ଇଏ କି ପ୍ରହସନ! ପ୍ରକଳ୍ପ ହେଉଛି, ଚାଲୁନି

Advertisment

ଅବଦୁଲପୁରରେ ‘ବସୁଧା’ ଫେଲ୍‌, ୨୨୦୦ ଲୋକଙ୍କୁ ୪ ନଳକୂପ, ରାତିରୁ ଲାଗୁଛି ଧାଡ଼ି

ଅବଦୁଲପୁରରେ ‘ବସୁଧା’ ଫେଲ୍‌, ୨୨୦୦ ଲୋକଙ୍କୁ ୪ ନଳକୂପ, ରାତିରୁ ଲାଗୁଛି ଧାଡ଼ି

ଇଏ କି ପ୍ରହସନ! ପ୍ରକଳ୍ପ ହେଉଛି, ଚାଲୁନି

Sambad

ରାଜକନିକା: ପ୍ରକଳ୍ପ ପରେ ପ୍ରକଳ୍ପ ହେଉଛି। ଲକ୍ଷାଧିକ ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଛି। ହେଲେ, ଲୋକଙ୍କୁ ପାଣି ଟୋପେ ମିଳୁନି। ‌ପ୍ରଶାସନିକ ଚରମ ଉଦାସୀନତାର ଫଳ ସାଧାରଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଏମିତି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ରାଜକନିକା ବ୍ଲକ୍‌ ଅବଦୁଲପୁର ପଞ୍ଚାୟତ ଅବଦୁଲପୁର ଗାଁରେ। ଏଠାରେ ପାଇପ୍‌ ବିଛାଗଲା, ମୋଟର ବି ଲାଗିଲା। ହେଲେ, ଏଯାଏ ‘ବସୁଧା’ ଯୋଜନା କାର୍ଯ୍ୟକାରୀ ହୋଇପାରୁନି। ଏପଟେ ନଳକୂପ ବି ଅକାମୀ। ପାଣି ପାଇଁ କଲବଲ ସୀମା ଟପିଛି। ଗ୍ରାମାଞ୍ଚଳରେ ଜଳକଷ୍ଟ ଦୂର ପାଇଁ ‘ବସୁଧା’ ଯୋଜନାରେ ୩ ବର୍ଷ ତଳୁ ଅବଦୁଲପୁରରେ ବୋରିଂ ଖୋଳା ଯାଇଥିଲା। ଏତିକିରେ କାମ ଅଟକି ରହିଥିଲା। ଜଳକଷ୍ଟ ଉତ୍କଟ ହେବାରୁ ଲୋକେ ଆଳି ବିଧାୟକ ପ୍ରତାପ ଦେବ ଓ ବିଭାଗୀୟ ଅଧିକାରୀଙ୍କୁ ଭେଟିଥିଲେ। ୩ ମାସ ହେବ ମୋଟର ବସିବା ସହ ପମ୍ପ ହାଉସ ଘର ରଙ୍ଗ ଦିଆଯାଇଛି। ଗାଁରେ ପାଇପ ବି ବିଛା ଯାଇଛି। ହେଲେ ଏ ପର୍ଯ୍ୟନ୍ତ ‘ବସୁଧା’ ଯୋଜନାରେ ଲୋକେ ପାଣି ପାଇପାରିଲେ ନାହିଁ। ଗାଁର ଲୋକସଂଖ୍ୟା ୨୨୦୦। ଗାଁରେ ରହିଛି ୭ଟି ନଳକୂପ। ସେଥିରୁ ୩ଟି ଅଚଳ। ଗୋଟିଏ ନଳ କୂପ ଉପରେ ଏବେ ନିର୍ଭର କରୁଛନ୍ତି ୩୦୦ରୁ ଅଧିକ ପରିବାର। ପାଣି ଟୋପେ ନେବା ଲାଗି ମହିଳାମାନେ ରାତି ୩ରୁ ନଳକୂପ ପାଖେ ଲମ୍ବା ଧାଡ଼ି ଲଗାଇବାକୁ ପଡୁଛି। ପାଣି ନେବା ବେଳେ ପାଟିତୁଣ୍ଡ, ଠେଲାଠେଲା ହେଉଛି।

ଗାଁରେ ଭଲ ପୋଖରୀ ନ ଥିବାରୁ ନଳକୂପ ଉପରେ ସମସ୍ତ କାର୍ଯ୍ୟ ଲାଗି ଲୋକେ ନିର୍ଭର କରିଥାନ୍ତି। ‘ବସୁଧା’ ପ୍ରକଳ୍ପ ଚାଲୁ କରିବା ଲାଗି ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁ ନ ଥିବା କହିଛନ୍ତି ଗ୍ରାମବାସୀ। ପୂର୍ବତନ ସରପଞ୍ଚ ସାରଙ୍ଗ ସାହୁ, କନକ ଲତା ବାରିକ, ମଞ୍ଜୁଲତା ଦାସ, ପ୍ରତିମା ଦାସ, ଆରତୀ ଦାସ, ପାନ ଲତା ଦାସ, ଶାନ୍ତି ଲତା ଦାସ, ସୁକାନ୍ତି ବାରିକ, ସବିତା ଦାସ, କନକ ଲତା ବାରିକ, ଭାଗବତ ବାରିକ, ଦୟାନିଧି ସାହୁ ଓ ବସନ୍ତ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ, ତୁରନ୍ତ ପ୍ରକଳ୍ପ ଚାଲୁ ନ କଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବା ସହ ବ୍ଲକ୍‌ ଅଫିସ୍‌ ଘେରାଉ କରିବେ। ଏ ସମ୍ପର୍କରେ ଗ୍ରାମୀୟ ପାନୀୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ଦାସ କହିଛନ୍ତି, ପାଇପ୍‌ ବିଛା ବାକି ଅଛି। ବିଦ୍ୟୁତକରଣ ଲାଗି ୫ ଲକ୍ଷ ଟଙ୍କା ଆବଶ୍ୟକ ଅଛି। ବ୍ଲକ କିମ୍ବା ପଞ୍ଚାୟତ ପକ୍ଷରୁ ଏହି ଅର୍ଥ ଦାଖଲ କଲେ ପାଣି ଚାଲୁ ହୋଇଯିବ। ଏହା କେବେ ହେବ ବୋଲି ପଚାରିବାରୁ କିଛି ଉତ୍ତର ଦେଇପାରି ନ ଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe