କେନାଲରେ ପାଣି ନାହିଁ, ଚାଷ ଜମି ଫାଟି ଆଁ, ଚେଇଁ ଶୋଇଛି ଜଳସମ୍ପଦ ବିଭାଗ

Advertisment
କେନାଲରେ ପାଣି ନାହିଁ, ଚାଷ ଜମି ଫାଟି ଆଁ, ଚେଇଁ ଶୋଇଛି ଜଳସମ୍ପଦ ବିଭାଗ

Sambad

ତାରପୁର: ଭାଦ୍ରବ ମାସ ଶେଷ ହେବାକୁ ବସିଲାଣି, ହେଲେ ଏପର୍ଯ୍ୟନ୍ତ ଶାଖା କେନାଲ୍‌ ଗୁଡ଼ିକରେ ପର୍ଯ୍ୟାପ୍ତ ପାଣି ନାହିଁ। ପାଣି ମିଞ୍ଜି ମିଞ୍ଜି ପ୍ରବାହିତ ହେଉଥିବାରୁ ଧାନ ରୁଆ କାର୍ଯ୍ୟ ହୋଇପାରୁନି। ଯେଉଁଠାରେ ରୁଆ ସରିଯାଇଛି, ସେଠାରେ ଚାଷଜମି ଫାଟି ଆଁ କରିଛି। ତାଳଦଣ୍ତା ମୁଖ୍ୟ କେନାଲରୁ ବାହାରି ଥିବା ୮ନଂ କ କେନାଲଟି ଜଗନ୍ନାଥପୁରରୁ ବାହାରି କୋଟକଣା ପର୍ଯ୍ୟନ୍ତ ଯାଉଅଛି। ଏଥିରେ ପାଣି ଛଡ଼ାଯାଉନଥିବାରୁ ଶହ ଶହ ହେକ୍ଟର ଚାଷଜମି ପାଣି ବିନା ଫାଟି ଆଁ କରିଛି। ଚାଷୀ ରୋଇଥିବା ଧାନ ତଳି ଫାଟି ଆଁ କରି ନଷ୍ଟ ହେବାକୁ ବସିଲାଣି। ପ୍ରଥମେ ଚାଷୀ ଯେଉଁ ଶାରଦ ଧାନତଳି ରୋଇଥିଲେ ହଂସୁଆ ବନ୍ୟାରେ ସମସ୍ତ ଧାନତଳି ନଷ୍ଟ ହୋଇଯାଇଥିଲା। ଚାଷୀ ପୁନର୍ବାର କଷ୍ଟରେ ଧାନତଳି ସଂଗ୍ରହ କରି ରୋଇଥିଲେ। କେନାଲରେ ପାଣି ଆସୁନଥିବାରୁ ଉକ୍ତ ଧାନ ତଳି ଜଳିଯିବାକୁ ବସିଲାଣି। ବିଭାଗୀୟ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସେହିପରି ମାଛଗାଁ ଶାଖା କେନାଲରେ ଏପର୍ଯ୍ୟନ୍ତ ପାଣି ଛଡ଼ାଯାଇ ନଥିବାରୁ ୭ନଂ ଓ ୮ନଂ କେନାଲ ଅଧୀନ ତରିକୁନ୍ଦ ପଞ୍ଚାୟତ, ବରାଗୋଳ, ଅଢେଇକୂଳ, ତଅଁରା, ଗୁଆଳିପୁର, ଚିକିଣିଆ, ରେଢୁଆ, ଅୟର, ପୁରୁଣବସନ୍ତ, ଛପଡା, ଏରଡ଼ଙ୍ଗା ପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ରୁଆ ଯାଇଥିବା ଧାନତଳି ଫାଟି ଆଁ କରିଛି। ମାଛଗାଁ ମୁଖ୍ୟ କେନାଲରୁ ଶାଖା କେନାଲକୁ ପାଣି ଛଡ଼ାଯାଉନାହିଁ। ଯାହାଫଳରେ ଚାଷ ଜମି ପାଣି ବିନା ଜଳିଯିବାକୁ ବସିଲାଣି। ମାଛଗାଁ କେନାଲ ଅଧୀନରେ ଥିବା ନୂଆଗାଁ ଠାରୁ ନେଉଳିଆ ୭ନଂ କେନାଲ ୧୬କି.ମି. ଦୈର୍ଘ୍ୟ ଏବଂ ନୂଆଦା ଠାରୁ ପୁରୁଣାବସନ୍ତ ପର୍ଯ୍ୟନ୍ତ ଯାଇଥିବା ୮ନଂ କେନାଲଟି ଶୁଖିଲା ପଡ଼ିଛି। ଏହି କେନାଲ ୨ଟି ର ସଫେଇକାର୍ଯ୍ୟ ନିମ୍ନମାନର କରାଯାଇ ଥିବାରୁ ୨ଟି ଶାଖା କେନାଲ ଜଙ୍ଗଲମୟ ହୋଇ ପଡ଼ିରହିଛି। ଚାଷୀ ଓ ଚାଷର ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ନାରା ଦେଉଛନ୍ତି। କିନ୍ତୁ ଏଭଳି ସ୍ଥତି ଉପୁଜିବା ପରେ ବାସ୍ତବରେ ଚାଷୀଙ୍କ ପାଇଁ ସେମାନେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ପ୍ରମାଣ ହୋଇଛି। ପ୍ରକୃତରେ ଚାଷର ଉନ୍ନତି ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ସରକାର ନେଉନାହାନ୍ତି।

ସେପ୍ଟେମ୍ବର ମାସ ଆରମ୍ଭ ହୋଇଥିଲେ ମଧ୍ୟ ଆକାଶରେ ବର୍ଷା ନାହିଁ, କେନାଲରେ ପାଣି ନାହିଁ। ଚାଷୀ ବହୁ କଷ୍ଟରେ ଧାର କରଜ ଋଣ କରିଥିବା ଖରିଫ ଧାନଫସଲ ପାଣି ବିନା ନଷ୍ଟ ହୋଇଯିବାକୁ ବସିଲାଣି। ଏଭଳି ସମୟରେ ଜଳସମ୍ପଦ ବିଭାଗ ଅଧିକାରୀ ଚେଇଁ ଶୋଇଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସ୍ବଳ୍ପ ବର୍ଷାରେ ରୁଆ କାର୍ଯ୍ୟ ଆରମ୍ଭ ହୋଇପାରୁନି। ତାଳଦଣ୍ତା ଓ ମାଛ ଗାଁ ମୁଖ୍ୟ କେନାଲରୁ ବାହାରିଥିବା ସମସ୍ତ ଶାଖା କେନାଲ ଗୁଡ଼ିକର ଶଯ୍ୟା ଆଜକୁ ୧୫୦ ବର୍ଷ ହେଲା ଖନନ କରାଯାଇନାହିଁ କିମ୍ବା କେନାଲର ଦୁର୍ବଳ ବନ୍ଧଗୁଡ଼ିକ ମରାମତି କରାଯାଇ ନାହିଁ। ଶାଖା କେନାଲ ଗୁଡ଼ିକର ଆଉଟଲେଟ୍‌ ଗୁଡ଼ିକ ଭାଙ୍ଗି ପଡ଼ିଥିଲେ ମଧ୍ୟ ସେଗୁଡ଼ିକ ମରାମତି କରାଯାଉ ନାହିଁ। ତାଳଦଣ୍ତା ମୁଖ୍ୟ କେନାଲର କଂଟୁଆରରୁ ବାହାରି କୁଆମଙ୍ଗା ପର୍ଯ୍ୟନ୍ତ ଯାଇଥିବା ୭ନଂ ଗ ଶାଖା କେନାଲଟି ଉପରେ ଶହ ଶହ ପୋଲ ଓ ପାଇପ୍‌ ପକାଇ ଲୋକମାନେ ବିନା ଅନୁମତିରେ ନିର୍ମାଣ କରିଥିବାରୁ ଏହି କେନାଲ ଗୁଡ଼ିକରେ ଜଳପ୍ରବାହିତରେ ସମ୍ପୂର୍ଣ୍ଣ ବାଧା ସୃଷ୍ଟି ହେଉଛି। ରଘୁନାଥପୁର ଥାନା ନିକଟରୁ କୁଆମଙ୍ଗା ପର୍ଯ୍ୟନ୍ତ ପାଣି ଆଦୌ ଯାଉନାହିଁ। ଏହି ଶହ ଶହ ପୋଲ ଓ ପାଇପ୍‌ ଗୁଡ଼ିକ ବେନିୟମ ଭାବେ ପକାଇଥିବାରୁ କେନାଲର ସଫେଇ କାର୍ଯ୍ୟ ହୋଇପାରୁନାହିଁ। ରଘୁନାଥପୁର ବଜାରର କେତେକ ବ୍ୟବସାୟୀ ସମସ୍ତ ଅଳିଆ ଆବର୍ଜନାକୁ ଏହି କେନାଲ ମଧ୍ୟରେ ପକାଉଛନ୍ତି। ଅଧିକାଂଶ ଶାଖା କେନାଲ ଗୁଡ଼ିକ ଅନୁରୂପ ଅବସ୍ଥା ଦେଖାଦେଇଛି। ଜଳସମ୍ପଦ ବିଭାଗ ଏଦିଗରେ କୌଣସି ପଦକ୍ଷେପ ନେଉନି। ଫଳରେ ଚାଷୀକୁଳକୁ ବହୁ କ୍ଷତି ସହିବାକୁ ପଡୁଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଶାଖା କେନାଲ୍‌ ଗୁଡ଼ିକର ଶଯ୍ୟା ଖନନ, ମାଛଗାଁ ମୁଖ୍ୟ କେନାଲରୁ ବାହାରିଥିବା ୭ନଂ ଓ ୮ନଂ ଶାଖା କେନାଲରେ, ତାଳଦଣ୍ତା କେନାଲର ସମସ୍ତ ଶାଖା କେନାଲରେ ପାଣି ଛାଡ଼ିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe