ବିଳମ୍ବରେ କେନାଲରେ ଛାଡ଼ିବ ପାଣି, ପାଣି ପଞ୍ଚାୟତର ବିରୋଧ

ବିଳମ୍ବରେ କେନାଲରେ ଛାଡ଼ିବ ପାଣି, ପାଣି ପଞ୍ଚାୟତର ବିରୋଧ

Dreamstime

ସମ୍ବଲପୁର: ଶାସନ କେନାଲର ନବୀକରଣ କାର୍ଯ୍ୟ ଯୋଗୁ ଏଥର ଖରିଫ ଚାଷ ନିମନ୍ତେ ବିଳମ୍ବ ପାଣି ଛାଡ଼ିବା ପାଇଁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ଏହାକୁ ପାଣି ପଞ୍ଚାୟତ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ହୀରାକୁଦ ଜଳପରିଚାଳନା ନିମନ୍ତେ ସରକାରଙ୍କ ଦ୍ବାରା ପ୍ରସ୍ତୁତ ‘ରୁଲ୍ କର୍ଭ’ର ଖୋଲା‌ଖୋଲି ଉଲ୍ଲଂଘନ ବୋଲି ଅଭିଯୋଗ କରାଯାଇଛି।

ହୀରାକୁଦ ଜଳଭଣ୍ଡାରରୁ ବାହାରିଥିବା ଶାସନ କେନାଲ ୮୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ଶାସନ କେନାଲରୁ ପୁଣି ୩ଟି ଡିଷ୍ଟ୍ରିବୁଟାରି କେନାଲ ସହିତ ବହୁ ମାଇନର, ସବ୍‌ମାଇନର କେନାଲ ବାହାରିଛି। ସମ୍ବଲପୁର ଜିଲ୍ଲାର ହଜାର ହଜାର ଚାଷୀ ଜୀବନ ଜୀବିକା ପାଇଁ ଏହି କେନାଲ ଉପରେ ନିର୍ଭରଶୀଳ। ଅତୀତରେ ଶିଳ୍ପାନୁଷ୍ଠାନକୁ ଜଳ ଯୋଗାଣ ନିମନ୍ତେ ଏହି କେନାଲରେ ବିଳମ୍ବରେ ପାଣି ଛଡ଼ାଯିବାକୁ ନେଇ ବଡ଼ ଚାଷୀ ଆନ୍ଦୋଳନ ଗଢ଼ି ଉଠିଥିଲା। ଏସବୁ ସତ୍ତ୍ବେ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ପୁଣି ସେହି ଭୁଲ୍ ଏଥର ଦୋହରାଇବାକୁ ଯାଉଛନ୍ତି। ରାଜ୍ୟ ସରକାରଙ୍କ ରୁଲ୍ କର୍ଭ ଅନୁସାରେ ଜୁନ୍ ୧୫ ତାରିଖରେ କେନାଲରେ ‌ଜଳଯୋଗାଣ ହୋଇଥାଏ। ଏହି କେନାଲ ପାଣି ଯୋଗୁ ଚାଷୀମାନେ ତଳି ପକାଇଥାନ୍ତି। ଚଳିତ ବର୍ଷ ରବି ଫସଲରେ ଠିକ୍ ସମୟରେ କେନାଲ ପାଣି ବନ୍ଦ କରାଯାଇଥିଲା।

ଏହା ସତ୍ତ୍ବେ ଆଜି ସୁଦ୍ଧା ଜୁନ୍ ୧୫ରେ କେନାଲରେ ପାଣି ଛାଡ଼ିବା ନେଇ କୌଣସି ପ୍ରସ୍ତୁତି ଆରମ୍ଭ ହୋଇନାହିଁ। ବିଳମ୍ବରେ କେନାଲର ପାଣି ଛଡ଼ାହେଲେ ତଳି ପକାଇବାରେ ବିଳମ୍ବ ହେବ ଏବଂ ରବିଚାଷ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି। ଏପଟେ ସ୍ନାନ, ଶୌଚ ଆଦି ନିମନ୍ତେ କେନାଲ ପାଣି ଉପରେ ନିର୍ଭରଶୀଳ ଲୋକମାନଙ୍କୁ ମଧ୍ୟ ଜଳକଷ୍ଟ ଭୋଗିବାକୁ ପଡ଼ୁଛି। ବିଳମ୍ବରେ ପାଣି ଛାଡ଼ିବା ନେଇ କାହା ସହିତ ଆଲୋଚନା ମଧ୍ୟ କରାଯାଇନଥିବାରୁ ଆଗାମୀ ଦିନରେ ଯେଉଁ ପରିସ୍ଥିତି ସୃଷ୍ଟି ହେବ, ସେଥିପାଇଁ ଜଳସଂପଦ ବିଭାଗ ଏବଂ ପ୍ରଶାସନ ଦାୟୀ ରହିବେ ବୋଲି ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ବିଭୁ ପ୍ରସାଦ ପଟ୍ଟନାୟକ, ଦ‌ୋଳଗୋବିନ୍ଦ ନାଏକ, ଅମ୍ବରୀଶ ପୁରୋହିତ ପ୍ରମୁଖ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe