ଖୋର୍ଦ୍ଧା ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା: ବିଧାୟକଙ୍କ ଅନୁରୋଧକୁ ମଧ୍ୟ ଶୁଣୁନି ବିଭାଗ

ପାଣି ନାହିଁ, ଆଗଉନି ବୃହତ୍‌ ପାନୀୟଜଳ ପ୍ରକଳ୍ପ: ଠିକାସଂସ୍ଥାକୁ ୯୦% ବିଲ୍ ପୈଠ ସରିଛି

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା ଉପଖଣ୍ଡରେ ଅଳ୍ପ କେତେକ ପଞ୍ଚାୟତକୁ ଛାଡ଼ି ଦେଲେ ଅଧିକାଂଶ ପଞ୍ଚାୟତରେ ପାନୀୟ ଜଳର ସମସ୍ୟା ରହିଛି। ଗୋଟିଏ ପଟେ ଜିଲ୍ଲାର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ତିନି ତିନିଟି ମେଗା ପାନୀୟ ଜଳ ପ୍ରକଳ୍ପ କାମ ଶେଷ ହେବାର ନାମ ନେଉନଥିବା ବେଳେ ଆରପଟେ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସାଧାରଣ ଲୋକଙ୍କ ଅନୁରୋଧ ଛାଡ଼ନ୍ତୁ ବିଧାୟକ ଓ ମନ୍ତ୍ରୀଙ୍କ ନିର୍ଦ୍ଦେଶ ମଧ୍ୟ ସ୍ଥଳବିଶେଷରେ ପାଳିତ ହେଉନାହିଁ। ଟାଙ୍ଗୀ ବ୍ଲକ ନିରାକାରପୁରରେ ସୌରଶକ୍ତି ଚାଳିତ କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରିବାକୁ ଗତ ୧ ବର୍ଷ ଧରି ଖୋର୍ଦ୍ଧା ବିଧାୟକ ଲିଖିତ ଭାବେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀଙ୍କୁ ଲେଖିଥିଲେ ମଧ୍ୟ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ।

ସୂଚନାନୁସାରେ, ୨୨ ଡିସେମ୍ବର ୨୦୨୨ରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ​ବୃହତ୍‌ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଳମ୍ବ ହେଉଛି। ଏହି ସମୟରେ ନିରାକାରପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ରହିଛି। ବିଶୁଦ୍ଧ ପାନୀୟ ଜଳ ପାଇବାରେ ଜନସାଧାରଣ ଅନେକ ହଇରାଣର ସମ୍ମୁଖିନ ହେଉଛନ୍ତି।  ଏହାକୁ ଦୃଷ୍ଟିରେ ରଖି ସେଠାରେ ସୌର ଶକ୍ତିଚାଳିତ ଏକ ଭୂମଧ୍ୟ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲେ ଲୋକେ ଉପକୃତ ହୁଅନ୍ତେ। ସେ ଦେଇଥିବା ଚିଠିରେ କୌଣସି ପଦକ୍ଷେପ ନିଆନଯିବାରୁ ପୁଣିଥରେ ଚଳିତ ବର୍ଷ ଅପ୍ରିଲ୍‌ ୨୬ ତାରିଖରେ ବିଭାଗୀୟ ପ୍ରମୁଖ ଯନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବର୍ତମାନ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ବିଧାୟକଙ୍କ ଚିଠି ଉପରେ ପଦକ୍ଷେପ ନେବାକୁ ଚଳିତ ମାସ ୧୦ ତାରିଖରେ ପଞ୍ଚାୟତିରାଜ ବିଭାଗ ଆର୍‌ଡବ୍ଲଏସ୍‌ଏସ୍‌ ଇଂଜିନିୟର ଇନ୍‌ ଚିଫ୍‌ଙ୍କୁ ଚିଠି ଲେଖିଥିଲେ। ଇଂଜିନିୟର ଇନ୍‌ ଚିଫ୍‌ ୧୮ ତାରିଖରେ ଏନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠିଲେଖି ତାଗିଦ୍‌ କରିଛନ୍ତି। ବିଧାୟକଙ୍କ ଅନୁରୋଧ ପରେ ମଧ୍ୟ କିଭଳି ପଦକ୍ଷେପ ନିଆଯାଇନାହିଁ ବୋଲି ପ୍ରଶ୍ନ କରିବା ସହ ବ୍ୟକ୍ତିଗତ ଭାବେ ସରଜମିନ ଯାଂଚ କରି କାର୍ଯ୍ୟାନ୍ବୟନ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାର ବିଶେଷତଃ ଖୋର୍ଦ୍ଧା ଉପଖଣ୍ଡର ଗ୍ରାମାଞ୍ଚଳରେ ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ଓ ଚାଷ ଜମିକୁ ଜଳ ସମସ୍ୟା ଲାଗି ରହିଛି। ଏନେଇ ନିୟମିତ ଭାବେ ପ୍ରତି ପଞ୍ଚାୟତ, ଗାଁରୁ ଏକାଧିକ ଦାବିପତ୍ର, ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଉଛି। ଅଧିକାଂଶ ସମସ୍ୟାର ସମାଧାନ ପୂରଣ କରିବାରେ, ବିଭାଗୀୟ ଚିଠି ନେଣଦେଣରେ ଏଭଳି ବିଳମ୍ବ ହେଉଥିବା ବେଳେ ବିଧାୟକଙ୍କ ଚିଠିରେ ପାନୀୟ ଜଳ ସମାଧାନରେ ବିଭାଗୀୟ ତତ୍ପରତା କିଭଳି ତାହା ପୁଣିଥରେ ସ୍ପଷ୍ଟ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe