ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଆଜି ଜଣେ କୋଭିଡ ଯୋଦ୍ଧାଙ୍କର ମୃତ୍ୟୁ ହୋଇଛି। ବ୍ରହ୍ମପୁର ମହାନଗର ନିଗମରେ କାର୍ଯ୍ୟରତ ଥିବା ସହାୟକ ଯନ୍ତ୍ରୀ କୈଳାଶ ଚନ୍ଦ୍ର ନାୟକଙ୍କ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ-୧୯ ହସ୍ପିଟାଲରେ ପରଲୋକ ହୋଇଛି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଯୋଗେ ଏହି ସୂଚନା ଦେଇଛନ୍ତି। ଏଥି ସହିତ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସ୍ୱର୍ଗତ ଯନ୍ତ୍ରୀ ଶ୍ରୀ ନାୟକଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।
ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଟୁଇଟରେ ଲେଖିଛନ୍ତି, ଆମେ ଆମର ଜଣେ କୋଭିଡ ଯୋଦ୍ଧାଙ୍କୁ ହରାଇଛୁ। ତାଙ୍କର ପରିବାର ସହିତ ଜିଲ୍ଲା ପ୍ରଶାସନ ଅଛି। ଗଂଜାମର ସମସ୍ତ ଲୋକଙ୍କୁ ଆମେ ଅନୁରୋଧ କରୁଛୁ ଯେ, ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ। ଏହି ନିୟମ ପାଳନ କରିବା ଦ୍ୱାରା ଆମେ ଆମର କୋଭିଡ ଯୋଦ୍ଧାଙ୍କୁ ସାହାଯ୍ୟ କରିପାରିବା।
ସୂଚନାଯୋଗ୍ୟ ଗଂଜାମ ଜିଲ୍ଲାର କରୋନା ଭାଇରସ ବ୍ୟାପକ ରୂପ ନେଇଛି। ଏପର୍ଯ୍ୟନ୍ତ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକର ତୁଳାନରେ ସର୍ବାଧିକ ୬ ହଜାର ୯୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୁଲାଇ ୨୨ ତାରିଖ ଯାଏଁ ୪ ହଜାର ୭୬ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ୨ ହଜାର ୭୫୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଜିଲ୍ଲାରେ ମୋଟ ୬୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
Follow Us