ମୟୂରଭଞ୍ଜ: ପାଣି ପାଇଁ ଡହଳବିକଳ ପୋଡ଼ାଅସ୍ତିଆ ଗ୍ରାମବାସୀ

Advertisment
ମୟୂରଭଞ୍ଜ: ପାଣି ପାଇଁ ଡହଳବିକଳ ପୋଡ଼ାଅସ୍ତିଆ ଗ୍ରାମବାସୀ

ବାରିପଦା: ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ସୁଧୁରୁ ନାହିଁ ପାନୀୟ ଜଳ ସମସ୍ୟା । ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତି ବଦ୍ଧ ଥିବା ସମୟରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହର ଉପକଣ୍ଠ ଶାମାଖୁଣ୍ଟା ବ୍ଲକର ପୋଡ଼ା ଅସ୍ତିଆ ଗ୍ରାମବାସୀମାନେ ବୁନ୍ଦାଏ ପାଣି ପାଇଁ ଖୁଦ୍ ସ୍ଥାନୀୟ ସରପଞ୍ଚଠାରୁ ଆରମ୍ଭ କରି ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ଓ ଗୁହାରୀ ଜଣାଇବା ପରେ ମଧ୍ୟ ସମସ୍ୟାର ସମାଧାନ ସମ୍ଭବ ହୋଇପାରି ନାହିଁ । କେଉଁଠାରେ ନଳକୂପ ମାଟିରେ ପୋତି ହୋଇ ଗଲାଣି, ପୁଣି କେଉଁଠି ନଳକୂପରୁ ଛୋଟ ଛୋଟ ପୋକ ବାହାରୁଛି ।

ସେହିପରି ଘର ନିକଟରୁ ବାରିପଦା-ଉଦଳା ୧୯ ନମ୍ବର ରାଜ୍ୟ ରାଜପଥ ଉପରେ ଗୋଟାଏ କାଖରେ ଛୋଟ ପିଲା ଓ ଅନ୍ୟ ପଟରେ ପାଣି ଗରା ଧରି ପ୍ରାୟ ଅଧ କିଲୋମିଟର ଚାଲିବା ପରେ ରାଜପଥ ପାଶ୍ୱର୍ରେ ଥିବା ସରକାରୀ ନଳ କୂପ ନିକଟରେ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି । ଏହିପରି ବିଭିନ୍ନ ପ୍ରକାରର ଅସୁବିଧା ମଧ୍ୟଦେଇ ଗତି କରୁଥିବା ବେଳେ ଗ୍ରାମବାସୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ସ୍ଥାନୀୟ ସରପଞ୍ଚଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ କାହାରି ଅନ୍ତରିକତା ଥିବା ଭଳି ମନେ ହୁଏ ନାହିଁ । ଫଳରେ ନିଜ କପାଳକୁ ଆଦରି ଗ୍ରାମର ମହିଳାମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ କଷ୍ଟକୁ ପିଠିରେ ପକାଇ ସେହି ପୋକ ମିଶା ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇଥିବା ବେଳେ କରୋନା ମହାମାରୀର ଭୟରେ ଶଙ୍କା ଓ ଆଶଙ୍କା ମଧ୍ୟ ଦେଇ ଗତି କରୁଛନ୍ତି ।

publive-image

କୋଭିଡ଼-୧୯ ଭୂତାଣୁ ଷ୍ଟେନଲେସ ଷ୍ଟିଲରେ ପ୍ରାୟ ଏକ ସପ୍ତାହରୁ ଅଧିକ ଦିନ ପର୍ଯ୍ୟନ୍ତ ଜିବୀତ ରହୁଥିବାର କୁହାଯାଉଛି । ଯଦି କୌଣସି ପଜିଟିଭ ସଂକ୍ରମିତ ଉକ୍ତ ନଳକୂପକୁ ସ୍ପର୍ଶ କଲା ତେବେ ଏହି ନଳକୂପ ସୁପର ସ୍ପ୍ରେଡ଼ର ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଜନସାଧାରଣ ଶଙ୍କା ଓ ଆଶଙ୍କା ମଧ୍ୟ ଦେଇ ଗତି କରୁଛନ୍ତି । ପୋଡ଼ା ଅସ୍ତିଆ ଗ୍ରାମର ଲକ୍ଷ୍ମୀ ସିଂ, ସସ୍ମିତା ସିଂ, ରୀନା ସିଂ ପ୍ରମୁଖଙ୍କ କହିବା ଅନୁସାରେ ତାଙ୍କ ଗ୍ରାମର ୧୬ ନମ୍ବର ଓ ୧୭ ନମ୍ବର ୱାର୍ଡ଼ ବାଉଁଶବିଲା ଗ୍ରାପଞ୍ଚାୟତ ଅଧୀନରେ ରହିଥିବା ସମୟରେ ବାରିପଦା- ଉଦଳା ରାସ୍ତା ସୀମାରେଖା ଟାଣି ଦେଇଛି । ପାଇପ ୧୭ ନମ୍ବର ୱାର୍ଡ଼କୁ ପାଇପ୍ ପାଣି ବ୍ୟବସ୍ଥା ରହିଥିବା ବେଳେ ସଥିରୁ ଦୁର୍ଗନ୍ଧ ଯୁକ୍ତ ପୋକ ପାଣି ବାହାରୁଛି । ତାହା ପିଇବା ଉପଯୋଗୀ ହୋଇ ନ ଥିବାରୁ ସେହି ପାଣିକୁ କେବଳ ଗାଧୋଇବା ଓ ବାସନକୁସନ, ଲୁଗାପଟା ସଫା କରିବା ନିମନ୍ତେ ବ୍ୟବହାର କରାଯାଉଛି ।

୧୬ ନମ୍ବର ୱାର୍ଡ଼ରେ ପାଇପ୍‌ ବିଛା ଯାଇ ନାହିଁ । ତେଣୁ ରାସ୍ତା ପାଶ୍ୱର୍ରେ ମାଟିରେ ପୋତି ହୋଇ ଯାଇଥିବା ନଳକୂପ ଏକମାତ୍ର ଭରସା ହୋଇଥିବା ବେଳେ ଗରାଏ ପାଣି ସଂଗ୍ରହ କରିବା ନିମନ୍ତେ ସଂଘର୍ଷ କରିବାକୁ ପଡ଼ୁଛି । ଏନେଇ ୱାର୍ଡ଼ ମେମ୍ବର, ସରପଞ୍ଚଠାରୁ ଆରମ୍ଭ କରି ସମସ୍ତଙ୍କ ନିକଟରେ ବାରମ୍ବାର ଗୋହାରୀ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ମହିଳାମାନେ ଅଭିଯୋଗ କରିଛନ୍ତି । ସେହିପରି ରାଜ୍ୟ ସରକାର ଘରେ ଘରେ ପାଇପ୍ ପାଣି ପହଁଞ୍ଚାଇବାର ନାରା ପାଣିରେ ଗାରରେ ପରିଣତ ହୋଇଯାଇଛି । ସରକାରୀ ଯୋଜନାରେ ଆସୁଥିବା ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ତାହା ଜନତାଙ୍କ କାର୍ଯ୍ୟରେ ଲାଗିପାରୁ ନାହିଁ । ଏହାକୁ ନେଇ ବାଉଁଶବିଲା ସରପଞ୍ଚ ସାବିତ୍ରୀ ସିଂ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋରଞ୍ଜନ ଭୂୟାଁଙ୍କ ସହିତ ଯୋଗାଯୋଗ କରିବାରୁ ଗ୍ରାମକୁ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ନିମନ୍ତେ ଏକ୍ସନ ପ୍ଲାନ ପାଶ ହୋଇଯାଇଛି । ଖୁବ ଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ ହୋଇଯିବ ବୋଲି କହିଥିଲେ । ତେବେ ଖୁବ୍ ଶୀଘ୍ର କେଉଁ ଦିନ ଆସୁଛି ତାହା ପରବର୍ତ୍ତି ସମୟ ହିଁ କେବଳ କହିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe