ରାୟଗଡ଼ାରେ ଲଘୁଚାପଜନିତ ବର୍ଷା, ସତର୍କ ସଙ୍କେତର ନିକଟତର ହେଲା ବଂଶଧାରା ଜଳସ୍ତର

Advertisment

ନାଗାବଳୀ, କଲ୍ୟାଣୀ, ଝଞ୍ଜାବତୀ ଜଳସ୍ତର ବି ବଢ଼ୁଛି

ନାଗାବଳୀ, କଲ୍ୟାଣୀ, ଝଞ୍ଜାବତୀ ଜଳସ୍ତର ବି ବଢ଼ୁଛି

ରାୟଗଡ଼ାରେ ଲଘୁଚାପଜନିତ ବର୍ଷା, ସତର୍କ ସଙ୍କେତର ନିକଟତର ହେଲା ବଂଶଧାରା ଜଳସ୍ତର

ରାୟଗଡ଼ା : ଲଘୁଚାପ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ବର୍ଷା ଲାଗି ରହିଛି। ୨ ଦିନର ଲଗାଣ ବର୍ଷା ଯୋଗୁ ପ୍ରମୁଖ ନଦୀ ଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି। ବଂଶଧାରା ସତର୍କ ସଙ୍କେତ ନିକଟତର ହୋଇଥିବା ବେଳେ ନାଗାବଳୀ, କଲ୍ୟାଣୀ, ଝଞ୍ଜାବତୀ ଜଳସ୍ତର ବଢ଼ିବା ପରେ ନଈକୂଳିଆ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି। ତେବେ ସଂଧ୍ୟା ପରଠୁ ବର୍ଷା ପରିମାଣ କମିବା ପରେ ବନ୍ୟା ଆଶଙ୍କା ଟଳିବା ସହ ରାୟଗଡ଼ା ପ୍ରତି କୌଣସି ବିପଦ ନଥିବା ପ୍ରଶାସନ ସ୍ପଷ୍ଟ କରିଛି।

ପାଣିପାଗ ବିଭାଗ ସୂଚନାନୁଯାୟୀ, ଆଜି ରାୟଗଡ଼ା ଜିଲ୍ଲାରେ ୩୦୩ ମିମି ବର୍ଷା ରେକର୍ଡ କରାଯାଇଛି। ବଂଶଧାରା ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ନଦୀ ଜଳସ୍ତର ସତର୍କ ସଙ୍କେତ ନିକଟତର ହୋଇ ପ୍ରବାହିତ ହେଉଛି।  ନଦୀର ଜଳସ୍ତର ଜିରୋ ଲେବଲ୍ ୭୮.୨୫ ମିଟର ଥିବା ବେଳେ ଅପରାହଣ୍ ସୁଦ୍ଧା ଜଳସ୍ତର ୮୧.୬୪ ମିଟର ଥିଲା। ବଂଶଧାରା ଉପରମୁଣ୍ଡରେ ଥିବା ଗୁଡାରି ବ୍ଲକରେ ସର୍ବାଧିକ ୪୫.୬ ମିମି, ମୁନିଗୁଡ଼ାରେ ୪୨.୩ ମିମି, ଚନ୍ଦ୍ରପୁରରେ ୩୧.୭ ମିମି, ପଦ୍ମପୁରରେ ୨୨.୧ ମିମି ଓ ଗୁଣପୁରରେ ୨୦ ମିମି ବର୍ଷା ହୋଇଛି। ମଧ୍ୟାହଣ୍ ୧ଟାରେ ବଂଶଧାରା ଜଳସ୍ତର ୮୧.୪୩ ମିଟର ଥିବା ବେଳେ ଅପରାହଣ୍ ୨ଟାରେ ୮୧.୫୪ ମିଟର ଏବଂ ୩ଟାରେ ଜଳସ୍ତର ୮୧.୬୪ ମିଟରକୁ ବୃଦ୍ଧି ପାଇଥିଲା। ସେହିପରି ନାଗାବଳୀ ଉପରମୁଣ୍ଡ କଲ୍ୟାଣସିଂହପୁରରେ ୩୬.୪ ମିମି, ରାୟଗଡ଼ାରେ ୧୪.୨ ମିମି, କୋଲନରାରେ ୬.୪ ମିମି ବର୍ଷା ରେକର୍ଡ ହୋଇଛି। ଅନ୍ୟପକ୍ଷରେ କାଶୀପୁର ବ୍ଲକରେ ୩୩.୫ ମିମି, ରାମନାଗୁଡ଼ାରେ ୨୨.୬ ମିମି, ବିଷମକଟକରେ ୨୮.୨ ମିମି ବର୍ଷା ହୋଇଛି। ରାୟଗଡ଼ା ତଳମୁଣ୍ଡରେ ନାଗାବଳୀ ସହ ଝଞ୍ଜାବତୀ ନଦୀ ମିଶିଥିବାରୁ ନଦୀ ଜଳସ୍ତର ବୃଦ୍ଧି ପରେ ନଈକୂଳିଆ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି। ତଳମୁଣ୍ଡରେ ବାସ କରୁଥିବା ୩ ପଞ୍ଚାୟତର ୧୦ ଗ୍ରାମ ନାଗାବଳୀ କୂଳରେ ଥିବାରୁ ବନ୍ୟାକୁ ନେଇ ଚିନ୍ତିତ ହୋଇ ପଡିଥିଲେ। ବର୍ଷା କମିବା ପରେ ନଦୀ ଜଳସ୍ତର ସ୍ଥିର ଥିବାରୁ ଲୋକେ ଆଶ୍ବସ୍ତ ହୋଇଛନ୍ତି। ବର୍ଷା ସ୍ଥିତିକୁ ଦେଖି ପ୍ରଶାସନ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି। ୧୨ ତାରିଖରେ ୧୫୭ ମିମି ଏବଂ ୧୧ ତାରିଖରେ ଜିଲ୍ଲାରେ ୧୭୭.୨ ମିମି ବର୍ଷା ରେକର୍ଡ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe