ରଘୁନାଥପୁର ବ୍ଲକ୍‌ରେ ପିଇବା ପାଣି ସମସ୍ୟା ଉତ୍କଟ

Advertisment
ରଘୁନାଥପୁର ବ୍ଲକ୍‌ରେ ପିଇବା ପାଣି ସମସ୍ୟା ଉତ୍କଟ

Sambad

ତାରପୁର: ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବା ବେଳେ ନଦୀନାଳ ଘେରା ରଘୁନାଥପୁର ବ୍ଲକ୍‌ ଅଞ୍ଚଳରେ ପାନୀୟ ଜଳ ସଂକଟ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ବିଡ଼ମ୍ବନା ହେଲା ମହାନଦୀ କୂଳେକୂଳେ ଥିବା ଏକାଧିକ ଗାଁରେ ଏହି ଜଳକଷ୍ଟ ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇ ପଡ଼ିଛନ୍ତି। ପାନୀୟ ଜଳଯୋଗାଣକୁ ପ୍ରାଥମିକତା ଦେବା ପାଇଁ ଜିଲ୍ଲାପାଳ ପାରୁଲ ପଟ୍ଟୱାରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ହେଁ ଏହି ବ୍ଲକ୍‌ କ୍ଷେତ୍ରରେ କିଛି ବି ଫରକ ପଡ଼ିନାହିଁ।

୭୦ ପ୍ରତିଶତ ପିଇବା ପାଣିରୁ ବଞ୍ଚିତ !
ସରକାରୀ ତଥ୍ୟ ଅନୁସାରେ ରଘୁନାଥପୁର ବ୍ଲକ୍‌ର ୧୯ଟି ପଞ୍ଚାୟତ ପାଇଁ ରହିଛି ୩୬ଟି ଜଳଯୋଗାଣ ପ୍ରକଳ୍ପ। ସେଥିରୁ ୩୦ଟି ଓଭରହେଡ୍‌ ଟାଙ୍କିରୁ ଜଳଯୋଗାଣ ଚାଲୁ ରହିଥିବା ବେଳେ ତରିକୁନ୍ଦ, ସାନକୋରକର, ସାଦେଇପୁର ଆଦି ୩ଟାର ନିର୍ମାଣ କାମ ଚାଲିଛି। ୨୨୮୫୮ ଘରକୁ ଜଳଯୋଗାଣ ଲକ୍ଷ୍ୟରେ ଏହି ପ୍ରକଳ୍ପ ପାଇଁ ୬୯ ଲକ୍ଷ ଟଙ୍କା ବ୍ୟୟ ମଞ୍ଜୁର ହୋଇଛି। ବିଭାଗୀୟ କନିଷ୍ଠଯନ୍ତ୍ରୀ ଦୀପାଲିକା ବିଶ୍ବାଳ ୨୦୨୪ ସୁଦ୍ଧା ସବୁ ଘରକୁ ବିଶୁଦ୍ଧ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟଧାର୍ଯ୍ୟ ରହିଥିବା ବେଳେ ସେଥିରୁ ୫୦ ପ୍ରତିଶତ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେବା ସମ୍ଭବ ହୋଇଛି ବୋଲି କହିଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ଓଲଟା। ଅଦ୍ୟାବଧି ବ୍ଲକ୍‌ର ୩୦ ପ୍ରତିଶତ ଲୋକଙ୍କୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବା ସମ୍ଭବପର ହୋଇ ନାହିଁ। ସିଧାସଳଖ କୌଣସି ଘରକୁ ପାଇପ୍‌ ସଂଯୋଗ କରାଯାଇନାହିଁ ଓ ‘ବସୁଧା’ ଭଳି ଯୋଜନା ପ୍ରହସନରେ ପରିଣତ ହୋଇଥିବା ଅଭିଯୋଗ ହୋଇଛି।
ବ୍ଲକ୍‌ର ଜଗନ୍ନାଥପୁର ପଂଚାୟତର କନ୍ଦରାପଟି, ପାଟଣା, ୧ ନମ୍ବର ୱାର୍ଡ଼ ମହାବୀର ସାହିରେ ପାଣି ପାଇପ୍ ଲାଇନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାବେଳେ ଏହାକୁ ମରାମତି କରାଯାଉନାହିଁ। ଫଳରେ ହଜାରରୁ ଊର୍ଦ୍ଧ୍ବ ପରିବାରଙ୍କ ନିକଟରେ ପିଇବା ପାଣି ପହଂଚି ପାରୁନାହିଁ। ସେହିପରି ରେଢୁଆ ପଂଚାୟତର ଗହତମାପୁର, ତେଲିସାହି, ବାରିକ ସାହି ଅବସ୍ଥା ମଧ୍ୟ ଅନୁରୂପ ଭାବେ ପାଣି ପାଇପ୍ ଲାଇନ୍ ବିଛାଯାଇନଥିବାରୁ ଗ୍ରାମବାସୀ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି।

ଫାଇପ୍‌ ଫାଟି ଗଲାଣି, ମରାମତି ହେଉ ନାହିଁ
ଅଧିକାଂଶ ସ୍ଥାନରେ ପାଇପ୍‌ ଫାଟି ପାଣି ବୋହୁଛି। ବିଦ୍ୟାଧରପୁର ଆଦିବାସୀ ବସ୍ତି, ପୂରଣ ଓଡ଼ପଡ଼ା, ଧରାଧରପୁର ଆଦିବାସୀ ବସ୍ତିରେ ଜଳଯୋଗାଣ ସମ୍ଭବ ହୋଇ ନାହିଁ। ରଘୁନାଥପୁର ପଞ୍ଚାୟତରେ ୬ ମାସ ହେଲା ପାଇପ୍‌ ବିଛା କାମ ଶେଷ ହୋଇଛି। ଅଥଚ ଲୋକଙ୍କୁ ପାଣି ମିଳିନାହିଁ। ତାରପୁର ପଂଚାୟତର ତାରପୁର, ଅଚ୍ୟୁତପୁର ଗ୍ରାମର ୪ଟି ୱାର୍ଡ଼ରେ ପାଇପ୍ ଲାଇନ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତାହା ମରାମତି କରାଯାଉନାହିଁ। ଫଳରେ ଏକ ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ପାଣି ପାଇବାରୁ ବଂଚିତ ହେଉଛନ୍ତି। ଛପଡ଼ା ପଂଚାୟତରେ ଖୋଳାଯାଇଥିବା ବୋର୍‌ଓ୍ବେଲରୁ ଲୁହାଟିଆ ସ୍ବାଦର ନାଲି ପାଣି ବାହାରୁ ଥିବାରୁ ଏହି ପଂଚାୟତର ଜଇପୁର, ଗାନ୍ଧିଜୀପୁର, ହାଟୁଆରୀ, ରାହାଡ଼ିଙ୍ଗା, ଗନାଇଲୋ ଓ ୧ ନମ୍ବର ୱାର୍ଡରେ ପିଇବା ପାଣି ପାଇଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଧରପୁର ପଂଚାୟତରେ ବିଭିନ୍ନ ସ୍ଥାନରେ ଟ୍ୟାପ୍ ଭାଙ୍ଗିଯିବା ଓ ଆଇରନ୍ ମିଶା ପାଣି ବାହାରୁଥିବା ଯୋଗୁ ଲୋକମାନେ ଏହି ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ରଘୁନାଥପୁର ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ବୋର୍‌ଓ୍ବେଲ କାମ କରାଉଥିବା ବେଳେ ସେଠାରେ ମୃତ୍ତିକା, ପାଣି ପରୀକ୍ଷା ନକରିବାରୁ ଏପରି ସମସ୍ୟା ଦେଖାଦେଉଛି ବୋଲି ଅଭିଯୋଗ ହୋଇଛି। ଏନେଇ ବିଭାଗୀୟ ନିବାର୍ହୀ ଯନ୍ତ୍ରୀ କିଶୋର କବି କହିଛନ୍ତି ଯେ ରଘୁନାଥପୁର ବ୍ଲକ୍‌ର ଜନସାଧାରଣ ପାନୀୟ ଜଳ ପାଇଁ ହଇରାଣ ହେଉଥିବା ମୋ ଦୃଷ୍ଟକୁ ଆସିଛି। ଖୁବ୍ ଶୀଘ୍ର ଏହାର ପ୍ରତିକାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe