦୀନାଳ ଏବେ ଶୁଖିଯାଇଥିବା ବେଳେ କୂଅ ଓ ନଳକୂପରୁ ପାଣି ବାହାରୁ ନାହିଁ। ଖଇରପୁଟ ବ୍ଲକର ମାଡକାପଦର ପଞ୍ଚାୟତର ବାଘଖଦରା ଗ୍ରାମରେ ଏବେ ଉତ୍କଟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଏହି ଗ୍ରାମରେ ପ୍ରାୟ ୨୫ ଘର ରହିଥିବା ବେଳେ ଦେଢଶହ ଲୋକ ବସବାସ କରୁଛନ୍ତି। ଗ୍ରାମରେ ପାନୀୟ ଜଳର ସେମିତି କୌଣସି ସୁବିଧା ନଥିବା ବେଳେ ଲୋକେ ଚୁଆ ପାଣି ଉପରେ ହିଁ ନିର୍ଭର କରିବାକୁ ପଡୁଛି। ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏହି ଗ୍ରାମକୁ ଆଜି ବି ପାନୀୟ ଜଳ ପହଞ୍ଚି ପାରିଲା ନାହିଁ। ଲୋକେ ବର୍ଷ ତମାମ ପାନୀୟ ଜଳ ପିଇବା ଯୋଗୁଁ ନାହିଁ ନଥିବା ସଂକ୍ରାମକ ରୋଗରେ ପଡି ଜୀବନ ହାରୁଛନ୍ତି।

publive-image Sambad

ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ କହିଛନ୍ତି। ବର୍ଷା ଦିନ ହେଲେ ଚୁଆ ପାଣି ଗୋଳିଆ ହୋଇଯାଉଥିବାରୁ ସେହି ପାଣିକୁ ପିଇବା କଷ୍ଟକର ହୋଇପଡୁଥିବା ଗ୍ରାମବାସୀ କହନ୍ତି। ଘାଟି ଉପରେ ରହିଥିବା ଏହି ଗ୍ରାମକୁ ପକ୍କା ରାସ୍ତା ମଧ୍ୟ ନଥିବା ବେଳେ ଲୋକେ ଅତି ଦୟନୀୟ ଭାବେ ରହୁଛନ୍ତି। ଗ୍ରୀଷ୍ମ ଋତୁରେ ଲୋକେ ପାଣି ପାଇଁ ବାଧ୍ୟ ହୋଇ ମାଇଲ ମାଇଲ ବାଟ ମଧ୍ୟ ଚାଲୁଥିବା କହନ୍ତି। ପ୍ରଶାସନ ତୁରନ୍ତ ବାଘଖଦରା ଗ୍ରାମରେ ପାନୀୟ ଜଳର ସୁବିଧା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe