ପାନୀୟ ଜଳ ପ୍ରକଳ୍ପ ଅଚଳ, ନାଗାବଳୀ ମେଣ୍ଟାଉଛି ଶୋଷ

୨ ନଳକୂପ ମଧ୍ୟ ଅଚଳ, ପାଣି ପାଇଁ ୭୦ ପରିବାର ହାହାକାର

ପାନୀୟ ଜଳ ପ୍ରକଳ୍ପ ଅଚଳ, ନାଗାବଳୀ ମେଣ୍ଟାଉଛି ଶୋଷ

Sambad

ରାୟଗଡ଼ା: ୬ ମାସ ହେଲା ଅଚଳ ହୋଇ ପଡିଛି ପାନୀୟ ଜଳ ପ୍ରକଳ୍ପ। ଗାଁରେ ଥିବା ୨ଟି ନଳକୂପ ମଧ୍ୟରୁ ଗୋଟିଏରୁ ଲୁହା ମିଶ୍ରତ ପାଣି ବାହାରୁଛି। ଅନ୍ୟଟି ମଧ୍ୟ ଅଚଳ ଅବସ୍ଥାରେ। ଖରାର ପ୍ରକୋପ ବଢ଼ିବା ପରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ରାୟଗଡ଼ା ବ୍ଲକର ଖିଲିମିଶିଗୁଡା ଗାଁରେ। ଫଳରେ ଗାଁର ୭୦ ପରିବାର ଶୋଷ ମେଣ୍ଟାଇବାକୁ ନାଗାବଳୀ ନଦୀ ଉପରେ ନିର୍ଭର କରୁଛନ୍ତି। ଖିଲିମିଶିଗୁଡାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଗ୍ରାମରେ ପ୍ରତିଷ୍ଠା ହୋଇଛି ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ। କିନ୍ତୁ ଗତ ୬ ମାସ ହେଲା ଏହି ପ୍ରକଳ୍ପ ଅଚଳ ହୋଇ ପଡିଥିବାରୁ ପାନୀୟ ଜଳ ଯୋଗାଣ ଠପ୍ ହୋଇ ପଡିଛି। ପ୍ରକଳ୍ପର ମୋଟର ପୋଡି ଯାଇଥିବାରୁ ଗ୍ରାମବାସୀ ୨ ଥର ଚାନ୍ଦା କରି ମରାମତି କଲେଣି। ତଥାପି ସ୍ଥିତିରେ ସୁଧାର ଆସିପାରୁନି। ବାରମ୍ବାର ପମ୍ପସେଟର ମୋଟର ପୋଡୁଥିବାରୁ ଶେଷରେ ନିରାଶ ହୋଇ ଗ୍ରାମବାସୀ ପଞ୍ଚାୟତ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।

ଏଯାବତ୍ କୌଣସି ସୁଫଳ ମିଳିପାରିନି। ଗ୍ରାମରେ ୭୦ଟି ପରିବାରରେ ୪୦୦ରୁ ଉର୍ଦ୍ଧ୍ବ ଲୋକ ବାସ କରୁଛନ୍ତି। ସମସ୍ତେ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ରାତି ପାହିଲେ ଜୀବିକା ନିର୍ବାହ ପାଇଁ ଅନ୍ୟତ୍ର ଯାଇଥାନ୍ତି। ଖରାଦିନ ଯୋଗୁ ଗ୍ରାମବାସୀ ସକାଳୁ ନାଗାବଳୀ ନଦୀରୁ ପାଣି ଆଣି ଘରେ ରଖିବା ପରେ ଅନ୍ୟ କାମରେ ବାହାରକୁ ଯାଇଥାନ୍ତି। ପାଣି ଆଣୁଥିବା ସ୍ଥାନରେ ଲୋକେ ସ୍ନାନ ଓ ଶୌଚ ହେବା ସହ ଲୁଗା ସଫା କରିଥାନ୍ତି। ଗ୍ରାମର ଗାଈ, ଗୋରୁ ମଧ୍ୟ ଉକ୍ତ ସ୍ଥାନରେ ହିଁ ଗାଧୋଉଛନ୍ତି। ନଦୀର ଅପରିଷ୍କାର ପାଣି ପିଇ ବହୁ ସମୟରେ ଗ୍ରାମବାସୀ ବିଭିନ୍ନ ରୋଗରେ ମଧ୍ୟ ପୀଡ଼ିତ ହେଉଛନ୍ତି। ଯଥା ଶୀଘ୍ର ଅଚଳ ପ୍ରକଳ୍ପର ମରାମତି କରାଯାଇ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ରାୟଗଡ଼ା ବିଡିଓ ଲକ୍ଷ୍ମୀ ନାରାୟଣ ସାବତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe