ଦିନକ ପାଇଁ ପାଇପ୍ ପାଣି ଛାଡ଼ିଲେ, ପରଦିନ ଠାରୁ ପୁଣି ଜଳ ଯୋଗାଣ ବନ୍ଦ

ଖବର ପ୍ରକାଶିତ ହେବାପରେ ତତ୍ପରତା ଦେଖାଇଥିଲେ ବିଭାଗୀୟ ଅଧିକାରୀ

ଦିନକ ପାଇଁ ପାଇପ୍ ପାଣି ଛାଡ଼ିଲେ, ପରଦିନ ଠାରୁ ପୁଣି ଜଳ ଯୋଗାଣ ବନ୍ଦ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅଧୀନ କଳିଙ୍ଗା ପଞ୍ଚାୟତର ୬ନଂ ୱାର୍ଡର ତିନିଗୋଟି ସାହିକୁ ଦୀର୍ଘ ବର୍ଷ ହେଲା ପାନୀୟ ଜଳ ନ ପହଞ୍ଚିବା ନେଇ ଦୈନିକ ଓଡ଼ିଆ ଖବରକାଗଜ ‘ସମ୍ବାଦ’ରେ ଦଦରା ନଳକୂପ ଭରସାରେ ୧୦୦ପରିବାର ଶୀର୍ଷକ ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଖବର ପ୍ରକାଶ ଦିନ ହିଁ ଉକ୍ତ ସାହିରେ ପହଞ୍ଚି ନଳକୂପ ମରାମତି କରିବା ସହ ବିଛା ହାଇଥିବା ପାଇପଲାଇନ ସଜେଇବା ସହ ପାଣି ଯୋଗାଣ ମଟର ସଜେଇ ତିନି ସାହି ଯଥା ଗେଟ ସାହି, ରାସେଡ଼ିସାହି ଏବଂ ମାଦିସାହିକୁ ଜଳଯୋଗାଣ ସ୍ୱାଭାବିକ ହୋଇଥିଲା। ଦୀର୍ଘ ବର୍ଷ ହେଲା ସାହି ଲୋକ ଟୋପାଏ ପିଇବା ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ ପାଣି ସମସ୍ୟା ନେଇ ତଳୁ ଉପର ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରେଇବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ଖବର ପ୍ରକାଶ ପରେ ତୁରନ୍ତ ଜଳଯୋଗାଣ ହୋଇଥିଲା। ହେଲେ ପରିତାପର ବିଷୟ ମାତ୍ର ଗୋଟିଏ ଦିନ ଜଳ ଯୋଗାଣ ପରେ ପୁଣି ବନ୍ଦ ହୋଇଯାଇଛି। ପୁଣି ସେଇ ଜଳଯନ୍ତ୍ରଣାରେ ଛଟପଟ ୬ନଂ ୱାର୍ଡ ବାସିନ୍ଦା। ମାତ୍ର ଗୋଟିଏ ନଳକୂପ ଭରଷାରେ ଜୀବନ କାଟୁଥିବା ସାହି ବାସିନ୍ଦା ଙ୍କ ଦୁଃଖ ଗୋଟିଏ ମାତ୍ର ନଳକୂପ ବି ଚାଲୁନି। ଦୀର୍ଘ ସମୟ ପରିଶ୍ରମ କଲେ ଅଳ୍ପ ପାଣି ଆସୁଛି ପୁଣି ରଙ୍ଗ ମାଟିଆ ପାଣି। କହିବାକୁ ଗଲେ ଗ୍ରାମ୍ୟ ଜଳଯୋଗାଣ ବିଭାଗ କଳିଙ୍ଗା ୬ନଂ ୱାର୍ଡ ବାସିନ୍ଦାଙ୍କ ସହ ଏକ ପ୍ରକାର ଖେଳ ଖେଳୁଛି। ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ କୌଣସି ବ୍ୟବସ୍ଥା ନକରି ଉପର ଠଉରିଆ ଭାବେ କାର୍ଯ୍ୟ କରି ଉପର ଅଧିକାରୀଙ୍କୁ ଖୁସି କରିବା ପାଇଁ ଯୋଜନା କରୁଥିବା ଅନୁମାନ କରିହେଉଛି। ତୁରନ୍ତ କଳିଙ୍ଗା ୬ନଂ ୱାର୍ଡ ର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ସାହି ବାସିନ୍ଦା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe