କନକପୁର କୁମ୍ଭାରସାହିରେ ପାନୀୟଜଳ ସମସ୍ୟା ଉତ୍କଟ: ପାଇପ୍‌ ଅଛି, ଆସୁନି ପାଣି

କନକପୁର କୁମ୍ଭାରସାହିରେ ପାନୀୟଜଳ ସମସ୍ୟା ଉତ୍କଟ: ପାଇପ୍‌ ଅଛି, ଆସୁନି ପାଣି

Sambad

ନରସିଂହପୁର: ନରସିଂହପୁର ବ୍ଲକ୍‌ କାନପୁର ପଞ୍ଚାୟତ ଅନ୍ତର୍ଗତ କନକପୁର କୁମ୍ଭାରସାହିରେ ପାନୀୟଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ୩୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ସାହିରେ କେବଳ ଗୋଟିଏ ନଳକୂପ ଅଛି। ସେଥିରୁ ଲୌହମିଶ୍ରିତ ନାଲି ରଙ୍ଗର ପାଣି ବାହାରୁଛି। ନରସିଂହପୁର ଅଞ୍ଚଳରେ ଦିନକୁ ଦିନ କିଡ୍‌ନି ରୋଗ ବ୍ୟାପୁ ଥିବାରୁ ନଳକୂଅ ପାଣି ବ୍ୟବହାର କରିବାକୁ ଲୋକମାନେ ଭୟ କରୁଛନ୍ତି। ଏହି ପାଣି କେବଳ ଗାଈଗୋରୁଙ୍କୁ ଗାଧୋଇବା ଓ ଅନ୍ୟ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଗ୍ରାମବାସୀ। ଏଠାରେ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ମାଧ୍ୟମରେ ପ୍ରତି ଘର ଦୁଆରେ ପାଇପ୍‌ ଲାଇନ୍‌ ସଂଯୋଗ ହୋଇଛି। କିନ୍ତୁ, ସେଥିରୁ ପାଣି ବାହାରୁ ନାହିଁ। ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିଲା ବେଳେ ପାଣି ଟୋପାଏ ପାଇବା ପାଇଁ ଲୋକମାନେ ଡହଳବିକଳ ହେଉଛନ୍ତି। ବାଧ୍ୟ ହୋଇ ଗାଁର ମହିଳାମାନେ ଗାଁ ଠାରୁ ପ୍ରାୟ ଏକ କିଲୋମିଟର ଦୂର ଖୋଲା କୂଅରୁ ପିଇବା ପାଣି ଆଣୁଛନ୍ତି। ଦୂର ସ୍ଥାନକୁ ପାଣି ଆଣିବାକୁ ଯାଇପାରୁ ନ ଥିବା ବୃଦ୍ଧବୃଦ୍ଧା ବାଧ୍ୟହୋଇ ନଳକୂଅର ଦୂଷିତ ଜଳ ବ୍ୟବହାର କରୁଥିବା କହିଛନ୍ତି। ଦୂଷିତ ପାଣି ବ୍ୟବହାର ଦ୍ୱାରା ବିଭିନ୍ନ ସମୟରେ ଲୋକମାନେ ଝାଡ଼ା, ବାନ୍ତି, ଜ୍ୱର, କିଡ୍‌ନି ଆଦି ରୋଗରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ପଡ଼ୁଥିବା ସାହିବାସିନ୍ଦା ଅଭିଯୋଗ କରୁଛନ୍ତି।

ପାନୀୟଜଳ ସମସ୍ୟା ସମ୍ପର୍କରେ ବହୁବାର ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ଓ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଲୋକମାନେ ଗୁହାରି କରିଛନ୍ତି। ହେଲେ, ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରୁନାହିଁ ବୋଲି ଗ୍ରାମର କନକଲତା ସାହୁ, ପ୍ରମିଳା ମୁଦୁଲି, କୁମୁଦିନି ସାହୁ, ମଞ୍ଜୁଲତା ମୁଦୁଲି, ସୁମିତ୍ରା ରଣା, ବର୍ଷା ସାହୁ, ସରୋଜିନୀ ମୁଦୁଲି, ପ୍ରମିଳା ମୁଦୁଲି, ବେଙ୍ଗଲତା ମୁଦୁଲି, ଗୌରୀ ମୁଦୁଲି ପ୍ରମୁଖ ସାହିର ମହିଳାମାନେ ଅଭିଯୋଗ କରିଛନ୍ତି। ସେହିପରି ଗାଁକୁ ପକ୍କା ରାସ୍ତାଟିଏ ନାହିଁ। ବର୍ଷା ଋତୁ ଆସିଲେ ଗାଁଦାଣ୍ଡ ପାଣି କାଦୁଅରେ ଭର୍ତ୍ତି ହୋଇଯାଏ। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ। ପିଲାଏ କାଦୁଅ ପାଣିରେ ପଶି ସ୍କୁଲ୍‌ ଯିବାକୁ ବାଧ୍ୟ ହେଉଥିବା ଗ୍ରାମବାସୀ କହିଛନ୍ତି। କନକପୁର କୁମ୍ଭାରସାହି ଏହି ସମସ୍ୟାର ତ୍ବରିତ ସମାଧାନ ପାଇଁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe