ଖରସ୍ରୋତାର ଶାଖାନଦୀ ନୂଆମାହାରା ପାଣି ପଶିବାରୁ ଶତାଧିକ ପରିବାର ଜଳବନ୍ଦୀ

ଖରସ୍ରୋତାର ଶାଖାନଦୀ ନୂଆମାହାରା ପାଣି ପଶିବାରୁ ଶତାଧିକ ପରିବାର ଜଳବନ୍ଦୀ

ବିଂଝାରପୁର: ଖରସ୍ରୋତାର ଶାଖାନଦୀ ନୂଆମାହାରା ପାଣି ପଶିବାରୁ ବିଂଝାରପୁର ବ୍ଲକ ବାଙ୍ଗରା ପଞ୍ଚାୟତର ୧୫ ଓ ୧୬ ନମ୍ଵର ଓ୍ଵାର୍ଡର ଦେଢ଼ଶହରୁ ଊର୍ଦ୍ଧ୍ବ ପରିବାର ପାଣି ଘେରରେ ଅଛନ୍ତି। ଏନେଇ ପ୍ରଶାସନ ପାଖରେ କୌଣସି ଖବର ନଥିବାରୁ ଲୋକମାନେ ବହୁ ଅସୁବିଧାରେ ଅଛନ୍ତି। ଲଘୁଚାପଜନିତ ଲଗାଣ ବର୍ଷା ଛାଡ଼ିବାକୁ ୪ ଦିନ ବିତିଯାଇଛି। ମାତ୍ର ପାଣି କମୁନି। ଘର ଚାରିପଟେ ପାଣି ଲାଗିଥିବା ବେଳେ ରାସ୍ତାଘାଟରେ ପେଟେ ପାଣି। ଘରୁ ପଦାକୁ ଯାଇପାରୁ ନାହାନ୍ତି ଗ୍ରାମବାସୀ। ଭୋକ ଉପାସରେ ଦିନ କାଟୁଛନ୍ତି ପାଖାପାଖି ଦେଢ଼ଶହ ପରିବାର। ପିଇବା ପାଣି ମୁନ୍ଦାଏ ପାଇଁ କଦଳୀ ଭେଳାରେ ଗାଁ ବାହାରକୁ ଯିବାକୁ ପଡୁଛି। ଘର ଚାରିପଟେ ପାଣି ଥିବାରୁ ବାରମ୍ଵାର ସେଥିରେ ପଶି ଯିବାଆସିବା କରିବା ଦ୍ବାରା ବହୁ ଲୋକ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ହୋଇଛନ୍ତି।

ବିପନ୍ନଙ୍କ ପାଖରେ ସରପଞ୍ଚ କି କୌଣସି ଅଧିକାରୀ ପହଞ୍ଚି ନଥିବା ଗ୍ରାମର ବୈକୁଣ୍ଠ ଯେନା, ବାବୁରାମ ଯେନା, ଲକ୍ଷ୍ମୀଧର ଯେନା, ଧୀରେନ ଯେନା, ନିମାଇଁ ଯେନା, ଜଗା ଯେନା, ବିକ୍ରମ ଯେନା, ମନୋରଂଜନ ଯେନା, ପାଗଳ ଯେନା, ନନ୍ଦକିଶୋର ଯେନା, କାଳନ୍ଦୀ ଯେନା, ପ୍ରଭାତ ସାହୁ, ଜଗବନ୍ଧୁ ଯେନା, ଉମାକାନ୍ତ ଯେନା, ସଂଜୟ ଯେନା, ଧରଣୀ ଯେନା, ଚରଣ ଯେନା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସରପଞ୍ଚଙ୍କ ସ୍ଵାମୀ ଅକ୍ଷୟ ନାୟକ କୁହନ୍ତି ଯେ ୧୫ ଓ ୧୬ ନଂ ଓ୍ଵାର୍ଡକୁ ସଂଯୋଗ କରୁଥିବା ରାସ୍ତା ପାଣିରେ ବୁଡ଼ିଛି। ପାଣି ନ କମିଲା ପର୍ଯ୍ୟନ୍ତ ସେ ଗାଁକୁ ଯାଇହେବନି। ଅନ୍ୟପଟେ ବ୍ଲକ ତରଫରୁ କୌଣସି ରିଲିଫ୍ ସାମଗ୍ରୀ ଅଦ୍ୟାବଧି ଆସିନାହିଁ ବୋଲି କହିଛନ୍ତି। ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ଓ ଔଷଧ ଯୋଗାଇ ଦେବାକୁ ରାଜେନ୍ଦ୍ର ନାୟକ, କୃଷ୍ଣଚନ୍ଦ୍ର ଭୂୟାଁ, ସଦାନନ୍ଦ ଦାସ, ଅଭୟ କୁମାର ଆରୁଖ, ସୁଧୀର ସାହୁ, ପ୍ରିୟଲତା ଯେନା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe