ପାରାଦୀପ ଉପକଣ୍ଠରେ ପାନୀୟ ଜଳ ସମସ୍ୟା ଉତ୍କଟ, ଘର ଉପରେ ପାଲ ଟାଣି ବର୍ଷା ଜଳ ସଂରକ୍ଷଣ

Advertisment
ପାରାଦୀପ ଉପକଣ୍ଠରେ ପାନୀୟ ଜଳ ସମସ୍ୟା ଉତ୍କଟ, ଘର ଉପରେ ପାଲ ଟାଣି ବର୍ଷା ଜଳ ସଂରକ୍ଷଣ

Sambad

ଜଗତସିଂହପୁର: ପାରାଦୀପ ଉପକଣ୍ଠ ଗାଁଗୁଡ଼ିକରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ପିଇବା ପାଣି ପାଇଁ ଲୋକମାନେ ଡହଳ ବିକଳ ହେଉଛନ୍ତି। ବିଶେଷ କରି ବିଶ୍ବାଳି ପଞ୍ଚାୟତ କୋଲଡିଆ ଗ୍ରାମବାସୀ ପାନୀୟ ଜଳ ପାଇଁ ବେଶୀ ସମସ୍ୟା ଭୋଗୁଛନ୍ତି। ଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ଗୋଟିଏ କିଲୋମିଟର ଦୂର ବିଶ୍ବାଳି କିମ୍ବା ନୁଣୁକୁଆ ଗାଁକୁ ଯାଉଛନ୍ତି। ଆଶ୍ଚର୍ଯ୍ୟ ଜନକ କଥା ହେଲା ବର୍ଷା ହେଲେ ପିଇବା ପାଣି ପାଇଁ ଲୋକେ ଘର ଉପରେ ପାଲ ଟାଣି ଏହାକୁ ସଂଗ୍ରହ କରି ରଖୁଛନ୍ତି। ସେପଟେ ସରକାରଙ୍କ ପକ୍ଷରୁ ନିର୍ମାଣ କରିବା ପାଇଁ ଥିବା ପାନୀୟ ଜଳ ପ୍ରକଳ୍ପ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରି ନାହିଁ।
ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ। ଏ ହେଉଛି ବନ୍ଦର ନଗରୀ କୁହାଯାଉଥିବା ପାରାଦୀପ ଉପକଣ୍ଠ ଗାଁ ଗୁଡ଼ିକର ସମସ୍ୟା। ପାରାଦୀପରେ ଦିନକୁ ଦିନ ଶିଳ୍ପ ସଂଖ୍ୟା ବଢ଼ି ଚାଲିଛି। ଶିଳ୍ପ ପାଇଁ ସ୍ଥାନୀୟ ବାସିନ୍ଦା ଜାଗା ମଧ୍ୟ ଦେଉଛନ୍ତି। ଏଣୁ ଏହି ଅଞ୍ଚଳ ଗୁଡ଼ିକ ସେମିତି ସମୃଦ୍ଧ ହୋଇଥିବ ବୋଲି ସମସ୍ତଙ୍କ ଧାରଣା। ମାତ୍ର ବାସ୍ତବରେ ଏଠାରେ ଉପାନ୍ତ ଅଞ୍ଚଳ ଭଳି ପିଇବା ପାଣିର ଯେ ଉତ୍କଟ ସମସ୍ୟା ରହିଛି, ତାହା ବୋଧହୁଏ ଖୁବ୍ କମ୍ ଲୋକେ ଜାଣିଥିବେ। ପାରାଦୀପ ଉପକଣ୍ଠ ବିଶ୍ବାଳି ପଞ୍ଚାୟତ କୋଲଡିଆ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି।

ଗାଁର ନଳକୂପରୁ ବାହାରୁଥିବା ପାଣି ଗାଧୋଇବା ପାଇଁ ମଧ୍ୟ ଯୋଗ୍ୟ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନଳକୂପରୁ ବାହାରୁଥିବା ପାଣିରେ ଲୌହ ଭାଗ ଅଧିକ ରହୁଥିବାରୁ ପାଣି ବ୍ୟବହାର କଲେ ଦେହରେ ଦାଗ ହୋଇଯିବା ସହ ପୋଷାକ ମଧ୍ୟ ନଷ୍ଟ ହୋଇଯାଉଛି। ଫଳରେ ବାଧ୍ୟ ହୋଇ ପିଇବା ପାଣି ଲୋକ ୧ କିମି ଦୂର ବିଶ୍ବାଳି କିମ୍ବା ନୁଣୁକୁଆ ଗାଁକୁ ଯାଉଛନ୍ତି। ବର୍ଷା ‌ହେଲେ ଛାତ ଉପରେ କିମ୍ବା ଘର ସାମ୍ନାରେ ପାଲ ବାନ୍ଧି ଏହି ପାଣିକୁ ବ୍ୟବହାର ପାଇଁ ସଂରକ୍ଷିତ ରଖୁଛନ୍ତି। ବର୍ଷ ବର୍ଷ ଧରି ଏହି ଲୋକମାନେ ଏମିତି ସମସ୍ୟା ଭୋଗୁଛନ୍ତି। ଗାଁର ୫୦ରୁ ଅଧିକପରିବାର ବର୍ଷା ହେଲେ ବଡ଼ ବଡ଼ ବ୍ୟାରେଲ, ହାଣ୍ଡି, ମାଠିଆରେ ପାଣି ସଂଗ୍ରହ କରି ଏହାକୁ ବ୍ୟବହାର କରୁଛନ୍ତି। କେବଳ ଏହି ଗାଁ ନୁହେଁ ନରେନ୍ଦ୍ରପୁର, ପିତାମ୍ବରପୁର, କାଠଗଡ଼ା ଓ ଠାପୁଡ଼ିଆ ଆଦି ଗାଁରେ ଏହି ସମସ୍ୟା ଲାଗି ରହିଛି। ବିଶ୍ବାଳି ଗାଁ ନିକଟରେ ବ୍ଲକ୍ ପ୍ରଶାସନ ପକ୍ଷରୁ ତିନି କୋଟି ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ମାତ୍ର ଏହି ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଶେଷ ହୋଇ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ। କେବଳ ସାଧାରଣ ନିର୍ବାଚନ ଆସିଲେ ରାଜନୈତିକ ଦଳ ଗୁଡ଼ିକ ବିଭିନ୍ନ ପ୍ରକାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ବର୍ଷ ବର୍ଷ ଧରି ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ରାଜନେତାମାନେ ସମସ୍ତେ ଅବଗତ ଅଛନ୍ତି। ମାତ୍ର କିଛି ବି ସୁଫଳ ମିଳୁ ନାହିଁ। ଏଣୁ ଆଗାମୀ ନିର୍ବାଚନରେ ସେମାନଙ୍କୁ ମୁହଁ‌ତୋଡ଼ ଜବାବ ଦିଆଯିବ ବୋଲି କୋଲଡିଆ ଗାଁର ସୁପ୍ରାରାଣୀ ଦାସ, ପରକ୍ଷିତ ସାମଲ, ଧୀରେନ୍ଦ୍ର ମହାନ୍ତି, ସତ୍ୟଶିବ ପରିଡ଼ା ଓ ବୀଣା ପରିଡ଼ା ପ୍ରମୁଖ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe