କଣ୍ଠିପୁର ବାସିନ୍ଦାଙ୍କ ପାଇଁ ସ୍ୱଚ୍ଛ ଜଳ ସାତସପନ, ମାଟିରେ ମିଶି ଗଲାଣି ପାନୀୟଜଳ ପ୍ରକଳ୍ପର ‌ଷ୍ଟାଣ୍ଡପୋଷ୍ଟ, ପାଇପ୍‌

Advertisment
କଣ୍ଠିପୁର ବାସିନ୍ଦାଙ୍କ ପାଇଁ ସ୍ୱଚ୍ଛ ଜଳ ସାତସପନ, ମାଟିରେ ମିଶି ଗଲାଣି ପାନୀୟଜଳ ପ୍ରକଳ୍ପର ‌ଷ୍ଟାଣ୍ଡପୋଷ୍ଟ, ପାଇପ୍‌

Sambad

ତିଗିରିଆ: ତିଗିରିଆ ବ୍ଲକ୍‌ ଗଦାଧରପୁର ପଞ୍ଚାୟତସ୍ଥିତ କଣ୍ଠିପୁର ଗ୍ରାମବାସୀଙ୍କ ପାଇଁ ସ୍ୱଚ୍ଛ ପିଇବା ପାଣି ମୁନ୍ଦାଏ ସାତସପନ ପାଲଟିଛି। ଦଶବର୍ଷ ତଳେ ଲୋକମାନେ ପାନୀୟଜଳ ପ୍ରକଳ୍ପରୁ କିଛିଦିନ ପାଣି ପାଇଥିଲେ। ଏବେ ପ୍ରକଳ୍ପର ଷ୍ଟାଣ୍ଡପୋଷ୍ଟ ଓ ପାଇପ୍‌ ମାଟିରେ ମିଶି ଯାଇଛି। ବର୍ତ୍ତମାନ କୂଅଗୁଡ଼ିକ ଶୁଖି ଯାଇଥିଲା ବେଳେ ନଳକୂପରୁ ଲୌହଯୁକ୍ତ ପାଣି ବାହାରୁଛି। ଲୋକମାନେ ଏହି ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି। କୃଷିପ୍ରଧାନ ଗ୍ରାମ କଣ୍ଠିପୁରର ୫ଟି ସାହିରେ ୬୦୦ରୁ ଅଧିକ ଲୋକ ବସବାସ କରୁଛନ୍ତି। ଗ୍ରାମର ଅଧିକାଂଶ ଅଞ୍ଚଳ ମୁଣ୍ଡିଆ ଓ ପାହାଡ଼ ଉପରେ ଅବସ୍ଥିତ। ଫଳରେ ବର୍ଷସାରା ଗ୍ରାମରେ ପାନୀୟଜଳ ସମସ୍ୟା ଲାଗି ରହିଛି। ବିଶେଷ କରି, ଖରାଦିନ ଆସିଲେ ପାଣି ଟୋପାଏ ପାଇବା ଗ୍ରାମବାସୀଙ୍କ ପାଇଁ କାଠିକର ପାଠ ହୋଇପଡ଼ୁଛି। ଗ୍ରାମରେ ଥିବା ନଳକୂପଗୁଡ଼ିକରୁ ଲୌହମିଶ୍ରିତ ପାଣି ବାହାରୁଛି। ଏହି ପାଣିକୁ କିଛି ସମୟ ରଖିବା ପରେ ବାଦାମୀ ରଙ୍ଗର ଆସ୍ତରଣ ଜମି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେତେକ ନଳକୂପରୁ ଆଦୌ ପାଣି ବାହାରୁ ନ ଥିବା ମଧ୍ୟ ଜଣାପଡ଼ିଛି। ଗୋଟିଏ ଗୋଟିଏ ନଳକୂପରୁ ପାଣି ଗରାଏ ପାଇଁ ଗ୍ରାମର ମହିଳାଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଅନେକ ସମୟରେ ପାଣି ପାଇଁ ମହିଳାଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଦେଖାଯାଉଛି। କେତେକ ସାହିବାସିନ୍ଦା ନିଜ ଖର୍ଚ୍ଚରେ କୂଅ ଖୋଳି ବ୍ୟବହାର ଉପଯୋଗୀ କରିଥିଲେ। ଖରାଦିନେ ତାହା ବି’ ଶୁଖି ଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ୧୦ ବର୍ଷ ତଳେ ପଞ୍ଚାୟତର ବଳଭଦ୍ରପୁର ଗ୍ରାମରେ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଗ୍ରାମର ଅଳ୍ପ କେତୋଟି ସାହିକୁ ଅଳ୍ପ କିଛିଦିନ ପାଣି ଆସିଥିଲା। ଏହା ପରଠାରୁ ଜନସାଧାରଣ ପାଇପ୍‌ ଯୋଗେ ପାଣି ପାଉ ନ ଥିବା କହିଛନ୍ତି। ପାଇପ୍‌ ଯୋଗେ ଜଳ ଯୋଗାଣ ନିମନ୍ତେ ନିର୍ମାଣ କରାଯାଇଥିବା ଷ୍ଟାଣ୍ଡଗୁଡ଼ିକ ଏବେ ମାଟିରେ ମିଶି ଯାଇଛି। ବିଛା ଯାଇଥିବା ପାଇପ୍‌ ମଧ୍ୟ ନଷ୍ଟ ହେବାକୁ ବସିଛି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି।

ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ସ୍ୱଚ୍ଛ ପାନୀୟଜଳ ଯୋଗାଇବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସହ କୋଟିକୋଟି ଟଙ୍କା ବିନିଯୋଗ କରୁଛନ୍ତି। ଲକ୍ଷାଧିକ ଟଙ୍କା ବିନିଯୋଗ କରି କଣ୍ଠିପୁର ଗ୍ରାମରେ ବି’ ଜଳଯୋଗାଣ ନିମନ୍ତେ ପାଇପ୍‌ ବିଛାଯିବା ସହ ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ହେଲେ, ବିଭାଗୀୟ ଉଦାସୀନତା ଯୋଗୁଁ ସରକାରଙ୍କର ଲକ୍ଷାଧିକ ଟଙ୍କା ଭୂତ ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିସହ ଗ୍ରାମବାସୀ ସ୍ୱଚ୍ଛ ପାନୀୟଜଳ ପାଇଁ ଅକଥନୀୟ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି। କ୍ରମାଗତ ଭାବେ ଲୌହମିଶ୍ରିତ ଦୂଷିତ ଜଳ ପିଇବାରୁ ଲୋକମାନେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିବାର ଆଶଙ୍କାରେ ରହୁଛନ୍ତି। ଯଥାଶୀଘ୍ର ପ୍ରଶାସନ କଣ୍ଠିପୁର ଗ୍ରାମକୁ ପାଇପ୍‌ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଇବା ସହ ତତ୍କାଳ ସ୍ୱଚ୍ଛ ପାନୀୟଜଳ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe