ସରି ସରି ଯାଉଛି ଅବଧି ସମୟ, ମେଗା ପାଇପ ପ୍ରୋଜେକ୍ଟ କାମ ସରିବ କେବେ?

Advertisment

ପାଣି ପାଇଁ ଅନେଇ ବସିଛନ୍ତି ୫୧ ଗ୍ରାମର ୧ ଲକ୍ଷ ଗ୍ରାମବାସୀ

ପାଣି ପାଇଁ ଅନେଇ ବସିଛନ୍ତି ୫୧ ଗ୍ରାମର ୧ ଲକ୍ଷ ଗ୍ରାମବାସୀ

ସରି ସରି ଯାଉଛି ଅବଧି ସମୟ, ମେଗା ପାଇପ ପ୍ରୋଜେକ୍ଟ କାମ ସରିବ କେବେ?

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏବେ ଗ୍ରୀଷ୍ଣର ପ୍ରଖରତା ବଢିବାରେ ଲାଗିଛି। ଲୋକେ ସକାଳ ୧୦ ହେଲେ ଘରୁ ଆଉ ପଦାକୁ ବାହାରିବା ମୁସକିଲ ହୋଇପଡୁଛି। ତାପମାତ୍ରା ୪୨ ଡେଇଁଲାଣି। ଗରମରୁ ଲୋକେ ମୁକୁଳି ପାରୁନଥିବା ବେଳେ ପାଣି ସମସ୍ୟା ମଧ୍ୟ ଉତ୍କଟ ହେବାକୁ ଲାଗିଲାଣି। ଗାଁ ଗାଁରେ ଏବେ ନଈନାଳ, କୂଅ, ନଳକୂପ ଶୁଖିବାକୁ ଲାଗିଲାଣି। ନଳକୂପରୁ ମଧ୍ୟ ଏବେ ଆଉପାଣି ବାହାରୁ ନାହିଁ।  ତେଣୁ ଲୋକେ ମାଇଲ ମାଇଲ ବାଟ ଚାଲି ଚୁଆରୁ ପାଣି ସଂଗ୍ରହ କରୁଥିବା ଦୃଶ୍ୟ ପ୍ରାୟତଃ ଗ୍ରାମ ଗୁଡିକରେ ଦେଖିବାକୁ ମିଳୁଛି। ଜିଲ୍ଲାରେ ପାଣିର ଉତ୍କଟ ସମସ୍ୟାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ୨୦୧୯ ମସିହାରେ ଜିଲ୍ଲାରେ ୧୦ଟି ମେଗା ପାଇପ ଵାଟେର ସପ୍ଲାଇ ପ୍ରୋଜେକ୍ଟକୁ ମଞ୍ଜୁର କରିଥିଲେ। ଏହି ୧୦ଟି ମେଗା ପାଇପ ଵାଟେର ପ୍ରୋଜେକ୍ଟ ମଧ୍ୟରୁ ଗୋଟିଏ ଵାଟେର ପ୍ରୋଜେକ୍ଟର ସ୍ଥିତି ଆମେ ପରଖି ଥିଲୁ। ଯାହାକୁ ମାଲକାନଗିରି ବ୍ଲକର ୫ଟି ପଞ୍ଚାୟତ ଏବଂ କାଲିମେଳା ବ୍ଲକର ୫ଟି ପଞ୍ଚାୟତରେ ପ୍ରାୟ ୧୧୯ କୋଟି ଟଙ୍କା ବ୍ୟୟରେ ଏକ ମେଗା ପାଇପ ଵାଟେର ପ୍ରୋଜେକ୍ଟ ପୋଟେରୁ ନଦୀ କୂଳରେ ଥିବା ଏମଭି-୩୯ ଗ୍ରାମରେ ନିର୍ମାଣ ହେବ। ଯାହାଫଳରେ ଏହି ୧୦ଟି ପଞ୍ଚାୟତର ୫୧ଟି ଗ୍ରାମର ପ୍ରାୟ ୧ ଲକ୍ଷ ଲୋକ ଉପକୃତ ହେବେ। ଏହି ପ୍ରୋଜେକ୍ଟ ମାଲକାନଗିରି ବ୍ଲକର ମାଟାପାକା, ଗୋରାଖଣ୍ଟା, ଶିଖପାଲୀ, ବଦଲି ଏବଂ ତମସା ହୋଇଥିବା ବେଳେ କାଲିମେଳା ବ୍ଲକର ବଡିଗେଟା ଗୋମ୍ଫାକୋଣ୍ଡା, କାଲିମେଳା, କୋଇମେଟଲା ଏବଂ ଭେଙ୍କେଟାପାଲମ ପଞ୍ଚାୟତ ରହିଛି। ଏହି ପ୍ରୋଜେକ୍ଟକୁ ମହାରାଷ୍ଟ୍ରର ଜେଏଣସି/ଜେଡବ୍ଲୁଆଇଏଲ କମ୍ପାନିକୁ ଗତ ୨୦୨୦ ମସିହା ସେପ୍ଟେମ୍ବର ୧୧ ତାରିଖରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି।

ଏହି ପ୍ରକଳ୍ପର ଶେଷ ଅବଧି ସମୟ ହେଲା ୨୦୨୨ ମସିହା ସେପ୍ଟେମ୍ବର ୯ ତାରିଖ। ମାଲକାନଗିରି ଏବଂ କାଲିମେଳା ବ୍ଲକର ୧୦ଟି ପଞ୍ଚାୟତର ୫୧ଟି ଗ୍ରାମରୁ କିଛି ଗ୍ରାମକୁ ଯାଇ ପାଣି ସମସ୍ୟା ବୁଝିବାରୁ ସେଠାରେ ଉତ୍କଟ ଜଳ ସମସ୍ୟା ରହିଥିବା ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ ମାଲକାନଗିରି ବ୍ଲକର ଚାଲଣଗୁଡା ପଞ୍ଚାୟତର ଡଡିଗୁଡା ଗ୍ରାମକୁ ଯାଇ ପାଣି ସମସ୍ୟା ବୁଝିବା ପରେ ଜଣାପଡିଥିଲା ଯେ ଲୋକେ ପାଣି ପାଇଁ କେତେ ଡହଳବିକଳ ହେଉଛନ୍ତି। ଏଠାରେ ରହିଥିବା ନଳକୂପରୁ ପାଣି ବାହାରୁନଥିବା ବେଳେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଥିବା ଲୋକେ କହିଥିଲେ। ଜଳସ୍ତର ପ୍ରାୟ ୪୦୦ ଫୁଟ ତଳକୁ ଚାଲିଯାଇଥିବା ଗ୍ରାମବାସୀ କହିଥିଲେ। ଏହି ଗ୍ରାମରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ଘର ରହିଛି। ପାଣି ସମସ୍ୟା ଥିବାରୁ ଲୋକେ ମାଇଲ ବାଟ ଚାଲି ଚୁଆରୁ ପାଣି ସଂଗ୍ରହ କରୁଥିବା କହିଥିଲେ।

publive-image Sambad

କେବଳ ଏହି ଗ୍ରାମ ନୁହେଁ ୫୧ଟି ଗ୍ରାମର ସମସ୍ୟା ଏକାପରି। ପାଣି ସମସ୍ୟା ରହିଥିବାରୁ ଏଠାରେ ମେଗା ଵାଟେର ସପ୍ଲାଇ କରାଯିବା ନେଇ ସର୍ଭେ କରାଯିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ କାମ ହୋଇପାରିନଥିବା ଲୋକେ କହିଥିଲେ। ବାରମ୍ବାର ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଗୁହାରି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଥିଲେ। ପ୍ରାୟ ଏକ ଲକ୍ଷ ଲୋକ ପାଣି ପାଇଁ ଏବେ ଚିନ୍ତାରେ ପଡିଛନ୍ତି। କେବେ ଏହି ପ୍ରକଳ୍ପ କାମ ସଲିବ ଏବଂ ଲୋକେ ପାଣି ପାଇବେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଯେଉଁ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ସେଠାରେ ଏବେ ପାଣି ଟାଙ୍କି ପାଇଁ କାମ ଆରମ୍ଭ ହୋଇଛି। ଗାଁ ଗାଁକୁ ପାଇପ ବିଛା ଯାଇ ନାହିଁ।

ପୋଟେରୁ ନଦୀରୁ ପାଣି ସଂଗ୍ରହ କରି ଏହାକୁ ରିଫାଇନ କରି ଗାଁ ଗାଁକୁ ବିଶୁଦ୍ଧପାଣି ଯୋଗାଯିବା କାମ ଆରମ୍ଭ ହିଁ ହୋଇନାହିଁ। ଇତି ମଧ୍ୟରେ ଅବଧି ସରିବାକୁ ଯାଉଛି। ଆଉ ମାତ୍ର ହାତରେ ୪ ମାସ ସମୟ। କମ୍ପାନି କାର୍ଯ୍ୟାଦେଶ ପାଇବାର ଦୁଇବର୍ଷ ପୂର୍ତ୍ତି ହେବାକୁ ଯାଉଛି। କିନ୍ତୁ ତିରିଶି ପ୍ରତିଶତ କାମ ମଧ୍ୟ ସରିନାହିଁ। ଏହି ଗତ କିଛିଦିନ ତଳେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସି ସମୀକ୍ଷା କରିଥିବା ଜଣାପଡିଛି। ତାଙ୍କୁ ତୁରନ୍ତ କାମ ସମାପ୍ତ ହେବ ବୋଲି କୁହାଯାଇଛି। ତେବେ ଆସନ୍ତା ଚାରି ମାସରେ ଏତେ କାମ କିପରି ସରିବ ଏବଂ କେତେ ସଠିକ କାମ ହେବ ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ସେହିପରି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି ମଧ୍ୟ ଏହି କାମ ସମ୍ପର୍କରେ ଅବଗତ ନଥିବା ବେଳେ ଆସନ୍ତା ଚାରି ମାସ ମଧ୍ୟରେ କିପରି କାମ ସାରିବେ ତାହାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ। ଯଦି ତରବରିଆ ଭାବେ କାମ ହେବ ତେବେ ନିଶ୍ଚିତ ଭାବେ ନିମ୍ନମାନର କାମ ହେବ ବୋଲି ସେ କହିଥିଲେ। ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକାରୀମାନେ ଏହି ପ୍ରୋଜେକ୍ଟକୁ ନେଇ ମୁହଁ ଖୋଲୁ ନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe