ବସ୍ତିରେ ବର୍ଷାସାରା ଜଳ ସଙ୍କଟ

Advertisment
ବସ୍ତିରେ ବର୍ଷାସାରା ଜଳ ସଙ୍କଟ

କାଳିଆପାଣି: ‌ପାନୀୟ ଜଳ ପାଇଁ ଗାଁ ମୁଣ୍ଡରେ ନଳକୂଅ ଖନନ ହୋଇଛି। ଜିଲ୍ଲା ଖଣିଜ ନ୍ୟାସ(ଡିଏମ୍‌ଏଫ୍‌) ପାଣ୍ଠି ଅନୁଦାନରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସାଢ଼େ ୬ ଲକ୍ଷ ଟଙ୍କା ବ୍ୟୟରେ ସୌର ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ହୋଇଛି। ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ(ଓମ୍‌ବାଡସି) ଅନୁଦାନରେ ସୁକିନ୍ଦା ମେଗା ପାନୀୟଜଳ ପ୍ରକଳ୍ପରୁ ପ‌୍ରତ୍ୟେକ ଘରେ ପାଇପ୍‌ ଓ ଟ୍ୟାପ୍‌ ଲାଗିଛି। ପିଇବା ପାଣିର ସବୁ ବ୍ୟବସ୍ଥା ଥାଇ ବି କଅଁସ ପଞ୍ଚାୟତ ୭ ନମ୍ବର ୱାର୍ଡ ସାରୁଆବିଲ ମହାରଣା ସାହିରେ ବର୍ଷ ତମାମ୍‌ ଜଳ ସଂକଟ ଲାଗି ରହିଛି।

ପଞ୍ଚାୟତ ଅଫିସ ସଂଲଗ୍ନ ୩୦ ପରିବାର ବିଶିଷ୍ଟ ମହାରଣା ସାହି ବସ୍ତି ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଲିଜ୍ ଏରିଆରେ ଗଢ଼ି ଉଠିଛି। ସମସ୍ତ ପରିବାର ଗରିବ ଶ୍ରେଣୀଭୁକ୍ତ। ଅଧିକାଂଶ ଦିନ ମଜୁରିଆ। ଏଠାରେ ପ୍ରତିଷ୍ଠା କରାଯାଇଥିବା ସୌର ପ୍ରକଳ୍ପରେ ୫ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ବସିଛି। କିନ୍ତୁ ଅଗଭୀର ନଳକୂପ ପାଇଁ କେବେ‌ହେଲେ ବି ଟାଙ୍କିରେ ଏକ ଚତୁର୍ଥାଂଶ ପାଣି ପ୍ରବେଶ କରୁନଥିବା ସାଧାରଣରେ ଅଭିଯୋଗ ହୁଏ। ଏଠାରେ ପାଣି ସଂରକ୍ଷଣ ବ୍ୟବସ୍ଥାରେ ତ୍ରୁଟି ଥିବାରୁ ଖରାବର୍ଷା, ଶୀତକାକର ସବୁ ସମୟରେ ଜଳ ସଂକଟ ଲାଗି ରହୁଥିବା ନେଇ ସମ୍ବାରି ମହାରଣା, ମୁନି ମହାରଣା, ତ୍ରିବେଣୀ ମହାରଣା, ରଜ ମହାରଣା, ନାନିକା ମହାରଣା, ପ୍ରତିମା ମହାରଣା, ଗୋଲାପ ମହାରଣା, ଉମି ମହାରଣା, ଯାତ୍ରୀ ମହାରଣା, ମମତା ମହାରଣା ପ୍ରମୁଖ ଅଭିଯୋଗ କରନ୍ତି। ଖରାଦିନେ ନଳକୂଅ ଜଳସ୍ତର ନିମ୍ନଗାମୀ ହେବା କାରଣରୁ ଟାଙ୍କିକୁ ପାଣି ଉଠିପାରେନାହିଁ।

ସେହିପରି ଅଧିକ ସମୟ ବ୍ୟବହାର କଲେ ନଳକୂଅରୁ ଗୋଳିପାଣି ବାହାରୁଥିବା କହନ୍ତି ଏହି ମହିଳାମାନେ। ୫ ଦିନ ଧରି ମେଘୁଆ ପାଗ ପାଇଁ ସୌର ପ୍ରକଳ୍ପରୁ ପାଣି ମିଳୁନଥିବା କୁହାଯାଇଛି। ଶୀତଦିନ କୋହଲା ପାଗ‌‌ରେ ସମାନ ପରିସ୍ଥିତି। ସେହିପରି ମେଗା ପ୍ରକଳ୍ପରୁ ସପ୍ତାହରେ ୨ ଦିନ ପାଣି ଆସିଲେ, ଆଉ ୫ ଦିନ ନାହିଁ। ତା' ପୁଣି ମାତ୍ର ୧ ଘଣ୍ଟା ପାଇଁ ବୋଲି କହିଛନ୍ତି। ଏ ସଂପର୍କରେ ୱାର୍ଡମେମ୍ବର ରଘୁ ମୁଣ୍ଡାଙ୍କୁ ପଚାରିବାରେ ବସ୍ତିର ପାଣି ସମସ୍ୟାକୁ ସ୍ବୀକାର କରିଛନ୍ତି। ଆରଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ କାର୍ତ୍ତିକ ଚନ୍ଦ୍ର ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe