ରାସ୍ତା ମଝିରେ ନଳକୂପ, ହେଲେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ

ରାସ୍ତା ମଝିରେ ନଳକୂପ, ହେଲେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ

Sambad

ରାୟଗଡା: ରାସ୍ତା ମଝି ପିଠିରେ ଖମ୍ବ ପରି ଠିଆ ହୋଇଛି ନଳକୂପ। କିନ୍ତୁ ଗ୍ରାମବାସୀ ପାଣି ପାଇଁ ହେଉଛନ୍ତି ଡହଳ ବିକଳ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପଲମା ପଞ୍ଚାୟତ ଅନ୍ତର୍ଗତ ଆରଗଣ୍ଡା ଗ୍ରାମରେ। ଏଭଳି ଦୃଶ୍ୟ ଲୋକେ କେବେ ମଧ୍ୟ ଦେଖିନଥିବେ। ରାସ୍ତା ମଝିରେ ନଳକୂପ ରହିଛି କିନ୍ତୁ ଗ୍ରାମବାସୀ ମାନେ ପାଣି ବୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି। ରାସ୍ତା ନିର୍ମାଣ କରାଗଲା ସତ, କିନ୍ତୁ ନଳକୂପକୁ ମଝିରେ ରଖିଦେଲେ। ନଳକୂପଟି କେବେଠାରୁ ଖରାପ ହୋଇଥିଲେ ମଧ୍ୟ ନା ରାସ୍ତା ନିର୍ମାଣ ଠିକାଦାର ଏହାକୁ ମରାମତି କଲେ ନା ପ୍ରଶାସନ ଏନେଇ ଦୃଷ୍ଟି ଦେଲେ। ସୂଚନାଯୋଗ୍ୟ ଯେ, ଏହି ଗ୍ରାମରେ ୨୦ଟି ପରିବାର ବସବାସ କରୁଛନ୍ତି। ଛୁଆ ପିଲା ସହ ଗ୍ରାମରେ ପ୍ରାୟ ୧ଶହ ଲୋକ ରହି ଆସୁଥିବା ବେଳେ ଏହି ଗ୍ରାମରେ ଦୁଇଟି ନଳକୂପ ରହିଛି। ଗୋଟିଏରେ ଘଣ୍ଟା ଘଣ୍ଟା ଧରି ନଳ କୂପ ମାରିଲେ ଗୋଟିଏ ବାଲଟି ପାଣି କଷ୍ଟେ ମୋଷ୍ଟେ ବାହାରୁଛି। ସେଥିରେ ପାଣିରେ ଘରର ସମସ୍ତ କାମ ସାରିବା ସହ ପିଇବା ପାଇଁ ମଧ୍ୟ ବ୍ୟବହାର କରାଯାଉଛି।

publive-image Sambad

ତେବେ ଏହା ପିଇବା ଯୋଗ୍ୟ ମଧ୍ୟ ନୁହେଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୀର୍ଘ ମାସ ହେଲା ଗୋଟାଏ ନଳକୂପ ଖରାପ ହୋଇ ପଡ଼ିଥିବା ବେଳେ ଗ୍ରାମ ବାସୀମାନେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ବି ଗ୍ରାମବାସୀ ମାନଙ୍କ କଥା ଶୁଣୁ ନାହାଁନ୍ତି ବୋଲି ଶ୍ରୀପତି ପ୍ରାସ୍କା, ବୁଡୁ ପ୍ରାସ୍କା, ପଦ୍ମା ପ୍ରାସ୍କା, ଜାଣ୍ଡୁ କାଡ୍ରକା, ଅଭିଯୋଗ କରିଛନ୍ତି। ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ବେଳେ ଲୋକେ ପାଣି ପାଇଁ ନାହିଁ ନଥିବା ହଇରାଣ ହେଉଥିବା କହିଛନ୍ତି। ତୁରନ୍ତ ରାସ୍ତା ମଝିରେ ରହିଥିବା ନଳକୂପକୁ ମରାମତି କରାଯିବା ସହ ଅନ୍ୟ ଏକ ନଳକୂପକୁ ମଧ୍ୟ ମରାମତି କରାଗଲେ ଠିକରେ ପାଣି ବାହାରିଥାନ୍ତା ବୋଲି ଗ୍ରାମବାସୀ କହିଛନ୍ତି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଆରଗଣ୍ଡା ଗ୍ରାମ ବାସୀଙ୍କ ପାଣି ସମସ୍ୟା ଦୂର ହେବ କେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe